ନିର୍ବାଚନ କମିସନ ଗଲେ ଦିଲୀପ ତିର୍କୀ

ଜୁଏଲ୍‌ଙ୍କ ନିର୍ବାଚନ ପାଣ୍ଠି ଓ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗ

ନୂଆଦିଲ୍ଲୀ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନିର୍ବାଚନୀ ସତ୍ୟପାଠରେ ନିର୍ବାଚନ ପାଣ୍ଠି ଓ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗରେ ଆଜି ବିଜେଡିର ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ମୁଖ୍ୟ ନିର୍ବାଚନ କମିସନଙ୍କୁ ଭେଟି ବିଧିବଦ୍ଧ ଭାବେ ଅଭିଯୋଗପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ତିର୍କୀଙ୍କୁ ହରାଇ ଜୁଏଲ୍‌ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଆସନରେ ବିଜେତା ହୋଇଥିଲେ। ତେବେ ନିର୍ବାଚନ ପରେ ଜୁଏଲଙ୍କ ନିର୍ବାଚନୀ ଖର୍ଚ୍ଚ ସମ୍ପର୍କିତ ରିଟର୍ଣ୍ଣ ଫାଇଲ୍‌ରେ ଅନିୟମିତତା ଥିବା ବିଜେଡି ପକ୍ଷରୁ ଅଭିଯୋଗ ସହ ତାହାର ତଦନ୍ତ ଦାବି ହୋଇଥିଲା। ଆଜି ଦିଲୀପ ତିର୍କୀ ନିର୍ବାଚନ କମିସନଙ୍କୁ ଭେଟି ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏପରିକି ଜୁଏଲଙ୍କ ସଭ୍ୟପତ ରଦ୍ଦ ପାଇଁ ମଧ୍ୟ ସେ ଦାବି କରିଥିବା କଥା ଗଣମାଧ୍ୟମରେ କହିିଛନ୍ତି। ଆଜି ଦିଲୀପ ଅଭିଯୋଗପତ୍ର ଦାଖଲ କଲା ବେଳେ ତାଙ୍କ ସାଙ୍ଗରେ ଲୋକସଭା ଓ ରାଜ୍ୟସଭାର ୧୮ ଜଣ ବିଜେଡି ସାଂସଦ ଊପସ୍ଥିତ ଥିଲେ। ଅପରପକ୍ଷେ, ଏହି ମାମଲାକୁ ବିଜେଡି ବହୁ ଆଗରୁ ଗଣମାଧ୍ୟମରେ ପ୍ରକାଶ କରିଥିବା ବେଳେ ଆଜି କାହିଁକି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ହାଇକୋର୍ଟରେ ଦାଖଲ ନିର୍ବାଚନୀ ଅନିୟମିତତା ମାମଲାରେ ନିର୍ବାଚନ କମିସନ କିଭଳି ତର୍ଜମା କରୁଛନ୍ତି ତାହା ଅପେକ୍ଷା କରିଥଲେ ବୋଲି ସାଂସଦ ପ୍ରତାପ ଦେବ କହିଥିଲେ । ନିର୍ବାଚନ କମିସନ ଯେଉଁଭଳି ଆଇନକୁ ତର୍ଜମା କଲେ, ସେହିଭଳି ଭାବେ ତର୍କ ରଖାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର