ବିଜେଡ଼ିରେ ଯୋଗଦେଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ

ଭୁବନେଶ୍ୱର: ଖରିଆର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ ଶନିବାର ବିଜୁ ଜନତା ଦଳରେ ଯୋଗ ହୋଇଛନ୍ତି। ନବୀନ ନିବାସରେ ଦଳୀୟ ସୁପ୍ରିମୋଙ୍କୁ ଭେଟି ସେ ବିଜେଡିରେ ସାମିଲ ହୋଇଛନ୍ତି। ଦୁର୍ଯ୍ୟୋଧନ ଆଜି ନିଜର ଶତାଧିକ କର୍ମୀଙ୍କ ସହିତ ନବୀନ ନିବାସ ପହଂଚି ଦଳରେ ମିଶି ଥିଲେ। ପୂର୍ବରୁ ସେ ବିଜୁ ଜନତା ଦଳରେ ଥିଲେ ଏବଂ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ।

ସୂଚନାଯୋଗ୍ୟ, ୨୦୧୪ରେ ତାଙ୍କୁ ଟିକେଟ୍ ନ ମିଳିବାରୁ ଦୁର୍ଯ୍ୟୋଧନ ମାଝୀ ଭାରତୀୟ ଜନତା ପାର୍ଟିକୁ ଚାଲି ଯାଇଥିଲେ। ଗତ ଶୁକ୍ରବାର ସେ ସମାନ କାରଣ ଲାଗି ବିଜେପିରୁ ଇସ୍ତଫା ଦେଇଥିଲେ। ନିଜର ଇସ୍ତଫା ପତ୍ରକୁ ସେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଥିଲେ। ଇସ୍ତଫା ପତ୍ରରେ ସେ ଲେଖିଥିଲେ, ଆଗାମୀ ବିଧାନସଭା ନିର୍ବାଚନରେ ଖରିଆର ଆସନରୁ ତାଙ୍କୁ ଟିକେଟ ମିଳି ନଥିବାରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଖରିଆର ଆସନ ପାଇଁ ହିତେଶ ବଗର୍ତ୍ତିଙ୍କ ସ୍ତ୍ରୀ ରୀତାରାଣୀ ବଗର୍ତ୍ତିଙ୍କୁ ଟିକେଟ ଦେଇଛି।

ସମ୍ବନ୍ଧିତ ଖବର