‘କଂଗ୍ରେସ-ନବୀନ ଅଘୋଷିତ ମେଣ୍ଟ’

ଧର୍ମେନ୍ଦ୍ରଙ୍କୁ ବିଜେପିର ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଲଗାତର ଭାବେ ଦ୍ୱିତୀୟ ଥର ବାହାର ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହେଲା ପରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ମଧ୍ୟାହ୍ନରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟ ଅଣାଯାଇଥିଲା। ସେଠାରେ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ସେ ସିଧାସଳଖ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରେସ ଦଳ ସହ ଅଘୋଷିତ ମେଣ୍ଟ କରିଛନ୍ତି। ବିଜେପୁର ଉପନିର୍ବାଚନରେ ଏହା ସ୍ପଷ୍ଟ ହୋଇଛି।

ବିଜେପୁର ପରାଜୟକୁ ସ୍ୱୀକାର କରିବା ସହ ଶ୍ରୀ ପ୍ରଧାନ ଏହି ଉପନିର୍ବାଚନ ବିଜେପିକୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହୋଇଥିବାର ବାର୍ତ୍ତା ଦେଇଛି ବୋଲି କହିଛନ୍ତି। ଏଥିପାଇଁ ଦଳର ଦାୟିତ୍ୱ ବଢ଼ିଯାଇଛି। ବିଜେପୁରରେ ୨୦୧୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ଲଢ଼ି ଯେତିକି ଭୋଟ୍‌ ପାଇଥିଲେ, ଗତ ଉପନିର୍ବାଚନରେ ବିଜେଡିକୁ ଠିକ୍‌ ସେତିକି ଭୋଟ୍‌ ମିଳିଛି। ମାତ୍ର ବିଜେପିର ୨୦୧୪ ମସିହାରେ ୩୦ ହଜାର ଭୋଟ ଥିବା ବେଳେ ଉପନିର୍ବାଚନରେ ୬୨ ହଜାର ହୋଇଛି ବୋଲି କହିଛନ୍ତି।

ବିଜେପିକୁ ବୁଡ଼ୁଥିବା ପାର୍ଟି ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଶ୍ରୀ ପ୍ରଧାନ କହିଥିଲେ, ବିଜେପୁରରେ ବିଜୟ ଦୀପ ଲିଭିବା ପୂର୍ବରୁ ଜୋର୍‌ରେ ଜଳିବା ସହ ସମାନ।
ବିଜୁବାବୁଙ୍କ ନା ନ ନେଇ କେନ୍ଦ୍ର ମନ୍ତ୍ରୀ କହିଲେ, କିଛି ଲୋକ ଭାବୁଛନ୍ତି ଯେ ଓଡ଼ିଶାର ଇତିହାସ ୧୯୧୭ରୁ ଆରମ୍ଭ ହୋଇ ୨୦୧୭ ପର୍ଯ୍ୟନ୍ତ ହିଁ ଅଛି। ଖାରବେଳଙ୍କ ଠାରୁ ଆରମ୍ଭ କରି ଭୀମଭୋଇ, ମଧୁବାବୁ, ଗୋପବନ୍ଧୁ, ନେତାଜୀ, ସୁରେନ୍ଦ୍ର ସାଏ, ରମାଦେବୀ, ମାଳତୀ ଚୌଧୁରୀ ଓ ହରେକୃଷ୍ଣ ମହତାବଙ୍କ ପର୍ଯ୍ୟନ୍ତ ଓଡ଼ିଶାର ସୁଯୋଗ୍ୟ ସନ୍ତାନମାନଙ୍କ ସ୍ୱପ୍ନର ଓଡ଼ିଶା ଗଢ଼ିବା ପାଇଁ ବିଜେପି ଓଡ଼ିଶାର ଯୁବଶକ୍ତିକୁ ନେଇ କାମ କରିବ।

ଦ୍ୱିତୀୟ ଥର ରାଜ୍ୟସଭାକୁ ଗଲା ପରେ ଓଡ଼ିଶାର ସ୍ୱାର୍ଥ ପାଇଁ କ’ଣ କରିବେ ବୋଲି ଗଣମାଧ୍ୟମ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଲେ, ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହେଲା ବେଳେ କହିଥିଲି ଓଡ଼ିଶାର ସ୍ୱାର୍ଥ ଓ ବିକାଶ ପାଇଁ କ’ଣ କରିପାରିବି ବା ନ କରିପାରିବି, ତାହା ଭିନ୍ନ କଥା। ମାତ୍ର ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କ ମୁଣ୍ଡକୁ ନଇଁବାକୁ କେବେ ଦେବି ନାହିଁ। ଆଜି ମଧ୍ୟ ସମାନ କଥା ଦୋହରାଉଛି। ମୋତେ ରାଜ୍ୟସଭାକୁ ପଠାଇ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ସମ୍ମାନିତ କରିଛନ୍ତି। ଏହି ସମ୍ମାନକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରି ଓଡ଼ିଶା ବିକାଶ ପାଇଁ ନିଜକୁ ସମର୍ପିତ କରିବି।

ସମ୍ବନ୍ଧିତ ଖବର