ଭୁବନେଶ୍ୱର : ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି। କେବଳ ସେତିକି ନୁହେଁ, ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ସ୍ୱର ମିଳାଇ ତୃତୀୟ ମହଲା ସଂପର୍କରେ ଟିପ୍ପଣୀ ମଧ୍ୟ ଦେଇଛନ୍ତି।
ସେ କହିଛନ୍ତି ଯେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ନେବାକୁ ପୁନେ ଯିବା ପୂର୍ବରୁ ଓଡିଆ ଲୋକଙ୍କ ଭାବାବେଗ ସହିତ ଜଡିତ ପ୍ରଶ୍ନକୁ ନ ଏଡାଇ ନବୀନ ପଟ୍ଟନାୟକ ନିଜେ ଜବାବ ଦିଅନ୍ତୁ। କାରଣ, ତୃତୀୟ ମହଲା ଓଡିଆ ଲୋକଙ୍କ ଆସ୍ଥାର କେନ୍ଦ୍ର, ନବୀନଙ୍କ ଜାଗିର ନୁହେଁ । ତୃତୀୟ ମହଲା ଉପରେ ପ୍ରଶ୍ନ ଉଠାଇବା ଓଡ଼ିଆ ଲୋକଙ୍କର ଅଧିକାର । ନବୀନ ପଟ୍ଟନାୟକଙ୍କର ଭଙ୍ଗା ମାଠିଆର ଦିନ କାଳ ସରି ଆସିଲାଣି।
ବିରୋଧୀ ଦଳ ନିକଟରେ ପ୍ରସଙ୍ଗ ନ ଥିଲେ, ତାଙ୍କର ଅଫିସ ଉପରେ ଆକ୍ରମଣ କରାଯାଏ ବୋଲି ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଇ ସେ କହିଥିଲେ, ମନ୍ତ୍ରୀ କାହାକୁ ରଖିବେ ନ ରଖିବେ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । ମାତ୍ର ରାୟଗଡାରେ ଡା. ରାଉତ ମୃତିକା ସଂରକ୍ଷଣ ବିଭାଗର ଯେଉଁ ଦୁର୍ନୀତିର କଥା ଉଠାଇଥିଲେ ତାର ଚେର ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି। ଡା. ରାଉତଙ୍କୁ ଏହି ପ୍ରଶ୍ନ ଉଠାଇବା କାରଣରୁ ମନ୍ତ୍ରିମଣ୍ଡଳରୁ ତଡି ଦିଆ ଯିବା ଅଭିଯୋଗର ପ୍ରଶ୍ନର ଉତ୍ତର କଣ କଣ ପ୍ରସଙ୍ଗ ନୁହେଁ? ଯାଜପୁର ଜିଲ୍ଲା ଦଶରଥପୁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଭ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଆପଣାର ବିଧାୟକଙ୍କ ଡାହାଣ ହାତ ମହିଳାଙ୍କୁ ଦୁଷ୍କର୍ମ କରିବା କଣ ପ୍ରସଙ୍ଗ ନୁହେଁ? ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କୁ ପକ୍କା ଘର କରିବାକୁ ଘର ପିଛା ଦେଢ ଲକ୍ଷ ଟଙ୍କା ଦେଉଛନ୍ତି । ଏହି ଟଙ୍କା ଗରିବଙ୍କୁ ଦେବା ନାମରେ ମହିଳାଙ୍କୁ ଶୋଷଣ କରିବା ପ୍ରସଙ୍ଗ କି ନାହିଁ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇ ଜେରା କରିବା ପ୍ରସଙ୍ଗ ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ।
ତୃତୀୟ ମହଲାର ଓଡିଆ ଭାବାବେଗ ବୁଝୁ ନ ଥିବା ଅଫିସରଙ୍କୁ କିଏ ସମାଲୋଚନା କରିଦେଲେ ମୁଖ୍ୟମନ୍ତ୍ରୀଙ୍କ ମରମକୁ କାହିଁକି ବାଧୁଛି ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି। ସେହିଭଳି ଓଡିଶାରେ ୬୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଖୋଦ ରାଜ୍ୟ ସରକାର ସତ୍ୟ ପାଠରେ କହିଛନ୍ତି । ମାତ୍ର ଏବେ ସୁଦ୍ଧା ୮ ହଜାର କୋଟି ଟଙ୍କାର ଜୋରିମାନା ଆଦାୟ ହୋଇ ପାରି ନାହିଁ। ଏହା ପ୍ରସଙ୍ଗ କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଥିଲେ, ଜୁଲାଇ ୨୦୦୧ ରେ ନଳିନୀ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କୁ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କୁ କିଏ ପ୍ରଶ୍ନ କଲେ ପ୍ରଶାନ୍ତ ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ଦେବାକୁ ଆସୁଛନ୍ତି । ମାତ୍ର ପ୍ରଶାନ୍ତ ନନ୍ଦଙ୍କ ଦୁର୍ନୀତି ଅଭିଯୋଗର କଣ ହେଲା ମୁଖ୍ୟମନ୍ତ୍ରୀ ତାହାର କାହିଁକି ଉତ୍ତର ଦେଉ ନାହାନ୍ତି?