ମଧ୍ୟପ୍ରଦେଶରୁ ଯିବେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯିବେ। ଏଥର ସେ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ହେବେ। ଆଜି ଏ ନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଛି। ଧର୍ମେନ୍ଦ୍ରଙ୍କ ବାଦ୍‌ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସମେତ ମୋଟ୍‌ ୭ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟରୁ ପ୍ରାର୍ଥୀ କରାଯାଇଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶରୁ ଅରୁଣ ଜେଟ୍‌ଲି, ମଧ୍ୟପ୍ରଦେଶରୁ ଧର୍ମେନ୍ଦ୍ର ପ୍ରଧାନ ଓ ଟି ସି ଗେହଲଟ୍‌, ଗୁଜରାଟରୁ ମନସୁଖ୍‌ଲାଲ୍‌ ମାଣ୍ଡଭିୟ ଓ ପୁରୁଷୋତ୍ତମ ରୂପାଲା, ହିମାଚଳ ପ୍ରଦେଶରୁ ଜେ ପି ନଡ୍ଡା, ବିହାରରରୁ ରବିଶଙ୍କର ପ୍ରସାଦ। ଏହା ବାଦ୍‌ ରାଜସ୍ଥାନରୁ ଏବେ ରାଜ୍ୟସଭା ସଦସ୍ୟ ଥିବା ଭୂପିନ୍ଦର ଯାଦବ ପୁନର୍ବାର ସେଠାରୁ ପ୍ରାର୍ଥୀ ହେବେ।

ଓଡ଼ିଶା ବାହାରୁ ରାଜ୍ୟସଭାକୁ ଯିବାରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଓଡ଼ିଆ। ସେ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ବିହାରରେ ବିଜେପି-ଜେଡି(ୟୁ) ମେଣ୍ଟ ସରକାର ଶାସନ କରୁଥିଲା। ୨୦୧୪ରେ କେନ୍ଦ୍ରରେ ଏନ୍‌ଡିଏ ସରକାର ଆସିଲା ପରେ ଶ୍ରୀ ପ୍ରଧାନ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ହେବା ସହ ପେଟ୍ରୋଲିୟମ୍‌ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ। ପୁଣି ୨୦୧୭ରେ ତାଙ୍କୁ କ୍ୟାବିନେଟ୍‌ ପାହ୍ୟାକୁ ପଦୋନ୍ନତି ଦିଆଯିବା ସହ ତାଙ୍କ ହାତରେ ଦକ୍ଷତା ବିକାଶ ପରି ଆଉ ଏକ ଓଜନିଆ ବିଭାଗ ଯୋଡ଼ି ଦିଆଯାଇଥିଲା। ଆସନ୍ତା ଏପ୍ରିଲ୍‌ ୨ ତାରିଖରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ସରୁଛି। ସେ କେଉଁ ରାଜ୍ୟରୁ ପ୍ରାର୍ଥୀ ହେବେ, ସେ ନେଇ ଗତ କିଛି ଦିନ ହେଲା ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆକଳନ ଚାଲିଥିଲା। ଆଜି ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେପି ପକ୍ଷରୁ ତାଙ୍କ ପ୍ରାର୍ଥିତ୍ୱ ନେଇ ଘୋଷଣା କରାଯାଇଛି।

ପ୍ରତିକ୍ରିୟା ପ୍ରକାଶ କରି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ୨୦୧୨ରେ ସେ ଓଡ଼ିଶା ବାହାରୁ ରାଜ୍ୟସଭାକୁ ଯାଇଥିଲେ। ଏବେ ପୁଣି ଥରେ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରାର୍ଥୀ ଭାବେ ସ୍ଥିର କରିବା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ।

ସମ୍ବନ୍ଧିତ ଖବର