ଧର୍ମେନ୍ଦ୍ରଙ୍କ ଜବାବ୍‌ : ସିବଲ୍‌ ମାନସିକ ସନ୍ତୁଳନ ହରାଇଛନ୍ତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ କପିଲ୍‌ ସିବଲ୍‌ଙ୍କ କଡ଼ା ସମାଲୋଚନା ପରେ ତାହାର ଜବାବ୍‌ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଂଗ୍ରେସକୁ ଦେଶର ଜନସାଧାରଣ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ପରେ ସେ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର।

ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଦେଶର ବଡ଼ ଆଇନଜୀବୀ କପିଲ ସିବଲ୍‌ କଳାକୁ ଧଳା କରିବାରେ ସିଦ୍ଧହସ୍ତ। ପୂର୍ବରୁ କୋଇଲା ବା ଖଣି ଦୁର୍ନୀତିରେ ରାଜକୋଷର ପଇସାଟିଏ କ୍ଷତି ହୋଇ ନାହିଁ ବୋଲି ଶ୍ରୀ ସିବଲ୍‌ କହିଥିଲେ। ମୋଦି ସରକାର ସ୍ୱଚ୍ଛତାର ସହ ଖଣି ନିଲାମୀ ବ୍ୟବସ୍ଥା ଲାଗୁ କରି ରାଜ୍ୟରେ ଅର୍ଥ ରହିବ ବୋଲି ନିୟମ କରିଛନ୍ତି। ଏଥି ପାଇଁ କୋଇଲା ନିଲାମୀରୁ ଓଡ଼ିଶାକୁ ୭୧ ହଜାର ୭୨୬ କୋଟି ଓ ଅନ୍ୟାନ୍ୟ ଖଣିଜ ସମ୍ପଦରୁ ୪୦ ହଜାର ୫୭ କୋଟି ଟଙ୍କା ଓଡ଼ିଶାକୁ ମିଳୁଛି। ପୂର୍ବରୁ କେନ୍ଦ୍ର ସରକାରମାନେ ବିନା ମୂଲ୍ୟରେ ଖଣି ଲିଜ୍‌ ଦେଉଥିବା ବେଳେ ରାଜ୍ୟ ସରକାରମାନେ ତାଙ୍କୁ ସମର୍ଥନ କରୁଥିଷଲ। ଯଦି ଗାଁର ବାଲିଘାଟଟିଏ ନିଲାମ ହୋଇ ରାଜକୋଷକୁ ଅର୍ଥ ଯାଉଥିଲା, ତେବେ ଖଣି ନିଲାମୀ କରି ରାଜ୍ୟକୁ ଅର୍ଥ ଦେବାକୁ କିଏ ମନା କରିଥିଲା ?

ଶ୍ରୀ ପ୍ରଧାନ ଆହୁରି ଆରୋପ ଲଗାଇଛନ୍ତି, କପିଲ୍‌ ସିବଲ୍‌ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓଡ଼ିଶାର ସନ୍ତାନ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି କଂଗ୍ରେସ ଦଳ ଓଡ଼ିଆ ସ୍ୱାଭିମାନକୁ ଅପମାନିତ କରିବାକୁ ଚେଷ୍ଟା କରିଛି। ଓଡ଼ିଆ ସାମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତର କାହିଁକି ଶ୍ରୀ ସିବଲ୍‌ ଦେଲେ ନାହିଁ?

ଓଡ଼ିଶାର ଦାରିଦ୍ର୍ୟ ନେଇ ଶ୍ରୀ ସିବଲ୍‌ଙ୍କ ପ୍ରଶ୍ନ ଉପରେ କେନ୍ଦ୍ର ମନ୍ତ୍ରୀ ପାଲଟା ପ୍ରଶ୍ନ କରିଛନ୍ତି, ୟୁପିଏ ସରକାରର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ରଘୁରାମ ରାଜନ ତାଙ୍କ ରିପୋର୍ଟରେ ଓଡ଼ିଶାକୁ ସବୁଠୁ ଗରିବ ରାଜ୍ୟ ବୋଲି କହିଥିଲେ କି ନାହିଁ ?

ଆସନ୍ତା ନିର୍ବାଚନରେ ବିଜେପିର ପରାଜୟ ନେଇ ଶ୍ରୀ ସିବଲ୍‌ଙ୍କ ଯୁକ୍ତି ଉପରେ ଶ୍ରୀ ପ୍ରଧାନ କହିଛନ୍ତି, କପିଲ୍‌ ସିବଲ୍‌ଙ୍କ ନେତା ରାହୁଲ ଗାନ୍ଧୀ ଆମେଥିରୁ ଏଥର ହାରିବେ। ତେଣୁ ସେ ଯାଇ ତାଙ୍କ ନେତାଙ୍କ ଗଡ଼ ସମ୍ଭାଳନ୍ତୁ।

ସମ୍ବନ୍ଧିତ ଖବର