ଧର୍ମେନ୍ଦ୍ରଙ୍କ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ବିଜେପି ରାଜ୍ୟ ସଭାପତି ନନ୍ଦ କୁମାର ସିଂହ ଚୌହାନଙ୍କ ସମେତ ରାଜ୍ୟର ମନ୍ତ୍ରୀ, ଦଳୀୟ ବିଧାୟକ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ତାଙ୍କୁ ଶ୍ରୀ ଚୌହାନ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ପ୍ରଥମ ଓଡ଼ିଆ ଭାବେ ରାଜ୍ୟ ବାହାରୁ ଲଗାତର ଦ୍ୱିତୀୟ ଥର ପାଇଁ ଶ୍ରୀ ପ୍ରଧାନ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବେ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ତାଙ୍କ ପରି ଜଣେ ସାଧାରଣ ଓଡ଼ିଆଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଆଙ୍କୁ ସମ୍ମାନିତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ସମାଜ ପାଇଁ ଆହୁରି ପ୍ରତିଶ୍ରୁତିବଦ୍ଧ ହୋଇ କାମ କରିବାକୁ ତାଙ୍କ ପ୍ରେରଣା ମିଳିଛି। ପୂର୍ବରୁ ମଧ୍ୟପ୍ରଦେଶର ଜନତାଙ୍କ ପାଇଁ କାମ କରିବାର ସୁଯୋଗ ମିଳିଥିଲା ବେଳେ ଏବେ ଏଠାରୁ ରାଜ୍ୟସଭାକୁ ଯିବା କାରଣରୁ ମଧ୍ୟପ୍ରଦେଶର ବିକାଶ ପାଇଁ ଆହୁରି ନିକଟରୁ କାମ କରିବାକୁ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର