ପୁରୁଣା-ନୂଆ ବଳ କଷାକଷି

ବିଜେପିରେ ଭିନ୍ନ ଏକ ଅସନ୍ତୋଷ

ଭୁବନେଶ୍ୱର : କଂଗ୍ରେସ ଭିତରେ ଲାଗି ରହିଥିବା ଅନ୍ତଃକନ୍ଦଳ ସଂପର୍କରେ ଗତ କିଛି ଦିନ ଧରି ସେଭଳି ଚର୍ଚ୍ଚା ଆଉ ନାହିଁ। ବିଜେଡି ଭିତରେ ଅନ୍ତଃକନ୍ଦଳ କୁହୁଳିବାରେ ଲାଗିଛି। ଆଗକୁ ଏହା ଭୀଷଣ ରୂପ ଧାରଣ କରିବା ସମ୍ଭାବନାକୁ ଏଡ଼ାଇ ଦେଇହେଉନାହିଁ। ହେଲେ ରାଜ୍ୟ ବିଜେପି ଭିତରେ ଏକ ବଡ଼ ଧରଣର ଅସନ୍ତୋଷ ମୁଣ୍ଡ ଟେକିପାରେ। ଏଭଳି ଆଭାସ ମିଳିଲାଣି। ଉପରକୁ ପ୍ରାୟ ସବୁ ଠିକ୍‌ ଠାକ୍‌ ଲାଗୁଥିଲେ ହେଁ, କଂଗ୍ରେସ ଓ ବିଜେଡି ଅପେକ୍ଷା ଏହାର ଆକାର ଟିକିଏ ବଡ଼ ଓ ପ୍ରଭାବୀ ଭଳି ମନେ ହେଉଛି। ପୁରୁଣା ବିଜେପି ଓ ନୂଆ ବିଜେପି ଏମିତି ଭାଷାରେ ଖୋଦ୍‌ ଦଳୀୟ ନେତାମାନେ ଚର୍ଚ୍ଚା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଅଧିକାଂଶ ନିର୍ବାଚନମଣ୍ଡଳୀରେ ଦଳର ତୃଣମୂଳ ସ୍ତର ପର୍ଯ୍ୟନ୍ତ ଏହା ଛୁଇଁଲାଣି।

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୯ ବର୍ଷ ଧରି ରାଜ୍ୟ ଶାସନରେ ବିଜେଡିର ଅଂଶୀଦାର ଦଳ ହିସାବରେ ଶାସନରେ ଥିଲା ବିଜେପି। ଦଳର ସବୁ ମୁଣ୍ଡିଆଳ ମନ୍ତ୍ରୀ ହୋଇଥିଲେ। ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ମନମୋହନ ସାମଲ, କନକ ବର୍ଧନ ସିଂହଦେଓ, ସମୀର ଦେ, ସୁରମା ପାଢ଼ୀ, ଜୟନାରାୟଣ ମିଶ୍ରଙ୍କ ଭଳି ନେତାମାନେ ସେତେବେଳେ ମନ୍ତ୍ରୀ ଥିଲେ ଓ ଦଳର କର୍ଣ୍ଣଧାର ସାଜିଥିଲେ। ଆଜି ଦିନରେ ଏହି ନେତାମାନଙ୍କ ମଧ୍ୟରୁ ଅନେକେ ଏବେବି ଗାଁ ଗଣ୍ଡାର କର୍ମୀଙ୍କ ପାଖରେ ଦଳର ଜଣେ ଜଣେ ଟାଣୁଆ ନେତା ଭାବେ ପରିଚିତ। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଦୁର୍ଯ୍ୟୋଧନ ମାଝୀ ପ୍ରମୁଖ ପରବର୍ତୀ ସମୟରେ ବିଜେପିକୁ ଆସିଛନ୍ତି ଓ କର୍ମୀଙ୍କ ଦ୍ୱାରା ଗ୍ରହଣୀୟ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ସୁରେଶ ପୂଜାରୀଙ୍କ ଭଳି ଆହୁରି ଅନେକ ବରିଷ୍ଠ ନେତା ଅଛନ୍ତି, ଯେଉଁମାନେ ଭୋଟ୍‌ ରାଜନୀତିରେ ସେତେ ସଫଳ ହୋଇନଥିଲେ ହେଁ କର୍ମୀଙ୍କ ଭିତରେ ସେମାନଙ୍କର ଗ୍ରହଣୀୟତା ରହିଛି।

ଅନ୍ୟପଟରେ ୨୦୧୪ରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଜେପି ରାଜନୀତିରେ ଯେଉଁ ଛୋଟ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଥିଲା, ତାହା ଏବେ ବିଶାଳ ଦ୍ରୁମ ଭଳି ପ୍ରତୀୟମାନ ହେଲାଣି। ବିଜେପିର ପତିଆରା ରାଜ୍ୟରେ ବଢ଼ିଛି, ଗ୍ରହଣୀୟତା ବି। ମାତ୍ର ଏକଦା ବିଜେପିର ଚେହେରା ପାଲଟିଥିବା ନେତାମାନେ ଧୀରେ ଧୀରେ ଏ ଦୃଶ୍ୟପଟ୍ଟରୁ ଉଭେଇବା ଆରମ୍ଭ କରିଛନ୍ତି। ସେମାନଙ୍କୁ ଆଉ ଆଗଭଳି ଗୁରୁତ୍ୱ ମିଳୁନି । ବିଶେଷ କରି ପଞ୍ଚାୟତ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପରେ ଦଳ ଯେଉଁ ଦିଗରେ ଗତି କରୁଛି, ସେଥିରେ ଦଳର ଏସବୁ ତୁଙ୍ଗ ନେତାମାନେ ନିଜ ସ୍ଥିତି ହଜିଯିବା ଭୟରେ ଭୟଭୀତ। କେବଳ ସେତିକି ନୁହେଁ, ବିଜେପି ବଢ଼ିବାର କାରଣ ବୋଲି କୁହାଯାଉଥିବା ଆର୍‌ଏସ୍‌ଏସ୍‌ ଭଳି ମୂଳ ସଂଗଠନଗୁଡ଼ିକର ଗୁରୁତ୍ୱ ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ପରିଲକ୍ଷିତ ହୋଇପାରୁନାହିଁ।

ଏଇଥିପାଇଁ ଯେ ଆଜି ଦିନରେ ଯେଉଁ ନେତାମାନଙ୍କୁ ଆୟୁଧ କରି ବିଜେପି ତା’ର ପତିଆରା ବଢ଼ିଥିବା ଦାବି ରଖୁଛି, ସେମାନଙ୍କ ମଧ୍ୟରୁ କିଏ କଂଗ୍ରେସରୁ ତ ଆଉ କିଏ ବିଜେଡିରୁ ଆସିଛନ୍ତି। ପୁଣି ସେଥିରେ ଅଛନ୍ତି କେତେ ଜଣ ବିଦ୍ରୋହୀ ବିଜେଡି ବା କଂଗ୍ରେସ ନେତା। ଏବେ ସେମାନେ ବିଜେପି ଭିତରେ ଭବିଷ୍ୟତ ଗଢ଼ିବା ଲାଗି ସ୍ୱପ୍ନ ଦେଖୁଛନ୍ତି। ଆଉ ଏମାନଙ୍କୁ କେନ୍ଦ୍ରରେ ରଖି ବିଜେପି ମଧ୍ୟ ୧୨୦+ ସ୍ୱପ୍ନ ଦେଖୁଛି ଓ କ୍ଷମତା ଦଖଲର ଭାଷା କହୁଛି।

ତେବେ ଏହି ଦୁଇଟି କ୍ରିୟାର ପ୍ରତିକ୍ରିୟାରୁ ଏକ ଭୟାନକ ଚିତ୍ର ସାମ୍ନାକୁ ଆସିବା ଆରମ୍ଭ କଲାଣି। ନେତୃତ୍ୱର ଅଲକ୍ଷ୍ୟରେ ଦଳ ପୁରୁଣା-ନୂଆ ଏଭଳି ଦୁଇ ଭାଗରେ ବିଭକ୍ତ ହେବାକୁ ଯାଉଛି। ଯେଉଁମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱୀକୃତି ସହିତ ବିଜେପିରେ ସାମିଲ ହୋଇଛନ୍ତି, କିଛି ଦିନ ତଳେ ସେମାନେ ଖୁସିରେ ଗଦ୍‌ ଗଦ୍‌ ହେଉଥିଲେ ଏବେ ସେମାନଙ୍କ ମୁହଁରେ ଆଉ ଆଗଭଳି ସରସତା ବା ଉତ୍ସାହ ଦେଖିବାକୁ ମିଳୁନାହିଁ। ଏମାନଙ୍କୁ କେନ୍ଦ୍ରମନ୍ତ୍ରୀ ବା ତାଙ୍କ ସହଯୋଗୀଙ୍କ ଛଡ଼ା ଦଳରେ ଆଉ କେହି ଲୋଡୁନାହାନ୍ତି। ମୂଳ ବିଜେପି ତାଙ୍କୁ ଗ୍ରହଣ କରିପାରୁନାହିଁ। ଏ କ୍ଷେତ୍ରରେ ମନ୍ତ୍ରୀଙ୍କ ଦ୍ୱାରା କ୍ଷମତାଶାଳୀ ଗୋଷ୍ଠୀ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିପାରୁନାହାନ୍ତି।

ସେହିଭଳି ୨୦୧୪ ପରେ ଦଳକୁ ଆସିଥିବା କିଛି ନୂଆ ମୁହଁ ଏବେ ସେଲିବ୍ରିଟି ପାଲଟିଗଲେଣି। ସ୍ଥଳବିଶେଷରେ ସେମାନଙ୍କ ଲୋକପ୍ରିୟତା ହାସଲର ହାର ମନ୍ତ୍ରୀଙ୍କ ତୁଳନାରେ ଅଧିକ ବୋଲି ବିବେଚନା କରାଯାଉଛି। ତା’ ସତ୍ତ୍ୱେ ଭୋଟରଙ୍କ ମଧ୍ୟରେ ସେମାନଙ୍କର ଗ୍ରହଣୀୟତା ବଢୁନି। ଆଚରଣ ଓ ଉଚ୍ଚାରଣ କାରଣରୁ ନିଜ ଦଳର ପୁରୁଖା ନେତାମାନଙ୍କ ଚେହେରା ଆଗରେ ସେମାନେ ଅପେକ୍ଷାକୃତ ମଳିନ ଦିଶୁଛନ୍ତି। କିଛି ବରିଷ୍ଠ ନେତାଙ୍କ ମତରେ ସଂଗଠନଠାରୁ ଆରମ୍ଭ କରି ଗୋଟିଏ ଦଳ ପାଇଁ ଆଉ ଯାହା ସବୁ ଉପାଦାନ ଦରକାର, ସେସବୁରେ ସେମାନେ ବୋଧହୁଏ ପାରଙ୍ଗମ ନୁହନ୍ତି।

ଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ରାଜ୍ୟରେ ବିଜେପି ଆଗଉଛି। ତୁଙ୍ଗ ନେତାଙ୍କ ପାରିବାପଣିଆ ଓ କାର୍ଯ୍ୟଶୈଳୀ ସଂପର୍କରେ ନେତୃତ୍ୱ ଯେତିକି ବାଛବିଛାର ରଖୁଛନ୍ତି, ଅନ୍ୟ ଦଳର ନେତାଙ୍କୁ ଆଣିବା ବେଳେ ସେତିକି ସତର୍କ ରହିବା ଦରକାର ହେଉଛି। ଏକ ସ୍ୱତନ୍ତ୍ର ବିଚାରଧାରା ଦଳ ହୋଇଥିବା ପରିପ୍ରେକ୍ଷୀରେ ନେତୃତ୍ୱ ଯଦି ଏ ଦିଗରେ ଦୃଷ୍ଟି ନ ଦିଅନ୍ତି, ତେବେ ଅବାଞ୍ଛିତ ନେତାଙ୍କ ଗୁରୁତ୍ୱ ବୃଦ୍ଧି ଆଗକୁ ସମସ୍ୟା ତ ଆଣିବ, ସମାନ୍ତରାଳ ଭାବେ କଳଙ୍କ, ଅପାରଗତା ବୋଝରେ ଦଳର ଗେରୁଆ ଚେହେରା ଧୂସର ଦେଖାଯିବା ସମ୍ଭାବନାକୁ ଏଡ଼ାଇ ହେବନାହିଁ। କେବଳ ସେତିକି ନୁହେଁ, ବିରୋଧ କରିବା ଖାତିରରେ ବିଜେପିର ଏ ତଥାକଥିତ ନୂଆ ଚେହେରାର ପ୍ରଦର୍ଶନ ବା ବିରୋଧ ସମ୍ଭବତଃ କେଉଁଠି ନା କେଉଁଠି ଅନଭିଜ୍ଞତା ସଂପର୍କରେ ଭିନ୍ନ ଏକ ସଙ୍କେତ ଦେଉଛି। ବିଜେଡି ତୁଳନାରେ ନେତାମାନେ ଅଧିକ ଦକ୍ଷ ବୋଲି ଏକ ଧାରଣା ସୃଷ୍ଟି ହୋଇପାରୁନାହିଁ, ବରଂ ନେତୃତ୍ୱର ହାଲୁକାପଣ ବାରି ହୋଇପଡୁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, କିଏ ଟିକେଟ୍‌ ପାଇବ ଓ କାହାକୁ ନେଇ ଦଳ ଆଗକୁ ଚାଲିବ, ତାହା ଏଯାଏ ସ୍ପଷ୍ଟ ହୋଇନଥିବା ପରିପ୍ରେକ୍ଷୀରେ ଏବେ ଦଳୀୟ ନେତାଙ୍କ କନ୍ଦଳ ବିଜେପି ସଂଗଠନକୁ ଦି’ ଭାଗ କରିବାକୁ ବସିଲାଣି। କୋରାପୁଟରୁ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ଅଧିକାଂଶ ଆସନର ଏସବୁ ଜାରି ରହିଲେ, ଦଳ ଆସନ୍ତା ଦିନରେ ସରକାରକୁ ପ୍ରତିରୋଧ କରିବା ନେଇ ସନ୍ଦେହ ସୃଷ୍ଟି ହେଲାଣି।

ସମ୍ବନ୍ଧିତ ଖବର