ଗୋଳମାଳିଆ ଧରିବ ରାଜନୈତିକ ଅଙ୍କ!

୨୦୧୯ ନିର୍ବାଚନ ସଂଖ୍ୟାଖେଳକୁ ନେଇ ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର : ନିର୍ବାଚନୀ ପ୍ରସଙ୍ଗ କ’ଣ ହେବ, ସେ ଚିତ୍ର ଏବେ ବି ଅସ୍ପଷ୍ଟ। ଦଳୀୟ ନେତାଙ୍କ ଦବ୍‌ଦବା ରହିବ ନା ପ୍ରସଙ୍ଗ ଭୋଟରଙ୍କ ମନ ବଦଳାଇବ, ତାହା ବି ସ୍ପଷ୍ଟ ହୋଇନାହିଁ। ନିର୍ବାଚନରେ ବଡ଼ ଧରଣର ପ୍ରଭାବ ରଖିଆସିଥିବା ଛୋଟ ରାଜନୈତିକ ଦଳର ଭୂମିକା ସଂପର୍କରେ ଆକଳନ କରାଯାଇ ପାରିନାହିଁ। କାହା ନେତୃତ୍ୱରେ କେଉଁ ରାଜନୈତିକ ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ, ତାହା ଏବେଠାରୁ କହିବା ମୁସ୍କିଲ୍‌। ବିଶେଷକରି ମତଦାତାଙ୍କ ଉପରେ ବଡ଼ ଧରଣର ପ୍ରଭାବ ରଖୁଥିବା କିଛି ତୁଙ୍ଗ ନେତା କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଉପରୁ ପରଦା ହଟିନାହିଁ।

ଅଥଚ ଆଗାମୀ ନିର୍ବାଚନର ୧୮ମାସ ପୂର୍ବରୁ କିଏ କେତେ ଆସନ ପାଇବ ସେ ନେଇ ରାଜନୈତିକ ଦଳମାନେ ପ୍ରକାଶ କରିଥିବା ଦମ୍ଭୋକ୍ତି ଭୋଟରମାନଙ୍କ ମଧ୍ୟରେ କୌତୂହଳ ବଢ଼ାଇ ଦେଇଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଏହି ସଂଖ୍ୟା ଖେଳକୁ ନେଇ ଜାରି ରଖିଥିବା ପୋଷ୍ଟର ଯୁଦ୍ଧ ଏବଂ ସୋସିଆଲ ମିଡିଆରେ ନିଜ ନିଜ ସପକ୍ଷରେ ବୟାନବାଜି ରାଜନୈତିକ ମହଲରେ ବିସ୍ମୟ ସୃଷ୍ଟି କରିଛି। ଏହି ବୟାନବାଜିକୁ କେହି ‘ଅପରିପକ୍ୱ’ ବୋଲି ବର୍ଣ୍ଣନା କରିଥିବା ବେଳେ ଅନ୍ୟ କେତେକଙ୍କ ମତରେ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସୂତ୍ରପାତ ହେବ।

ଏହା ରାଜନୈତିକ ଦଳମାନଙ୍କର ଅଙ୍କକୁ ଗୋଳମାଳିଆ କରିଦେଇପାରେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନକୁ ଅନେକ ଦୃଷ୍ଟିକୋଣରୁ ରାଜନୈତିକ ପଣ୍ଡିତମାନେ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଶାସନ କରୁଥିବା ବିଜେଡି ପଞ୍ଚମ ଥର କ୍ଷମତାକୁ ଆସିବା ଲାଗି କସରତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଓଡ଼ିଶା ଉପରେ କେତେ ପରିମାଣରେ ପଡ଼ିବ ତାହା ବିଜେପିର ଭାଗ୍ୟ ନିର୍ଧାରଣ କରିବ। ଏହାସହିତ ଓ଼ଡ଼ିଶା ରାଜନୀତିରେ ଦୀର୍ଘ ଦଶନ୍ଧି ଧରି ପ୍ରମୁଖ ଭାଗରେ ରହି ଭୋଟ ବ୍ୟାଙ୍କକୁ ଏପଟସେପଟ କରୁଥିବା ନେତାମାନଙ୍କ ଭୂମିକା ଆସନ୍ତା ସାଧାରଣ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ। ଏହି ସମ୍ଭାବନାକୁ ଏଡ଼ାଇ ହେବ ନାହିଁ।

୧୯୭୦ରୁ ଅର୍ଥାତ୍‌ ପାଖାପାଖି ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା ରାଜନୀତିରେ ତଥା କଂଗ୍ରେସ ଭୋଟ ବ୍ୟାଙ୍କରେ ବଡ଼ ଧରଣର ପ୍ରଭାବ ରଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ୨୦୧୪ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ ନ କରିଥିଲେ ମଧ୍ୟ ତାଙ୍କ ହସ୍ତମୁଦି ମାହଲ ଭାବେ ବିବେଚିତ କିଛି ଅଞ୍ଚଳରେ ତାଙ୍କର ପ୍ରଭାବ ସ୍ପଷ୍ଟ ବାରି ହୋଇପଡିଥିଲା। ହେଲେ ଏହି ଦିବଂଗତ ନେତାଙ୍କ ଅବର୍ତମାନରେ ୨୦୧୯ ନିର୍ବାଚନ ଲଢ଼ାଯିବ। ଜାନକୀଙ୍କ ସହିତ ରହିଥିବା ନେତା ଓ ଭୋଟର କି ଆଭିମୁଖ୍ୟ ଗ୍ରହଣ କରିବେ? କଂଗ୍ରେସ ସହିତ ରହିବେ ନା କଡ଼ ଲେଉଟାଇବେ, ତାହାର ପରୀକ୍ଷା ନିରୀକ୍ଷା ହେବ ଆସନ୍ତା ନିର୍ବାଚନରେ।

କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏହି ନିର୍ବାଚନ ଶେଷ ସୁଯୋଗ ବୋଲି କୁହାଯାଉଛି। ନିରଞ୍ଜନଙ୍କୁ ନେଇ ଓଡ଼ିଶା ରାଜନୀତିରେ ଗତ କିଛି ଧରି ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲେ ହେଁ, ତାଙ୍କ ଦଳ କଂଗ୍ରେସ ତାଙ୍କୁ କେତେ ଗୁରୁତ୍ୱ ଦେବ, ତାହା ଉପରୁ ରହସ୍ୟ ହଟିନାହିଁ।

ସ୍ୱାଭାବିକ ଭାବେ ଓଡ଼ିଶା ରାଜନୀତିରେ ନିଜର ଛାପ ଛାଡିବା ଲାଗି ଏହି ନିର୍ବାଚନରେ ସେ ନିଜର ୪୦ବର୍ଷର ଅଭିଜ୍ଞତା ସହିତ କଳବଳ ପ୍ରୟୋଗ କରିବା ପାଇଁ ଚାହିଁବା ଅସ୍ୱାଭାବିକ ନୁହେଁ। ଅନ୍ୟପକ୍ଷରେ ନିରଞ୍ଜନ ପିସିସି ସଭାପତି ହେବେ ବୋଲି ଭରସା କରି ରହିଥିବା ନେତାମାନେ ବି ତାଙ୍କ ନିଷ୍ପତ୍ତିକୁ ଝୁଲାଇ ରଖିଛନ୍ତି। ଏଣୁ ଯେକୌଣସି ମୁହୂର୍ତରେ ଏସବୁ ନେତାମାନେ ସେମାନଙ୍କ ରାୟ ଶୁଣାଇପାରନ୍ତି।

ଏହାବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀଙ୍କ ପର୍ଯ୍ୟନ୍ତ ପାଖାପାଖି ଡଜନେରୁ ଅଧିକ ନେତାଙ୍କ ରାଜନୈତିକ ଭବିଷ୍ୟତ ଏହି ନିର୍ବାଚନ ପରେ ଅସ୍ତ ହେବାର ସମ୍ଭାବନା ରଖୁଛି। ଏହି ପରିପ୍ରେକ୍ଷୀରେ ସେମାନେ ନିଜର ଶେଷ ସାମର୍ଥ୍ୟ ପ୍ରୟୋଗ କରିପାରନ୍ତି।

ବିଜେଡି ଛାଡିବା ପରେ ବ୍ରଜ କିଶୋର ତ୍ରିପାଠୀ ନିଜେ ନିର୍ବାଚିତ ହୋଇପାରିନଥିଲେ ହେଁ ତାଙ୍କ ସମତାକ୍ରାନ୍ତି ଦଳ ବିଧାନସଭାରେ ପ୍ରବେଶ କରିଛି। ବରିଷ୍ଠ ନେତା ତଥା ଉତ୍କଳ ଭାରତର ମୁଖିଆ ଐର ଖାରବେଳ ସ୍ୱାଇଁଙ୍କ ପ୍ରଭାବ ଅବିଭକ୍ତ ବାଲେଶ୍ୱରରେ ରହିଛି। ବିଜେଡି-ବିଜେପି-କଂଗ୍ରେସ ଟକରାଟକରି ବେଳେ ଏଭଳି ଛୋଟ ଛୋଟ ଦଳର ନେତାଙ୍କ ଭୂମିକା ସେମାନଙ୍କ ନିର୍ବାଚନମଣ୍ଡଳୀସ୍ତରରେ ପଡ଼ିବ ହିଁ ପଡ଼ିବ।

ସମାନ୍ତରାଳ ଭାବେ ଓଡ଼ିଶାର ଅଣକଂଗ୍ରେସ ରାଜନୀତିକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଭିନ୍ନ ସମୟରେ ନିୟନ୍ତ୍ରଣ କରି ଆସିଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଭଳି କିଛି ନେତାଙ୍କ ପାଇଁ ଏହି ନିର୍ବାଚନ ଏକ ଆହ୍ଵାନ ରଖୁଛି।

୧୯୮୦ ମସିହାରୁ ବିଜୟ ପ୍ରଭାବ ରଖିଆସିଛନ୍ତି। ବିଜେଡିରୁ ବିଦା ହେବା ପରେ ବି ସେ ଗତ ୧୭ବର୍ଷ ଧରି ଓଡ଼ିଶା ରାଜନୀତିରେ ଅଲୋଡ଼ା ହୋଇନାହାନ୍ତି। ବିଧାନସଭାକୁ ଆସିପାରିନଥିଲେ ହେଁ, ସରକାର ବିରୋଧୀ ଭୋଟ ବ୍ୟାଙ୍କରେ ଆଲୋଡ଼ନ ସୃଷ୍ଟି କରିବାରେ ତାଙ୍କର ଏକ ବଡ଼ ଭୂମିକା ଅଛି। ଓଜିପି ଓ ଏନ୍‌ସିପି ମାଧ୍ୟମରେ ସେ ତାଙ୍କ ନେତୃତ୍ୱ ଜାହିର କରିଛନ୍ତି। ସଂପ୍ରତି ଶ୍ରୀ ମହାପାତ୍ର ବିଜେପିରେ ଅଲୋଡ଼ା। ଆସନ୍ତା ନିର୍ବାଚନରେ ସେ କେଉଁ ଭୂମିକାରେ ଆବିର୍ଭାବ ହେବେ, କ୍ରମବର୍ଧିଷ୍ଣୁ ବିଜେପିକୁ ରୋକିବା ଲାଗି ବିଜେଡି ତାଙ୍କୁ ନିଜ ଦଳକୁ ଫେରାଇ ଆଣିବ ନା ବିଜୟଙ୍କୁ ଶେଷ ମୁହୂର୍ତରେ ବିଜେପିରେ ଗୁରୁତ୍ୱ ମିଳିବ? ବିଜୟ ଆଉଥରେ ଏକ ଆଞ୍ଚଳିକ ଦଳ ଗଠନ କରି ଅନ୍ୟ ଦଳ ସହିତ ମେଣ୍ଟ କରିବେ ନା ଆଉ କିଛି ନୂଆ ରାଜନୈତିକ ସମୀକରଣର ସୂତ୍ରପାତ ହେବ ତାହା ଉପରୁ ବି ପରଦା ହଟିନାହିଁ।

୨୦୧୪ ନିର୍ବାଚନ ଅଳ୍ପ ଦିନ ପୂର୍ବରୁ ଆମ ଓଡ଼ିଶା ପାର୍ଟି ଗଠନ ହୋଇଥିଲା। ନିର୍ବାଚନ ପରେ ଏହି ଦଳ ଆଉ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ନାହିଁ। ବରଂ ଏହି ପାର୍ଟିର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଚାଷୀଙ୍କ ଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ ଜମାକାରୀ, ଶିକ୍ଷକ ଆନ୍ଦୋଳନ ପର୍ଯ୍ୟନ୍ତ ସବୁ ବଡ଼ ଆନ୍ଦୋଳନର ନେତୃତ୍ୱ ନେଉଥିବା ପରିଲକ୍ଷିତ ହେଉଛି। ଏଭଳି ସଂଗଠନଗୁଡିକ ତାଙ୍କୁ ପୁରୋଧା ଭାବେ ଗ୍ରହଣ କରି ନେଇସାରିଛନ୍ତି। ଆସନ୍ତା ୧୧ ତାରିଖରେ ନୂଆଦିଲ୍ଲୀରେ ନବ ନିର୍ମାଣ ସଂଗଠନ ବଡ଼ ଆନ୍ଦୋଳନ ଲାଗି ପାଗ ଭିଡିଛି। ଏଭଳି ସ୍ଥିତିରେ ‘ଦଳକୁ ଗୌଣ କରି ପ୍ରସଙ୍ଗକୁ ବଡ଼ କରିବା’ ଲାଗି ଶ୍ରୀ ପଟ୍ଟନାୟକଙ୍କ ଆହ୍ଵାନ ରାଜନୈତିକ ଦଳ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଖାସ୍‌ ସେଥିପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଡାକି ଆଲୋଚନା କରିଥିବା ସେ ଖୋଲାଖୋଲି ସ୍ୱୀକାର କରିଛନ୍ତି। ଜାନକୀଙ୍କ ଅବର୍ତମାନରେ ତାଙ୍କ ଭୋଟବ୍ୟାଙ୍କର ଏକ ବଡ଼ ପ୍ରତିଶତ ତାଙ୍କ ସହିତ ରହିଛି। ହେଲେ ୨୦୧୯ ନିର୍ବାଚନରେ ସେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ, ତାଙ୍କୁ ନେତୃତ୍ୱକୁ ଗ୍ରହଣ କରୁଥିବା ସଂଗଠନମାନଙ୍କୁ ତାଙ୍କର ବାର୍ତା କଣ ହେବ, ତାହାକୁ ନେଇ ସେ ଏପର୍ଯ୍ୟନ୍ତ ନିରବ ରହିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଏସବୁ ନେତାମାନେ ଆସନ୍ତା ନିର୍ବାଚନରେ ଏକ ବଡ଼ ପ୍ରଭାବ ରଖିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏଣୁ ଆଗକୁ ରାଜନୈତିକ ସ୍ତରରେ ଅନେକ ହଟଚମଟ ହେବ ଓ ରାଜନୈତିକ ଧ୍ରୁବୀକରଣ ବି ଘଟିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର