ହିଂସାକୁ ନିନ୍ଦା ସହ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର
ଇସ୍ତଫା ଦେଇ ଖୋଲା ରାଜନୀତି କରିବାକୁ ଅଧିକାରୀଙ୍କୁ ଆହ୍ଵାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ଙ୍କ ବାସଭବନରେ ବିଜେପି କର୍ମୀଙ୍କ ଆକ୍ରମଣ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମାପିଚୁପି ଘଟଣାକୁ ନିନ୍ଦା କରିଥିଲେ ବି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଗଣତନ୍ତ୍ରରେ କୌଣସି ବି ହିଂସାକୁ ରାଜନୈତିକ ଯଥାର୍ଥତା ଦିଆଯାଇପାରିବ ନାହିଁ ବୋଲି ସେ ମତ ଦେବା ସହ ସମାନ ଘଟଣାରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପାଟି ଖୋଲୁ ନ ଥିଲା ବେଳେ ଏବେ କାହିଁକି ଓକିଲାତି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ପ୍ରଧାନ କହିଛନ୍ତି, ୨୦୧୭ ସେପ୍ଟମ୍ବର ୧୭ରେ ନବରଙ୍ଗପୁରର ଜିଲ୍ଲାପାଳ ଓଡ଼ିଆ ଝିଅ ରଶ୍ମିତା ପଣ୍ଡା ଥିଲା ବେଳେ ଏକ ଜନ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀମାନେ ତାଙ୍କ ଆବାସିକ କାର୍ଯ୍ୟାଳୟ ଭିତରେ ମଇଳା ପକାଇଥିଲେ। ମୁଖ୍ୟମନ୍ତ୍ରୀ ସେ ସମୟରେ କାହିଁକି ଚୁପ୍ ରହିଥିଲେ ? ଏହି ମାମଲାରେ ଅଫିସର୍ ଆସୋସିଏସନ୍ ନିନ୍ଦା କରି ନ ଥିଲା। ସେହିପରି ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହଙ୍କ ଘରେ ଶାସକ ଦଳ ସମର୍ଥିତ ଯୁବକମାନେ ଉନ୍ମତ୍ତ କାଣ୍ଡ ଘଟାଇଥିଲେ। ବିଭାଗୀୟ ମନ୍ତ୍ରୀ ଶାସକ ଦଳର ସମର୍ଥକଙ୍କୁ ପଠାଇ ଏପରି କାଣ୍ଡ କରିଥିବା ଅଭିଯୋଗ ହୋଇଥିଲା। ମାତ୍ର ଏ ମାମଲାରେ ମୁଖ୍ୟମନ୍ତ୍ରୀ ନିିରବତା ଅବଲମ୍ବନ କରିଥିଲେ। ୨୦୧୭ ନଭେମ୍ବର ୬ରେ ତତ୍କାଳୀନ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଘରେ କିଛି ଆନ୍ଦୋଳନକାରୀ ପଶି ଭଙ୍ଗାରୁଜା କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିଥିଲେ। ନବୀନ ବାବୁ କାହା ସ୍ୱାର୍ଥ ସାଧନ କରିବାକୁ ଚାହୁଁଛନ୍ତି?
ଅଫିସର୍ମାନଙ୍କୁ ଚେତାବନୀ ଦେବାକୁ ବି କେନ୍ଦ୍ର ମନ୍ତ୍ରୀ ଭୁଲି ନାହାନ୍ତି। ସେ କହିଛନ୍ତି, ଯେଉଁ ବନ୍ଧୁମାନେ ଶାସକ ଦଳର ହାତବାରିସୀ ଭାବେ ଅଧିକାରୀଙ୍କ ବାହାନା ନେଇ ରାଜନୈତିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ରହିବେ, ତାହା ଗ୍ରହଣଯୋଗ୍ୟ ହେବନି। ଏହା ପ୍ରଜାତନ୍ତ୍ରର ପରିପନ୍ଥୀ। ଯଦି ରାଜନୀତି କରିବାର ଅଛି, ତେବେ ଇସ୍ତଫା ଦେଇ ଖୋଲାଖୋଲି ରାଜନୈତିକ ଦଳରେ ଯୋଗ ଦିଅନ୍ତୁ ଓ ରାଜନୀତିକୁ ଆସନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ଵାନ ଦେଇଛନ୍ତି।