୧୯ରେ ଓଡ଼ିଶାରୁ ଲଢ଼ିବେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ହିଁ ଲଢ଼ିବେ। ଆଜି ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ଅ’ ଓଡ଼ିଶା ସାହିତ୍ୟ ମହୋତ୍ସବର ଷଷ୍ଠ ସଂସ୍କରଣକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା ସ୍ପଷ୍ଟ କରିଛନ୍ତି। ତେବେ ସେ ବିଧାୟକ କି ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ, ଦଳ ସେ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କହିଛନ୍ତି।

ଉଦ୍‌ଘାଟନୀ ସମାରୋହରେ ଶ୍ରୀ ପ୍ରଧାନ କହିଛନ୍ତି, ସାହିତ୍ୟ ସାଧନା ଓ ସାରସ୍ୱତ କୃତି କ୍ଷେତ୍ରରେ ଓଡ଼ିଶା ଯୁଗେ ଯୁଗେ ବିଶ୍ୱକୁ ଦିଗ୍‌ଦର୍ଶନ ଦେଇଆସିଛି। କହିବାକୁ ଗଲେ ଓଡ଼ିଶା ହେଉଛି ସାହିତ୍ୟର ମା’। ମହାନ ଗ୍ରନ୍ଥ ମହାଭାରତ କୌଣସି ଆଞ୍ଚଳିକ ଭାଷାକୁ ଅନୁବାଦ ହେବାରେ ଓଡ଼ିଆ ହେଉଛି ପ୍ରଥମ। ତେବେ ସମଗ୍ର ଦେଶରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ରାଜନୈତିକ ପାରଦର୍ଶିତା ଓ ଦୂରଦର୍ଶିତା ଅଭାବରୁ ଗତ ୧୭ବର୍ଷ ମଧ୍ୟରେ ରସାତଳକୁ ଯାଇଛି। ଓଡ଼ିଆ ଯୁବପିଢ଼ିଙ୍କ ଆଶା ଆକାଂକ୍ଷାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୂଳିସାତ୍‌ କରି ଦେଇଛନ୍ତି।

ଏହି ଅବସରରେ ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଗ୍ରୁପ୍‌ର ଏଡିଟୋରିଆଲ୍‌ ଡାଇରେକ୍ଟର ପ୍ରଭୁ ଚାଓ୍ଵଲା ଓଡ଼ିଶାର ସମୃଦ୍ଧ ସାହିତ୍ୟ ଓ ସଂସ୍କୃତିର ଅନବଦ୍ୟ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେ କହିଲେ ଯେ ‘ଅ’ ସାହିତ୍ୟ ଉତ୍ସବ ଦଳମତ ନିର୍ବିଶେଷରୁ ଉର୍ଧ୍ୱରେ। ସାହିତ୍ୟର ଏହି ମହାକୁମ୍ଭ ହେଉଛି ନିଚ୍ଛକ ସାହିତ୍ୟ ଆସର। ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ରେସିଡେଣ୍ଟ୍‌ ଏଡିଟର ଶ୍ରୀମୟ କର ଉଦ୍‌ଘାଟନୀ ସମାରୋହକୁ ସଂଯୋଜନା କରିଥିଲେ। ଏହି ଅବସରରେ ଉଭୟ ଶ୍ରୀ ଚାଓ୍ଵଲା ଓ ଶ୍ରୀମୟ କରଙ୍କ ସହିତ ହୋଇଥିବା ଏକ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତା କିଛି ସପ୍ତାହ ମଧ୍ୟରେ ଜିଏସ୍‌ଟି ଜନିତ ଦ୍ୱନ୍ଦ୍ୱ ଦୂର ହେବା, ନିଯୁକ୍ତି ବଜାରକୁ ଦୃଷ୍ଟିରେ ରଖି ଯୁବପିଢ଼ିଙ୍କୁ ଦକ୍ଷତା ବିକାଶ ତାଲିମ ଦେବା ଆଦି ବିଭିନ୍ନ ବିଷୟ ଉପରେ ନିଜ ମତ ରଖିଥିଲେ। ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ଦେଶରେ ୧୮ରୁ ଉର୍ଧ୍ୱ ରାଜ୍ୟରେ ବିଜେପି ଓ ବିଜେପି ସମର୍ଥିତ ଶାସନ ଥିଲେ ସୁଦ୍ଧା ସଂଘୀୟ ବ୍ୟବସ୍ଥାରେ କୌଣସି ରାଜ୍ୟ ଉପରେ ନିଷ୍ପତ୍ତି ଲଦି ଦେବା ଠିକ୍‌ ନୁହେଁ। ତେଣୁ ରାଜ୍ୟଗୁଡ଼ିକ ପେଟ୍ରୋଲଜାତ ଦ୍ରବ୍ୟ ଉପରୁ ଭ୍ୟାଟ କମାଇବା ମାମଲା ଏକ ଦଳୀୟ ପ୍ରସଙ୍ଗ ନୁହେଁ। ସାହିତ୍ୟ କ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷ ତଥା ସମାଜର ବିଭିନ୍ନ ବର୍ଗରୁ ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ।

‘ଅ’ ସାହିତ୍ୟ ଉତ୍ସବର ଷଷ୍ଠ ସଂସ୍କରଣ ଆସନ୍ତାକାଲି ଉଦ୍‌ଯାପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର