ତ୍ରିପୁରାରେ ନିର୍ବାଚନ ପ୍ରଚାର ଶେଷ, ରାଜ୍ୟରେ ବିଜେପିର ଖୋଲିବ ଖାତା!

୧୮ରେ ମତଦାନ, ମାର୍ଚ୍ଚ ୩ରେ ମତଗଣନା

ଅଗରତଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇ ଯାଇଛି। ନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜନସଭା କରିଥିବା ବେଳେ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିଥିଲେ। ଗସ୍ତ ବେଳେ ମୋଦି ନିଜ ଦଳକୁ ମତଦାନ କରିବାକୁ ମତଦାତାଙ୍କୁ ଆହ୍ଵାନ କରିଥିଲେ।

ପୂର୍ବାଞ୍ଚଳ ଭାରତର ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଛି। ଫେବ୍ରୁଆରି ୧୮ରେ ତ୍ରିପୁରାରେ ମତଦାନ ହେବ। ସେହିଭଳି ନାଗାଲାଣ୍ଡ ଓ ମେଘାଳୟରେ ଫେବ୍ରୁଆରି ୨୭ରେ ମତଦାନ ହେବ। ୬୦-୬୦ ବିଧାନସଭା ଆସନ ଥିବା ତିଟି ରାଜ୍ୟଗୁଡ଼ିକର ମତଗଣନା ମାର୍ଚ୍ଚ ୩ରେ ହେବ।

ମାଣିକ ସରକାରଙ୍କ ନେତୃତ୍ୱରେ ତ୍ରିପୁରାରେ ଗତ ୨ ଦଶନ୍ଧି ହେବ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ମାକପା) ସରକାର ଅଛି। କେନ୍ଦ୍ରରେ କ୍ଷମତାଶୀଳ ଭାରତୀୟ ଜନତା ପାର୍ଟି ଏଥର ତ୍ରିପୁରାକୁ ହାତ ମୁଠାରେ ଆଣିବାକୁ ସମସ୍ତ ପ୍ରକାରର ଉଦ୍ୟମ ଚଳାଇଛି। ଆସାମ ପରେ ଏହି ୩ଟି ରାଜ୍ୟରେ ବିଜେପି ନିଜର ବିସ୍ତାର ଲାଭ କରିବାକୁ ଉଦ୍ୟମ କରୁଛି।

ଅନ୍ୟପକ୍ଷରେ କଂଗ୍ରେସ ଉଦ୍ୟମ କରୁଛି ଯେ, ତ୍ରିପୁରାରେ ବନବାସ ଭଙ୍ଗ କରି କ୍ଷମତାକୁ ଫେରିବ। ପାର୍ଟିର ନୂଆ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉନାକୋଟୀ ଜିଲ୍ଲାରେ ଏକ ଜନସଭା କରିଛନ୍ତି। ସେ ଭାଷଣରେ ମାଣିକ ସରକାରଙ୍କ ଉପରେ ଅନେକ ଅଭିଯୋଗ ଆଣିଛନ୍ତି। ମାଣିକ ସରକାର ରାଜ୍ୟର ବିକାଶରେ ବାଧକ ସାଜିଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର