୨୦୧୯ ପାଇଁ କଂଗ୍ରେସର କସରତ : ୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା

‘ମୋ ବୁଥ୍‌, ମୋ ଗୋରବ’ ଅଭିଯାନ ଆରମ୍ଭ, ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବାକୁ ନିର୍ଦେଶ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ କମିଟି ମାନସମନ୍ଥନ ଆରମ୍ଭ କରିଛି। ଆଜି ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ପ୍ରମୁଖ ଯୋଗଦେଇ ନିର୍ବାଚନ ପୂର୍ବର ରଣନୀତି ସଂପର୍କରେ ବିଶଦ ଆଲୋଚନା କରିଛନ୍ତି। ଲୋକଙ୍କର ନିକଟତର ହେବାକୁ ସମସ୍ତ ନେତା, କର୍ମୀଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ପ୍ରଭାରୀ ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ପର୍ଯ୍ୟାୟରେ ୫୦ ଜଣ ପ୍ରାର୍ଥୀଙ୍କ ସଂପର୍କରେ ଦଳ ଘୋଷଣା କରିପାରେ। ଶ୍ରୀ ସିଂହଙ୍କ ଏହି ମନ୍ତବ୍ୟ ପରେ କିଏ ଟିକେଟ୍‌ ପାଇବେ ଓ କାହା ନାମ ବାଦ୍‌ ପଡିବ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ନେତାମାନେ ବିଭିନ୍ନ ନିର୍ବାଚନମଣ୍ଡଳୀର ଅଙ୍କକଷା ଆରମ୍ଭ କରିଛନ୍ତି ଓ ବିଭିନ୍ନ ନାମକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି। ଏଥିସହିତ ବୁଥ୍‌ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କର ନିକଟତର ହେବା ଏବଂ ଦଳକୁ ସୁଦୃଢ କରିବା ସକାଶେ ‘ମୋ ବୁଥ୍‌, ମୋ ଗୋରବ’ ନାମରେ ଏକ ଅଭିଯାନ କଂଗ୍ରେସ ଆରମ୍ଭ କରିଛି।

ଏହି ବୈଠକରେ ସଭାପତି ନିରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଏହି ବୈଠକରେ ଶ୍ରୀ ସିଂହଙ୍କ ବ୍ୟତୀତ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଅନିଲ ଚୋଧୁରୀ, ଆଦିତ୍ୟ ଶର୍ମା, ମସ୍ତାନ ବାଲି, ଦଳର ସମସ୍ତ ବିଧାୟକ, ବିଧାନସଭାରେ ବିରୋଧୀ ଦଳନେତା ନରସିଂହ ମିଶ୍ର, ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝୀ, ନବନିଯୁକ୍ତ ସମ୍ପାଦକ, ଉପସଭାପତି, କାର୍ଯ୍ୟକାରୀ ସଭାପତି, ଶୃଙ୍ଖଳା କମିଟି ସଦସ୍ୟ, ନିର୍ବାଚନ କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ଗଣମାଧ୍ୟମକୁ ଶ୍ରୀ ସିଂହ କହିଥିଲେ, ବୈଠକରେ ଆସନ୍ତା ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଯୋଗ୍ୟ ପ୍ରାର୍ଥୀଙ୍କୁ ହିଁ ଟିକେଟ ପ୍ରଦାନ କରାଯିବ। ଏଥିପାଇଁ ଆସନ୍ତାକାଲି ନବଗଠିତ ପ୍ରଦେଶ ନିର୍ବାଚନ କମିଟି ବା ପିଇସି ବୈଠକ ଡକାଯାଇଛି। ଏଥିରେ ଏକ ସଂକଳ୍ପ ପାରିତ ହେବ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ରଣନୀତିରେ ବିଜେଡି ଓ ବିଜେପିକୁ ମୁକାବିଲା କରିବା ଲାଗି ଠୋସ୍‌ କି କି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ ବିଜେଡ଼ି ଏବଂ ବିଜେପି ଯେଉଁଭଳି ଭାବରେ ପରସ୍ପର ସହିତ ହାତମିଳାଇ ଶାସନ କଳର ଅପବ୍ୟବହାର କରିବା ସହିତ ଜନସାଧାରଣଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି, ତାହା ବିରୋଧରେ କଂଗ୍ରେସ ଜନସଚେତନତା ସୃଷ୍ଟି କରିବ ବୋଲି ନିଷ୍ପତ୍ତି କରିଛି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ବଡଧରଣର ଦୁର୍ନୀତି ପଦାକୁ ଆସୁଥିବାବେଳେ ସେଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ରାଜ୍ୟ ସରକାର କେବଳ ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି। ଏହାଦ୍ୱାରା ମୂଳ ପ୍ରସଙ୍ଗରୁ ରାଜ୍ୟବାସୀଙ୍କ ନଜର ହଟାଇବାକୁ ଉଦ୍ୟମ କରୁଛନ୍ତି। ଏ ସଂପର୍କରେ ବି ଲୋକଙ୍କୁ ଦଳ ବୁଝାଇବ।

ସେହିଭଳି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦେଶର ନିରାପତ୍ତା ପ୍ରସଙ୍ଗରେ ମଧ୍ୟ ବଡ଼ଧରଣର ଦୁର୍ନୀତି କରିବାକୁ ପଛାଇ ନାହାନ୍ତି। ରାଫେଲ ଯୁଦ୍ଧବିମାନ କିଣାରେ ହୋଇଥିବା ମହାଦୁର୍ନୀତିକୁ କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବ। ଦଳର ନେତା ଓ କର୍ମୀମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ମିଶି ଦଳକୁ ମଜୁଭତ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ପ୍ରଭାରୀ ଜିତେନ୍ଦ୍ର ସିଂ ଆହ୍ଵାନ ଦେଇଛନ୍ତି।

ଏକଥା ବି ଦଳ ସ୍ପଷ୍ଟ କରିଛି ଯେ ଟିକେଟ ପାଇବା ଆଶାରେ ଦଳର କାର୍ଯ୍ୟକର୍ତା ଓ ନେତୃବୃନ୍ଦ ରାଜଧାନୀ ଭୁବନେଶ୍ୱରରେ ଠୁଳ ହେବାର ଆବଶ୍ୟକ ନାହିଁ। ବରଂ ଗାଁ ଗାଁ ବୁଲା ଆରମ୍ଭ କରିବା ସହିତ ବୁଥ୍‌ସ୍ତରରେ ଲୋକଙ୍କ ସାଙ୍ଗରେ ସିଧାସଳଖ ସମ୍ପର୍କ ଯୋଡିବାକୁ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସିଂ ଆଜି ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ କହିଥିଲେ, ଏଥର ଟିକେଟ୍‌ ବଣ୍ଟନରେ ନୂଆ ମୁହଁ , ଯୁବକ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ। କଂଗ୍ରେସ ହାଇକମାଣ୍ଡ ରାହୁଲଙ୍କ ନିଷ୍ପତିକ୍ରମେ ଯେଉଁମାନେ ବିଜୟୀ ହେବାର ଶତପ୍ରତିଶତ କ୍ଷମତା ରଖୁଥିବେ ସେମାନଙ୍କୁ ହିଁ ଦଳୀୟ ଟିକେଟ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର