ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ରାଜଧାନୀରେ କସରତ୍‌ ଜୋର୍‌ଦାର୍‌ ଚାଲିଛି। ଗୋଟିଏ ପଟେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚଳାଇଥିଲା ବେଳେ ଅନ୍ୟ ପଟେ ରାଜନୈତିକ ଦଳଗୁଡ଼ିକ ଗୋଟି ଚାଳନା କରୁଛନ୍ତି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସର୍ବଦଳୀୟ ବୈଠକ ଡାକି ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ଏପଟେ ଜିଲ୍ଲାପାଳ, ଏସ୍‌ପି ଓ ଥାନା ଅଧିକାରୀଙ୍କ ତୁରନ୍ତ ବଦଳି ପାଇଁ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Advertisment

ମୁଖ୍ୟ ନିର୍ବାଚନ ଅଧିକାରୀ ଡି ଏନ୍‌ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲେ ବି କେବଳ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରତିନିଧି ଉପସ୍ଥିତ ଥିଲେ। ଅନ୍ୟ କୌଣସି ଦଳର ପ୍ରତିନିଧି ବୈଠକକୁ ଆସି ନ ଥିଲେ। ଉପନିର୍ବାଚନରେ ସମସ୍ତ ବୁଥ୍‌ରେ ଇଭିଏମ୍‌ ମେସିନ୍‌ ଓ ଭିଭିପ୍ୟାଟ୍‌ର ବ୍ୟବହାର, ଭୋଟ୍‌ ଗ୍ରହଣ ସମୟରେ ଭୋଟର୍‌ମାନଙ୍କ ପରିଚୟ ପତ୍ର, ଆଦର୍ଶ ଆଚରଣ ବିଧିର ପାଳନ ସମ୍ପର୍କରେ ଶ୍ରୀ ଗୁପ୍ତା ଆଲୋଚନା କରିଥିଲେ। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ କରାଇବା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ବୈଠକରେ ବିଜେଡି ପକ୍ଷରୁ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ପକ୍ଷରୁ ମୁଖପାତ୍ର ଗୋଲକ ମହାପାତ୍ର, କଂଗ୍ରେସ ପକ୍ଷରୁ ଲଲାଟେନ୍ଦୁ ମହପାାତ୍ର, ସୁଶାନ୍ତ ତ୍ରିପାଠୀ, ଉପେନ୍ଦ୍ର ସାମନ୍ତରାୟ ଓ ସିଦ୍ଧାର୍ଥ ମହାନ୍ତି ଯୋଗ ଦେଇଥିଲେ। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ ଉପସ୍ଥିତ ଥିଲେ।

ଅପର ପକ୍ଷରେ ବିଜେପୁରରେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ନେଇ ଆଶଙ୍କା ପ୍ରକଟ କରି ଆଜି ବିଜେପିିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ। ଦଳ ପକ୍ଷରୁ କୁହାଯାଇଛି, ବରଗଡ଼ ଜିଲ୍ଲାପାଳ ଶାସକ ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରିବା ସହ ତାଙ୍କ ଅଧୀନସ୍ଥ ସରକାରୀ ଅଧିକାରୀମାନଙ୍କୁ ବିଜେଡି ପାଇଁ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି। ସମସ୍ତ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା କହି ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେହିପରି ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ପୁଲିସ୍‌ ବାହିନୀ ମିଳିତ ଭାବେ ବିଜେପି ସମର୍ଥକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିବା ସହ ସେମାନଙ୍କୁ ମିଥ୍ୟା ମକଦ୍ଦମାରେ ଛନ୍ଦି ଦେବାର ଧମକ ଦେଉଛନ୍ତି। ବିଜେପୁର, ଗାଇସିଲଟ ଓ ବରପାଲିର ଥାନାଧିକାରୀମାନେ ଏହି କାର୍ଯ୍ୟରେ ମାତିଛନ୍ତି। ତେଣୁ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲାପାଳ, ଏସ୍‌ପି ଓ ତିନି ଥାନାଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ବିଜେପି ପ୍ରତିନିଧିମାନେ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ସଜ୍ଜନ ଶର୍ମା, ପିତାମ୍ବର ଆଚାର୍ଯ୍ୟ, ଗୋଲକ ମହାପାତ୍ର, ଦିଲ୍ଲୀପ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।