ବିଜୟଙ୍କ ବିଦାୟ ରାସ୍ତା ଖୋଲିଲା

କେନ୍ଦ୍ରାପଡ଼ା ଜିଲ୍ଲା କମିଟିରୁ ବହିଷ୍କୃତ, ବିଦା ପାଇଁ ସୁପାରିସ

ଟିଟୋ, ହାଇଦରଙ୍କ ଭଳି ବିଜୟ କ୍ରିମିନାଲ ସର୍ଦାର: ଉତ୍କଳ

ମହାନଦୀ, ନିଯୁକ୍ତି ପ୍ରସଙ୍ଗ ଉଠାଇବା ଯଦି ଅପରାଧ, ମୁଁ ଅପରାଧୀ: ବିଜୟ

କେନ୍ଦ୍ରାପଡା/ ଭୁବନେଶ୍ୱର : ବିଜେପିରୁ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଦା କରିବା ଲାଗି ଶେଷରେ ନେତୃତ୍ୱ ବାଟ ଖୋଲିଛନ୍ତି। ସିଧା ସିଧା କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ଦ୍ୱାରା ଏହାର ଆରମ୍ଭ କରାଯାଇଛି। ପ୍ରଥମ ପଦକ୍ଷେପ ସ୍ୱରୂପ କେନ୍ଦ୍ରାପଡା ଜିଲ୍ଲା କମିଟିରୁ ଶ୍ରୀ ମହାପାତ୍ର ବହିଷ୍କାର ହୋଇଛନ୍ତି। ଏଥିସହିତ ତାଙ୍କୁ ଦଳରୁ ସମ୍ପୂର୍ଣ୍ଣ ଭାବେ ବହିଷ୍କାର ଲାଗି ସୁପାରିସ କରିଛି କେନ୍ଦ୍ରାପଡ଼ା ୟୁନିଟ୍‌। ଆଜି କେନ୍ଦ୍ରାପଡା ଗୋପସ୍ଥିତ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ ଏ ସଂପର୍କରେ ଘୋଷଣା କରିଥିଲେ। ଏକଥା ବି କହିଥିଲେ, ଗତକାଲି ଗଣ୍ଡଗୋଳ ଭିଆଇଥିବା ସୁକାନ୍ତ ଦ୍ୱିବେଦୀ, ଅମୀୟ ପରିଜା, ପ୍ରଫୁଲ୍ଲ ସିଂହ, ପ୍ରୀତିଶ ମହାପାତ୍ର, ଅରୁଣ ପଣ୍ଡା, କ୍ଷୀତିଶ ଦାସ, ଅମୀୟ ନାୟକ, ପ୍ରଶାନ୍ତ ପଣ୍ଡାଙ୍କୁ ମଧ୍ୟ ବହିଷ୍କାର ପାଇଁ ସୁପାରିସ କରାଯାଇଛି। ଏହା ଦ୍ୱାରା ଦଳ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଯେ ବିଜୟଙ୍କ ନିଜ ଜିଲ୍ଲା କେନ୍ଦ୍ରାପଡ଼ାରେ ଦଳ ଆଉ ତାଙ୍କ ସହ ନାହିଁ।

ଅନ୍ୟପକ୍ଷରେ ଏକଦା ବିଜୟଙ୍କ ଅନୁଗତ ଭାବେ ଜଣାଶୁଣା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଆଜି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି, ଜିଲ୍ଲାରେ କେବଳ ହାଇଦର, ଟିଟୋ ଭଳି ଗ୍ୟାଙ୍ଗଷ୍ଟର ନୁହନ୍ତି, ବରଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଜଣେ କ୍ରିମିନାଲ ସର୍ଦ୍ଦାର। ଉତ୍କଳଙ୍କ ଏହି ମନ୍ତବ୍ୟ ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ମହାନଦୀ ପ୍ରସଙ୍ଗରେ ବିଷୋଦ୍‌ଗାର କରି ଦଳର ଟାର୍ଗେଟ୍‌ରେ ରହିଥିଲେ ବିଜୟ। ଏହା ବିରୋଧରେ କିଛିଦିନ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ନେତାମାନେ ଶ୍ରୀ ମହାପାତ୍ରଙ୍କର ବହିଷ୍କାର ଦାବି କରି ଆସୁଥିଲେ। ଗତକାଲି ଗରଦପୁର ବ୍ଲକ୍‌ର ସିଙ୍ଗିଟିଆ ସିଦ୍ଧବଟ ଠାରେ ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜୟଙ୍କ ସମର୍ଥକ ଗଣ୍ଡଗୋଳ କରିବା ସହିତ ସଭାମଞ୍ଚକୁ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ଦଳ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଥିଲା। ଏହାକୁ ଆଳ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ସୁଯୋଗ ପାଇଯାଇଛି।

ତେବେ ଜିଲ୍ଲା କମିଟିରୁ ବହିଷ୍କାର ପରେ ଦଳ ଆଗକୁ କି ପଦକ୍ଷେପ ନେବ ତାହାକୁ ସବୁ ମହଲରେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ସମାନ୍ତରାଳ ଭାବେ ବିଜୟଙ୍କ ଉପରେ ମଧ୍ୟ ନଜର ରହିଛି।

ଏକ ଲିଖିତ ପ୍ରତିକ୍ରିୟାରେ ବିଜୟ କହିଛନ୍ତି, ଓଡିଶାର ୧୪ଟି ଜିଲ୍ଲାର ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ମହାନଦୀ ପ୍ରସଙ୍ଗ ଉଠାଇବା ଯଦି ଅପରାଧ, ତେବେ ସେ ଅପରାଧି। ଆଇଓସିଏଲ୍‌ରେ ଓଡିଶା ଯୁବକଙ୍କୁ ନିଯୁକ୍ତି ପ୍ରଶ୍ନ ଉଠାଇବା ଯଦି ଯର୍ଥାତ ନୁହେଁ ଏବଂ ଏହାକୁ ଅପରାଧ ଭାବରେ ବିଚାର କାରଯାଏ, ତେବେ ସେ ଅପରାଧୀ। ଆତ୍ମ ମର୍ଯ୍ୟାଦା ଓ ଆତ୍ମ ସମ୍ମାନ ରକ୍ଷାକରି ଯଦି ରାଜନୀତି କରାଯିବା ଏକ ଅପରାଧ, ତେବେ ସେ ଅପରାଧି। କେବଳ ସେତିକି ନୁହେଁ, ଦଳ ଭିତରେ ଚାଟୁକାର ଓ ଦଲାଲି ନ କରିବା, ଅଂହକାରୀ ଓ ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପକୁ ବିରୋଧ କରିବା ଯଦି ଅପରାଧ, ତେବେ ସେ ଅପରାଧି।

ପ୍ରକାଶଥାଉକି, ବିଜେପି ପରି ଏକ ଜାତୀୟ ଦଳର ଜଣେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ବିରୋଧରେ ଜିଲ୍ଲା କମିଟିର ଏପରି କାର୍ଯ୍ୟାନୁଷ୍ଠାନ ବିରଳ। ଏହା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ରୋଚକ ମୋଡ଼ ଦେଇଛି। କାରଣ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବଳ ରାଷ୍ଟ୍ରୀୟ ନେତୃତ୍ୱ ହିଁ ନେଇପାରିବେ। ନିଜେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ଏ ନେଇ ପୂର୍ବରୁ ସୂଚନା ଦେଇଥିଲେ। ତେବେ ଆଜି ବସନ୍ତ କିନ୍ତୁ ମତ ପରିବର୍ତନ କରିଛନ୍ତି। କହିଛନ୍ତି, କେନ୍ଦ୍ରାପଡା ଜିଲ୍ଲା ୟୁନିଟ୍‌ ତାଙ୍କୁ ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ। ସେମାନେ ବହିଷ୍କାର କରିପାରିବେ, ସେ କ୍ଷମତା ତାଙ୍କର ଅଛି।

ଆଜିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଖବର ପ୍ରଚାର ପରେ ନିଜ ପ୍ରତିକ୍ରିୟାରେ ବିଜୟ କହିଥିଲେ, ବହିଷ୍କାର ନେଇ ତାଙ୍କ ପାଖରେ କିଛି ଲେଖା ପହଞ୍ଚିନି। ତାଙ୍କ ସହ କିଏ ଆଲୋଚନା କରି ନାହାନ୍ତି। ଯଦି ଜିଲ୍ଲା ସଭାପତି ଏପରି ନିଷ୍ପତ୍ତି ନେଇଛନ୍ତି, ତାଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁମାନେ ଏହି ବୁଦ୍ଧି ଦେଉଛନ୍ତି, ସେମାନଙ୍କୁ ବି ଧନ୍ୟବାଦ। କିଛି ଦିନ ହେଲା ଲକ୍ଷ୍ୟ କରୁଛି ଯେ ଦଳର ଏକମାତ୍ର କାମ ହେଲା ବିଜୟ ମହାପାତ୍ର ବିରୋଧରେ ଲଢ଼ିବା। ଲୋକଙ୍କ ପାଇଁ ସରକାରଙ୍କ ବିରୋଧରେ ଲଢ଼ିବା ଆଉ ଏଜେଣ୍ଡା ନାହିଁ। ଯେଉଁମାନେ ଚକ୍ରାନ୍ତ କରୁଛନ୍ତି ମୋତେ ବାହାର କରିବା ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଯଦି ମୋତେ ବହିଷ୍କାର କରି ଦଳ ଶକ୍ତିଶାଳୀ ହେବ ବୋଲି ସେମାନେ ଭାବୁଛନ୍ତି, ତେବେ ତାହା ଖୁସିର କଥା।

ଅପର ପକ୍ଷରେ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ତାଚ୍ଛଲ୍ୟ କରି କହିଛନ୍ତି, ଜଣେ ନିଜର ନଖକୁ କାଟି ଯଦି ସହିଦ ହେବାର ମାନସିକତା ରଖିଥାଏ, ତେବେ ସେ ଖୁସି ହୁଅନ୍ତୁ। ଦଳରେ ଅନେକ ଲୋକ ମିଶୁଛନ୍ତି। ଗତକାଲି କେନ୍ଦ୍ରାପଡ଼ାରେ ବି ମିଶିଲେ। କିନ୍ତୁ ଶ୍ରୀ ମହାପାତ୍ରଙ୍କ ସମର୍ଥକମାନେ ଗୁଣ୍ଡାଗିରି କରି ଯେପରି ବିଶୃଙ୍ଖଳା କଲେ ତାହା ଆଦୌ ଗ୍ରହଣୀୟ ନୁହେଁ। ବରିଷ୍ଠ ନେତାମାନେ ଦଳର ଶୃଙ୍ଖଳା ମାନିବା ଉଚିତ। ଜିଲ୍ଲା ସଭାପତି ତାଙ୍କ ପରିଧି ଭିତରେ ଯାହା କରିଛନ୍ତି। ସେ ରାଜ୍ୟ ସଭାପତିଙ୍କ ପାଖକୁ ସୁପାରିସ୍‌ କରିଥିବା ଜଣାପଡ଼ିଛି। ସୁପାରିସ୍‌ ମିଳିଲା ପରେ ରାଜ୍ୟ କମିଟି ଆବଶ୍ୟକ ସମୀକ୍ଷା କରିବ।

ଉଲ୍ଲେଖଯୋଗ୍ୟ, ବିଜେପି ବିଜୟଙ୍କୁ ରଖିବା ମୁଡ୍‌ରେ ନାହିଁ। ବିଜୟ ବି ଆଉ ବିଜେପିରେ ରହିବା ମୁଡ୍‌ରେ ନାହାନ୍ତି। ଉଭୟ ପରସ୍ପର ଠାରୁ ଦୂରତା ଅବଲମ୍ବନ କରୁଛନ୍ତି। କେତେବେଳେ ବିଜୟ ବିଜେପିକୁ ଅଡ଼ୁଆରେ ପକାଉଛନ୍ତି ତ କେତେବେଳେ ବିଜେପି ବିଜୟଙ୍କୁ ଖୋଲା ସମାଲୋଚନା କରୁଛି। ପାରାଦୀପ ତୈଳ ବିଶୋଧନାଗାରରେ ଓଡ଼ିଆଙ୍କ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ବିଜୟ ଖୋଲା ପ୍ରଶ୍ନ କରିଥିଲେ। ଯଦିଓ ଧର୍ମେନ୍ଦ୍ର ତାହାର ଉତ୍ତର ଦେଇ ନ ଥିଲେ, ତେବେ ବିଜେପିର ଅନ୍ୟ ନେତାମାନେ ଉତ୍ତର ରଖିଥିଲେ। କିନ୍ତୁ ବିଜୟ ସେମାନଙ୍କୁ ପାଲଟା ସମାଲୋଚନା କରି କହିଥିଲେ, ରାଜ୍ୟ ବିଜେପି ଆଇଓସିଏଲ୍‌ର ଦଲାଲ ସାଜିଛି। ଯାଜପୁରରେ ଯେଉଁ ଓ୍ଵାର୍ଡରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ‘ମୋ ବୁତ୍‌ ସବୁଠୁ ମଜବୁତ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ସେଠାରେ ବିଜେପି ହାରିଲା ବୋଲି ଦର୍ଶାଇ ବିଜୟ ତାଙ୍କର ମିସନ୍‌ ୧୨୦କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର