ଗତ ନିର୍ବାଚନର ଫଳାଫଳ ନେଇ ଅମିତଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ଜନତା ମଇଦାନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସିଏଏ ସମର୍ଥନ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭାଷଣ ଦେବା ପୂର୍ବରୁ ବକ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜର ସଂକ୍ଷିପ୍ତ ଅଭିଭାଷଣରେ ଧର୍ମେନ୍ଦ୍ର ପ୍ରଧାନ, ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଦେଇଥିବା ମିସନ୍ ୧୨୦ର ଲକ୍ଷ୍ୟ ସେ ପରିପୂରଣ କରିପାରି ନଥିବାରୁ କ୍ଷମା ପ୍ରାର୍ଥନ‌ା କରିଛନ୍ତି। ସେ କହିଥିଲେ- ଅମିତ ଶାହାଙ୍କ ନିକଟରେ ସେ କ୍ଷମାପ୍ରାର୍ଥୀ।

ଏହି  ଜନତା ମଇଦାନରେ ଅନୁଷ୍ଠିତ  ବିଶାଳ ଜନସଭାରେ ମିସନ୍ ୧୨୦ ଦାୟିତ୍ୱ ଦେଇଥିଲେ ଅମିତ ଶାହା । ହେଲେ ଶାହା ଦେଇଥିବା ଗୁରୁଦାୟିତ୍ୱ ନିଭେଇ ପାରିଲେନି ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ । ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରେ ରାଜ୍ୟରେ ଆଶାଜନକ ପ୍ରଦର୍ଶନ କରିପାରିନଥିଲା । ଶାହାଙ୍କ  ମିସନ୍ ଫେଲ ମାରିଥିଲା । ଆଉ ଏଥିପାଇଁ ଅମିତ ଶାହାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି,  ଅମିତ ଶାହା  ଦଳକୁ ମଜଭୁତ କରିବାକୁ ଦାୟିତ୍ୱ ଦେଇଥିଲେ । ହେଲେ ଆମେ ଦଳକୁ ମଜଭୁତ କରିବାରେ ସଫଳ ହୋଇ ପାରିଲୁ ନାହିଁ । ଶୀର୍ଷ ନେତୃବୃନ୍ଦ ବାରମ୍ବାର ଆସି ବୁଥ ମଜୁଭୁତ ହେଲେ ଦଳ ମଜଭୁତ ହେବ ବୋଲି ଗୁରୁମନ୍ତ୍ର ଦେଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଦଳ ରାଜ୍ୟରେ ଆଶାଜନକ ପ୍ରଦର୍ଶନ କରିପାରିଲା ନାହିଁ । ତେବେ ୨୦୧୯ରେ ନହେଲେ ନାହିଁ, ୨୦୨୪ରେ ପୁଣି ଥରେ ପ୍ରତିଯୋଗିତା ହେବ । ଆଗକୁ ପ୍ରଚେଷ୍ଟା ଜାରି ରହିବ । ଆଉ ସେତେବେଳେ ରାଜ୍ୟରେ ପଦ୍ମ ଫୁଟିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଆ ଲୋକଙ୍କ ମନ ଜିଣିବା ପାଇଁ ଆହୁରି ପରିଶ୍ରମ କରିବ ଭାରତୀୟ ଜନତା ପାର୍ଟି । କଠୋର ପରିଶ୍ରମ କରି ଓଡ଼ିଆଙ୍କ ହୃଦୟ ଜିତିବ ଦଳ । ଓଡ଼ିଶା ଲୋକଙ୍କ ନିକଟରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ବିକାଶର ପରିକଳ୍ପନାକୁ ସାକାର କରାଯିବ । ୨୦୨୪ରେ ବିଜେପି ଓଡ଼ିଶା ଜିତିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧିତ ଖବର