ସପ୍ତଦଶ ଲୋକସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ୍‌, ମତଦାନ ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମେରେ ଶେଷ ହେବ

ନୂଆଦିଲ୍ଲୀ: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ କମିସନ ଆଜି ନିର୍ବାଚନ ପ୍ରକ୍ରିୟାର ଚୂଡ଼ାନ୍ତ କାର୍ଯ୍ୟସୂଚୀ  ଘୋଷଣା କରିଛନ୍ତି। ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ସହ ଆଜିଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି।

୨୦୧୯ ଲୋକସଭା  ନିର୍ବାଚନକୁ  ୭ଟି ପର୍ଯ୍ୟାୟରେ କରାଇବା ପାଇଁ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ବାଚନ ଲାଗି ମତଦାନ ୧୧ ଏପ୍ରିଲ ଠାରୁ ଆରମ୍ଭ ୧୯ ମେରେ ଶେଷ ହେବ।  ମେ ମାସ ୨୩ ତାରିଖରେ ଭୋଟ ଗଣତି କରାଯିବ। ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ ପ୍ରକ୍ରିୟା ମାର୍ଚ୍ଚ ୧୮ରୁ ଆରମ୍ଭ ହୋଇ ମେ ମାସ ୨୭ ତାରିଖରେ ଶେଷ ହେବ।

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା ଏହି ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନଙ୍କ ସୂଚନା ମୁତାବକ ଆସନ୍ତା ୧୧ ଏପ୍ରିଲ ପ୍ରଥମ ପର୍ଯ୍ୟାୟ, ୧୮ ଏପ୍ରିଲ ଦ୍ୱିତୀୟ ପର୍ଯ୍ୟାୟ, ୨୩ ଏପ୍ରିଲ ତୃତୀୟ ପର୍ଯ୍ୟାୟ, ୨୯ ଏପ୍ରିଲ ଚତୁର୍ଥ ପର୍ଯ୍ୟାୟ. ମେ ୬ ପଞ୍ଚମ ପର୍ଯ୍ୟାୟ, ମେ ୧୨ ଷଷ୍ଠ ପର୍ଯ୍ୟାୟ, ମେ ୧୯ ରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

୧୧ ଅପ୍ରେଲରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତ ଗ୍ରହଣ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ କରାଯିବାକୁ ଥିବା ବେଳେ; ୧୮ ଅପ୍ରେଲରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତ ଗ୍ରହଣ ୧୩ଟି ରାଜ୍ୟର ୯୭ଟି ଲୋକସଭା ଆସନ ପାଇଁ; ୨୩ ଅପ୍ରେଲରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତ ଗ୍ରହଣ ୧୪ଟି ରାଜ୍ୟର ୧୧୫ଟି ଲୋକସଭା ଆସନ ପାଇଁ; ୨୯ ଅପ୍ରେଲରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତ ଗ୍ରହଣ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ; ୬ ମେ’ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ମତ ଗ୍ରହଣ ୭ଟି ରାଜ୍ୟର ୫୧ଟି ଲୋକସଭା ଆସନ ପାଇଁ; ୧୨ ମେ’ରେ ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ମତ ଗ୍ରହଣ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଏବଂ ୧୯ ମେ’ରେ ଅନୁଷ୍ଠିତ ହେବାକୁ ଥିବା ସପ୍ରମ ପର୍ଯ୍ୟାୟ ମତ ଗ୍ରହଣ ୮ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ କରାଯିବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଏବଂ ୨୩ ମେ’ରେ ଭୋଟ ଗଣତି ଅନୁଷ୍ଠିତ ହେବ।


ପ୍ରସଙ୍ଗକ୍ରମେ ଉଲ୍ଲେଖ ଯୋଗ୍ୟ ୨୦୧୪ (ଷୋଡ଼ଶ) ଲୋକସଭାର କାର୍ଯ୍ୟକାଳ ଜୁନ୍‌ ୩ରେ ଶେଷ ହେଉଥିବା ବେଳେ, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଜୁନ୍‌ ୧୮, ଓଡ଼ିଶା ବିଧାନସଭାର ଜୁନ୍‌ ୧୧ ଓ ସିକିମ୍‌ ବିଧାନସଭାର କାର୍ଯ୍ୟକାଳ ମେ ୨୭ରେ ଶେଷ ହେଉଥିଲା।

ସମ୍ବନ୍ଧିତ ଖବର