ନୂଆଦିଲ୍ଲୀ : ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ମୁକ୍ତ ଓ ନିରପେକ୍ଷ ଭାବେ ଅନୁଷ୍ଠିତ ହେବାନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ରବିବାର ଦିନ ଲୋକସଭା ଓ ବିଧାନସଭାର କାର୍ଯ୍ୟସୂଚୀ ଘୋଷଣା କରାଯିବା ପରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ରାଜ୍ୟମାନଙ୍କରେ ନିୟୋଜିତ ହେବାକୁ ଥିବା ପର୍ଯ୍ୟବେକ୍ଷକମାନଙ୍କ ସହିତ ନିର୍ବାଚନ ପରିଚାଳନା ତଥା ସେମାନଙ୍କ ଦାୟିତ୍ବ ସମ୍ପର୍କରେ ଦିନ ତମାମ ଆଲୋଚନା କରାଯାଇଥିଲା। ରାଜ୍ୟରୁ ପାଖାପାଖି ୩୦ ଜଣ ନିର୍ବାଚନ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ। ପର୍ଯ୍ୟବେକ୍ଷକଙ୍କୁ ସେମାନଙ୍କ ନିର୍ବାଚନ ଦାୟିତ୍ବ ସମୟର ଭୂମିକା ସମ୍ପର୍କରେ ଭାରତୀୟ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା, ଦୁଇଜଣ ନିର୍ବାଚନ କମିସନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ର ତଥା ଆୟୋଗର ବରିଷ୍ଠ ଅଧିକାରୀମାନେ ବିସ୍ତୃତ ଭାବେ ଅବଗତ କରାଇଥିଲେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ଭାରତୀୟ ପୁଲିସ ସେବା ଅଧିକାରୀ, ଭାରତୀୟ ରାଜସ୍ବ ସେବା ଅଧିକାରୀଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ବାରା ଚୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ବୈଠକରେ ନିର୍ବାଚନ ଆୟୋଗଙ୍କ ଦ୍ବାରା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପ୍ରକ୍ରିୟା, ନିର୍ବାଚନ ଆଚରଣ ବିଧି, କଳାଧନ ଉପରେ ଅଙ୍କୁଶ ଲଗାଇବା ତଥା ନିର୍ବାଚନ ବ୍ୟୟକୁ ମନିଟରିଂ କରାଯିବା ଭଳି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା। ବୈଠକରେ କେନ୍ଦ୍ରିୟ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଆୟୋଗକୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରାଯିବା ସହ ସ୍ପଷ୍ଟୀକରଣ ମଧ୍ୟ ଲୋଡ଼ାଯାଇଥିଲା। ସୂଚନାନୁଯାୟୀ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ରୂପେ ପାଖାପାଖି ୮୦୦ରୁ ଅଧିକ ଜଣଙ୍କ ତାଲିକା ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ସହିତ ସାଧାରଣ ପର୍ଯ୍ୟବେକ୍ଷକ, ପୁଲିସ ପର୍ଯ୍ୟବେକ୍ଷକ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ସବୁ ରାଜ୍ୟମାନଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ବାରା ପଠାଯିବ। ନିର୍ବାଚନ ଦାୟିତ୍ବ ଅନ୍ତର୍ଗତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷକମାନେ ରାଜ୍ୟରେ ରହିବେ। ଓଡ଼ିଶାକୁ ପାଖାପାଖି ୫୦ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ପଠାଇବା ନେଇ ଆୟୋଗଙ୍କ ପକ୍ଷରୁ ନିଷ୍ପତ୍ତି ନିଆାଇଥିବା ଜଣାପଡ଼ିଛି। ଆଜିର ବୈଠକରେ କୌଣସି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ନଥିଲେ। ନିର୍ବାଚନ ଆୟୋଗଙ୍କ ଦ୍ବାରା ଚଳିତମାସ ୨୬ରେ ପୁଣିଥରେ ପର୍ଯ୍ୟବେକ୍ଷକଙ୍କ ବୈଠକ ହେବ ବୋଲି ଜଣାପଡ଼ିଛି।