ନିର୍ବାଚନକୁ ନିକଟରୁ ଦେଖିବେ ୧୦ ହଜାର ବିଦେଶୀ

ଓଡ଼ିଶା ସମେତ ୬ ରାଜ୍ୟକୁ ଆସିଛନ୍ତି

ନୂଆଦିଲ୍ଲୀ : ଭାରତରେ ଲୋକସଭା ନିର୍ବାଚନ ଏବେ ବିଦେଶୀ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ‌େଲାକସଭା ନିର୍ବାଚନ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟାକୁ ଅତି ନିକଟରୁ ଦେଖିବା ପାଇଁ ପାଖାପାଖି ୧୦ ହଜାର ବିଦେଶୀ ଭାରତ ଭ୍ରମଣ କରିବେ ବୋଲି ଜଣାପଡ଼ିଛି ।

ସୂତ୍ର ଅନୁସାରେ ଦେଶର ୩୫ଟି ଟୁର୍ ଅପରେଟର ପ୍ରଥମ ଥର ପାଇଁ ନିର୍ବାଚନ ପର୍ଯ୍ୟଟନ ପ୍ୟାକେଜ୍‌ ଅନ୍ତର୍ଗତ ବିଦେଶୀମାନଙ୍କୁ ଭାରତକୁ ଭ୍ରମଣ କରିବା ପାଇଁ ଅଫର ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଅଧିକ ବିଦେଶୀ ନିର୍ବାଚନ ଟୁରିଜିମ୍‌ ପାଇଁ ବୁକିଂ କରିସାରିଛନ୍ତି । ପାଖାପାଖି ୧୫୦୦ ବିଦେଶୀ ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ଟୁର୍ ଅପରଟେର ଆସୋସିଏସନ ସୂତ୍ରରୁ ଜଣାପଡିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗ୍ରୀଷ୍ମ ଋତୁର ଆଗମନ ସହିତ ଭାରତରେ ପର୍ଯ୍ୟଟନ ଋତୁ ଶେଷ ହେଉଥିବା ବେଳେ କେବଳ ନିର୍ବାଚନ ପାଇଁ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନ ଆଶାତୀତ ବୃଦ୍ଧି ହୋଇଛି।

ନିର୍ବାଚନ ପର୍ଯ୍ୟଟନ ଅନ୍ତର୍ଗତ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ସେମାନଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତିକୁ ଦେଖିବା ସହ ଜନସଭା ଗୁଡ଼ିକୁ ମଧ୍ୟ ଦେଖିପାରିବେ। ମତଦାନର ଦୃଶ୍ୟ ଦେଖିବା ସହ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ଭେଟିବେ ।

ନିର୍ବାଚନ ପର୍ଯ୍ୟଟନ ଟ୍ରେଣ୍ଡ୍ ଭାରତରେ ଧୀ‌େରଧୀରେ ଲୋକପ୍ରିୟ ହେବାକୁ ଲାଗିଛି। । ସୂତ୍ର ଅନୁସାରେ ଯେଉଁସବୁ ପର୍ଯ୍ୟଟକ ମାନେ ନିର୍ବାଚନ ଟୁରିଜିମ୍‌ର ଅଭିଜ୍ଞତା ହାସଲ କରିବା ପାଇଁ ଚାହୁଛନ୍ତି ସେଥିମଧ୍ୟରୁ ଅଧିକାଂଶ ଭୁବନେଶ୍ବର, ପୁରୀ, ଅହମ୍ମଦାବାଦ, ଲକ୍ଷ୍ନୌ, ବନାରସ, ଅମୃତସର, ଜୟପୁର, ଦିଲ୍ଲୀ, ଥିରୁବନନ୍ତପୁରମ, ଚେନ୍ନାଇ ଓ ହାଇଦ୍ରାବାଦ ସହର ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ନିର୍ବାଚନ ଟୁରିଜମ୍‌ ଅନ୍ତର୍ଗତ ଆମେରିକା, ଦୁବାଇ, ସାଉଦି ଆରବ, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ, ମାଲେସିୟା, ଫ୍ରାନ୍ସ, ବାଂଲାଦେଶ, କତାର, କାନାଡ଼ା ତଥା ସ୍ବିଜରଲ୍ୟାଣ୍ଡ ଭଳି ଦେଶର ପର୍ଯ୍ୟଟକ ମାନଙ୍କର ପ୍ରଥମ ପସନ୍ଦ ହେଉଛି ଭାରତ ଏବଂ ଏହା ପଛରେ ଉଦ୍ଦେଶ୍ୟ ରହିଛି ନିର୍ବାଚନ ପ୍ରକ୍ରିୟାକୁ ଦେଖିବା । ନିର୍ବାଚନ ଟୁରିଜିମ୍ କନସେପ୍ଟକୁ ନେଇ ବିଭିନ୍ନ କମ୍ପାନୀ ଓ ଟୁର୍ ଅପରେଟର ମାନେ ଓଡ଼ିଶା, ଦିଲ୍ଲୀ, ଗୁଜରାଟ, କେରଳ, ରାଜସ୍ଥାନ ଓ ତାମିଲନାଡୁ ଭ୍ରମଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରୁଥିବା ଜଣାପଡୁଛି ।

ଉଲ୍ଲେଖଯୋଗ୍ୟ ଷୋଡ଼ଶ ଲୋକସଭା ନିର୍ବାଚନ ସମୟରେ ଭାରତରେ ନିର୍ବାଚନ ଟୁରିଜିମ୍ କନସେପ୍ଟ ଅନ୍ତର୍ଗତ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନର ପରମ୍ପରା ଆରମ୍ଭ ହୋଇଥିଲା । ଏହାର ପୁନରାବୃତ୍ତି ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରତିୟମାନ ହେବ। ଆମେରିକା ନିଜ ଦେଶର ନିର୍ବାଚନକୁ ଦେଖାଇବା ପାଇଁ ବିଦେଶୀ ନାଗରିକମାନଙ୍କୁ ନିଜର ଦେଶରେ ଆମନ୍ତ୍ରଣ କରିବା ପରମ୍ପରା ସବୁଠାରୁ ପୁରୁଣା । ଆମେରିକାର ଅନେକ ସଂସ୍ଥା ପୂରା ଖର୍ଚ୍ଚ ବହନ କରି ଦେଶର କୋଣ ଅନୁକୋଣରୁ ସାମ୍ବାଦିକ, ଶିକ୍ଷକ ଓ ରାଜନେତାଙ୍କୁ ନିର୍ବାଚନର ସିଧାସଳଖ ଅନୁଭବ ପାଇଁ ଆମନ୍ତ୍ରଣ କରିଥାନ୍ତି । ଯଦିବା ଭାରତରେ ଏଭଳି ବ୍ୟବସ୍ଥା ନାହିଁ କିନ୍ତୁ ବିଭିନ୍ନ ଟୁର୍ ଅପରେଟର ସଂସ୍ଥାମାନଙ୍କ ଦ୍ବାରା ନିର୍ବାଚନ ପର୍ଯ୍ୟଟନ ପ୍ୟାକେଜ୍‌ ଅନ୍ତର୍ଗତ ପର୍ଯ୍ୟଟକ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାର ପ୍ରୟାସ ଆରମ୍ଭ କରାଯାଇଛି ।

ସମ୍ବନ୍ଧିତ ଖବର