ପ୍ରାକ୍‌-ସ୍ବାଧୀନତା କାଳର ନିର୍ବାଚନ ଓ ନେହେରୁ ପରିବାର

ପ୍ରାକ୍‌-ସ୍ବାଧୀନତା କାଳରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେଥିରେ ମଧ୍ୟ ଭାରତୀୟ ନେତାଙ୍କ ଦ୍ବାରା ପରିଚାଳିତ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ବିଶେଷକରି, ଏହି ପ୍ରକ୍ରିୟାରେ ନେ‌େହରୁଙ୍କ ପରିବାରର ଏକ ବଡ଼ ଯୋଗଦାନ ରହିଥିଲା। ଜିନ୍ନା, ମାଲବ୍ୟଙ୍କ ଭଳି ନେତା ମାନେ ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲେ।

ନେହେରୁଙ୍କ ସ୍ବରାଜ ଦଳ ପୂର୍ବଥର ଭଳି ଏଥର ମଧ୍ୟ ସବାର୍ଧିକ ୩୮ଟି ଆସନ ପାଇଥିଲା। ତେବେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜାତୀୟତାବାଦୀ ଦଳ (ନ୍ୟାସନାଲିଷ୍ଟ ପାର୍ଟି) ୨୨ଟି ଆସନ ଲାଭ କରିଥିଲା। ପୂର୍ବଥର ପରି ଓଡ଼ିଶାରୁ ପଣ୍ଡିତ ନୀଳକଣ୍ଠ ଦାସ ଓ ଭୁବନାନନ୍ଦ ଦାସ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାକୁ ନିର୍ବାଚିତ ହୋଇଥିଲେ। ବିଭିନ୍ନ ପ୍ରଦେଶରୁ ଏହି କେନ୍ଦ୍ରୀୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଜଣାଶୁଣା ଅନ୍ୟ ଭାରତୀୟଙ୍କ ମଧ୍ୟରେ ଥିଲେ:- ପଣ୍ଡିତ ମୋତିଲାଲ ନେହେରୁ (ସଂଯୁକ୍ତ ପ୍ରଦେଶର ସହର ସମୂହ), କେସି ନିୟୋଗୀ (ଢାକ୍କା-ଗ୍ରାମାଂଚଳ-ସାଧାରଣ), ଅନୁଗ୍ରହ ନାରାୟଣ ସିହ୍ନା (ପାଟନା-ସାଧାରଣ), ଭିଠଲଭାଇ ପଟେଲ (ବମ୍ବେ ନଗର – ସାଧାରଣ), ମହମ୍ମଦ ଅଲ୍ଲି ଜିନ୍ନା (ବମ୍ବେ ନଗର – ମୁସ୍‌ଲିମ୍), ଆର୍‌କେ ସନ୍‌ମୁଖନ ଚେଟ୍ଟି (ସାଲେମ, କୋଏମ୍ବାଟୁର, ଉତ୍ତର ଆର୍‌କଟ – ସାଧାରଣ), ମଦନ ମୋହନ ମାଲବ୍ୟ (ଆହ୍ଲାବାଦ ଓ ଝାନ୍‌ସି – ସାଧାରଣ), ସାହାନୱାଜ ଭୁଟ୍ଟୋ (ସିନ୍ଧ-ମୁସ୍‌ଲିମ୍), ୱାହିଦ ବକ୍ସ ଭୁଟ୍ଟୋ (ସିନ୍ଧ ଜାଗିରଦାର ଓ ଜମିଦାର), ଏସ୍ ଶ୍ରୀନିବାସ ଆୟାଙ୍ଗର୍ ଓ ଏ.ରଙ୍ଗାସ୍ବାମୀ ଆୟାଙ୍ଗାର (ଯଥାକ୍ରମେ ମାନ୍ଦ୍ରାଜ ସହର-ସାଧାରଣ ଏବଂ ତାଂଜାଭୁର ଓ ତ୍ରିଚିନ୍ନାପଲ୍ଲି ସହର-ସାଧାରଣ), ଲାଲା ଲଜପତ ରାୟ (ଜଲନ୍ଧର-ସାଧାରଣ), ଘନଶ୍ୟାମ ଦାସ ବିର୍ଲା (ବନାରସ ଓ ଗୋରଖପୁର-ସାଧାରଣ) ଓ ରଫି ଅହମ୍ମଦ କିଦ୍‌ୱାଇ ପ୍ରମୁଖ।

ଏହାପରେ ୧୯୩୦, ୧୯୩୪ ଓ ୧୯୪୫ରେ ମଧ୍ୟ ବ୍ରିଟିସ ସରକାର ଦେଶରେ ସାଧାରଣ ନିର୍ବାଚନ କରିଥିଲେ। ତେବେ ମୋତିଲାଲ ନେହେରୁଙ୍କ ନେତୃତ୍ବରେ ସ୍ବରାଜ ଦଳ କେବଳ ୧୯୨୩ର ଦ୍ବିତୀୟ ଓ ୧୯୨୬ରେ ତୃତୀୟ ନିର୍ବଚନ ଲଢ଼ିଥିଲା। କାରଣ ମୋତିଲାଲ ୧୯୧୯-୨୦ ଯାଏ କେବଳ କଂଗ୍ରେସର ତୁଙ୍ଗ ନେତୃବୃନ୍ଦଙ୍କ ମଧ୍ୟରେ ନ ଥିଲେ, ସେହିବର୍ଷ ମଧ୍ୟ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ। ସେହପରି ୧୯୨୬ରେ ପୁଣି କଂଗ୍ରେସକୁ ଫେରି ୧୯୨୮ରେ ମୋତିଲାଲ ଦ୍ବିତୀୟଥର ପାଇଁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ।

ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷର ସବୁଠାରୁ ପ୍ରଭାବଶାଳୀ ପରିବାର ଗାନ୍ଧି-ନେହେରୁ ବଂଶର ପ୍ରାଣ ପ୍ରତିଷ୍ଠାତା ମୋତିଲାଲ ତାଙ୍କ ବାପା ଗଙ୍ଗାଧର ମରିବାର ତିନିମାସ ପରେ ଜନ୍ମ ହୋଇଥିଲେ। ଗଙ୍ଗାଧରଙ୍କ ପୂର୍ବରୁ ତାଙ୍କ ବଂଶର ବେଶ୍‌ କିଛି ପିଢ଼ି ଦିଲ୍ଲୀରେ ରହିଆସୁଥିଲେ। ଗଙ୍ଗାଧର ପେସାରେ ଥିଲେ ଜଣେ କୋଟ୍‌ୱାଲ (ସହରର ମୁଖ୍ୟ ପୁଲିସ ଅଧିକାରୀ)। ୧୮୫୭ର ସ୍ବାଧୀନତା ସଂଗ୍ରାମ (ସିପାହୀ ବିଦ୍ରୋହ) ବେଳେ ତାଙ୍କ ପରିବାର ଲୁଟ୍‌ପାଟ୍‌ର ଶିକାର ହୋଇଥିଲେ। ଫଳରେ, ଏକରକମ ବାସ୍ତୁହରା ହୋଇ ସେ ସପରିବାର ଆଗ୍ରା ପଳାଇଆସିଥିଲେ।

୧୮୬୧ରେ ଗଙ୍ଗାଧରଙ୍କ ମୃତ୍ୟୁର ତିନି ମାସ ପରେ ତାଙ୍କର ତୃତୀୟ ପୁତ୍ର ସନ୍ତାନ ମୋତିଲାଲ ଜନ୍ମ ନେଇଥିଲେ। ରାଜସ୍ଥାନ ଜୟପୁରର ଖେତ୍ରି ସହରରେ ନିଜ ମାମୁଘରେ ଗଙ୍ଗାଧରଙ୍କ ପିଲାମାନେ କିଛିବର୍ଷ ରହି ପାଠ ପଢ଼ିଥିଲେ। ୧୮୭୦ରେ ମୋତିଲାଲଙ୍କ ବଡ଼ଭାଇ ନନ୍ଦଲାଲ ଆଇନ ବ୍ୟବସାୟ କରିବା ପାଇଁ ସପରିବାର ଆଗ୍ରା ପଳାଇ ଆସିଥିଲେ। ପରେପରେ ଆଗ୍ରାର ଆଇନ ଭିତ୍ତିଭୂମି ଆହ୍ଲାବାଦ ସହରକୁ ସ୍ଥାନାନ୍ତରିତ ହେବାର ଦେଖି ସେମାନେ ସପରିବାର ଆହ୍ଲାବାଦରେ ଅବସ୍ଥାନ କରିଥିଲେ। ମାମୁ ଓ ବଡ଼ଭାଇଙ୍କ ଉଦ୍ୟମରୁ ପ୍ରଥମେ ଆଗ୍ରା ଓ ପରେପରେ କାନପୁର, ଆହ୍ଲାବାଦ ଓ ଶେଷରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷିତ ହେବାପରେ ମୋତିଲାଲ ୧୮୮୩ରେ ଆହ୍ଲାବାଦରେ ଓକିଲାତି ଆରମ୍ଭ କରିଥିଲେ। ପେସାରେ ଅତ୍ୟନ୍ତ ସଫଳ ହେବାରୁ ସେ ୧୯୦୦ ମସିହାରେ ସେଠାରେ ଏକ ବିଶାଳ କୋଠା ‘ଆନନ୍ଦ ଭବନ’ କିଣି ସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ। ସେହିବର୍ଷ ସେ ‘ସ୍ବରାଜ ଭବନ’ ମଧ୍ୟ କିଣି ବ୍ରିଟିସ ସରକାର ବିରୋଧରେ ସଂଗ୍ରାମୀମାନଙ୍କୁ ଏକାଠି କରିଥିଲେ। ତେଣୁ ଗାନ୍ଧି-ନେହେରୁ ପରିବାର ମୂଳତଃ ଆହ୍ଲାବାଦରେ ବହୁକାଳରୁ ରହିଆସୁଥିବା ନେଇ ଜନମାନସରେ ଏକ ଭୁଲ ଧାରଣା ରହିଛି।

୧୯୧୮ ବେଳକୁ ପ୍ରଖ୍ୟାତ ଆଇନଜୀବୀ ଭାବେ ଜଣେ ଧନାଢ଼୍ୟ ବ୍ୟକ୍ତି ପାଲଟିଥିବା ମୋତିଲାଲ, ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଶ୍ଚାତ୍ୟ ଜୀବନଶୈଳୀ ଛାଡ଼ି ଭାରତୀୟ ଜୀବନଧାରାକୁ ଗ୍ରହଣ କରିଥିଲେ। ତେବେ ୧୯୨୨ ଚୋୖରିଚୋୖରା ହିଂସାକାଣ୍ଡ ଯୋଗୁଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ ବାତିଲ କରିବାରୁ ଜେଲ ଯାଇଥିବା ମୋତିଲାଲ ଉକ୍ତ ନିଷ୍ପତ୍ତିକୁ ବିରୋଧ କରି ତାଙ୍କଠାରୁ ଦୂରେଇ ଯାଇଥିଲେ। କଂଗ୍ରେସ ଦଳ ତ ନିବାର୍ଚନ ଲଢ଼ୁନଥିଲା। ସ୍ବରାଜ ଦଳରେ ଯୋଗ ଦେଇ ମୋତିଲାଲ ୧୯୨୩ରେ ବିରୋଧୀ ଦଳ ନେତା ହୋଇଥିଲେ। ୧୯୨୬ରେ ପୁଣିଥ‌େର କେନ୍ଦ୍ରୀୟ ବ୍ୟବସ୍ଥାପିକାକୁ ନିର୍ବାଚିତ ହୋଇଥିଲେ । ସେହିବର୍ଷ ଭାରତକୁ ବ୍ରିଟିସ ସରକାର ଏକ ଅନୁରାଜ୍ୟ (ଡୋମିନିଅନ୍) ଘୋଷଣା କରି ଏହି ମର୍ମରେ ବ୍ରିଟିସ ପାର୍ଲାମେଣ୍ଟରେ ବିଲ୍ ଆଣି ଗୃହୀତ କରାଉ ବୋଲି କେନ୍ଦ୍ରୀୟ ବ୍ୟବସ୍ଥାପିକାରେ ମୋତିଲାଲ ପ୍ରସ୍ତାବ ଆଗତ କରିଥିଲେ। ତେବେ ତାହା ପ୍ରତ୍ୟାଖ୍ୟାତ ହେବାରୁ ମୋତିଲାଲ ନିଜ ସମର୍ଥକମାନଙ୍କ ସହିତ ପୁଣି କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୧୯୧୬ ବେଳକୁ ପୁତ୍ର ଜବାହରଲାଲ କଂଗ୍ରେସ ଦଳରେ ଯୋଗ ଦେଇ ସାରିଥା’ନ୍ତି। ୧୯୨୯ରେ ପୁତ୍ରଙ୍କୁ କଂଗ୍ରେସର ସଭାପତି ପଦ ଅର୍ପଣ କରିବା ବେଳକୁ ଦେଶରେ ଏକ ପ୍ରଭାବଶାଳୀ ରାଜନୈତିକ ବଂଶର ଅୟମାରମ୍ଭ ହୋଇଥିଲା

୧୯୨୬ ମସିହା ନିର୍ବାଚନ ଫଳାଫଳ

ଦଳ                        ଆସନ          ନେତା
ସ୍ବରାଜ ପାର୍ଟି                 ୩୮          ମୋତିଲାଲ ନେ‌େହରୁ
ନ୍ୟାସ୍‌ନାଲିଷ୍ଟ ପାର୍ଟି          ୨୨           ମଦନ ମୋହନ ମାଲବ୍ୟ
ସେଣ୍ଟ୍ରାଲ ମୁସ୍‌ଲିମ୍‌ ଓ ମେଣ୍ଟ ୧୮          ସାର୍‌ ଜୁଲିଫିକର୍‌ ଅଲୀ ଖାଁ
ସ୍ବାଧୀନ                       ୧୩           ମହମ୍ମଦ ଅଲି ଜିନ୍ନା
କ୍ଷୁଦ୍ରଦଳ, ସ୍ବାଧୀନ               ୬
ଇଉରୋପିଆନ୍‌                  ୯           ସାର୍‌ ଡାର୍ସି ଲିଣ୍ଡସେ
ସମୁଦାୟ                    ୧୦୫

ସମ୍ବନ୍ଧିତ ଖବର