ନୂଆଦିଲ୍ଲୀ: ନିର୍ବାଚନ ଆସିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ ପୁଣି ସକ୍ରିୟ ହୋଇ ଉଠନ୍ତି । କେଉଁଠି ରାଜନୈତିକ ନେତାଙ୍କ ଉପରେ ଥିବାର ମାମଲାରୁ ପୁଣି ଖୋଲନ୍ତି ତ କେଉଁଠି ରେଡ୍ କରନ୍ତି । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଏଭଳି ନିର୍ବାଚନ ସମୟରେ ଆପଣ ଦେଖିଥିବେ ଆଉ ଇଡି-ସିବିଆଇକୁ କେନ୍ଦ୍ରରେ ଥିବା ସରକାରଙ୍କ ହାତ ବାରିସି ବୋଲି ବିରୋଧୀ ଅଭିଯୋଗ କରନ୍ତି । ଆଉ ଏବେ ପୁଣି ଏକ ବିଧାନସଭା ନିର୍ବାଚନ ଥିବାରୁ ଇଡି କାଳେ ସକ୍ରିୟ ହୋଇଥିବା କୁହାଯାଉଛି । ଆଗାମୀ କେଇ ମାସ ଭିତରେ ବିହାର ବିଧାନସଭା ନିର୍ବାଚନ ଥିବାରୁ ତାକୁ ଲକ୍ଷ୍ୟ ରଖି ପୁଣି ବିଜେପି ସରକାର ନିଜ ହାତରେ ନଚାଉଥିବା କଣ୍ଢେଇ ଇଡି-ସିବିଆଇକୁ କାମରେ ଲଗାଇ ଦେଲେଣି ବୋଲି ବିରୋଧୀ ଅଭିଯୋଗ କରିବା ଆରମ୍ଭ ବି କଲେଣି ।

Advertisment

ଯଦି ଆପଣ ଗତ ସପ୍ତାହେକୁ ଅନୁଶୀଳନ କରିବେ ତାହାଲେ ଜାଣିପାରିବେ ଯେ ଇଡି କେମିତି ସକ୍ରିୟ ଅଛି । ଖାଲି ନୂଆଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ସକ୍ରିୟ ରହି ବିଭିନ୍ନ ମାମଲାର ଖୋଳାତାଡ ଆରମ୍ଭ କରିଛି । ଅଣବିଜେପି ଶାସିତ ରାଜ୍ୟରେ ଇଡି ଏବେ ଆୟୁଷମାନ ଯୋଜନାର ଦୁର୍ନୀତି ଖୋଜୁଛି । ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରର ୨୧ଟି ଜାଗାରେ ଇଡି ଗତ ସପ୍ତାହ ଘାଣ୍ଟିଥିବା ବେଳେ ଗତକାଲି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ସମନ କରିଥିଲା ଇଡି । 

ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡି ୨ୟ ଥର ପାଇଁ ରବର୍ଟଙ୍କୁ ସମନ କରିବା ପରେ ସେ ଇଡି ଅଫିସରେ ହାଜର ହୋଇଥିଲେ ଏବଂ ତଦନ୍ତରେ ସହଯୋଗ କରିଥିଲେ । ଇଡିରେ ହାଜର ହେବାକୁ ଯିବା ବେଳେ ବିଜେପି ଉପରେ ଧୂମ୍ ବର୍ଷିଥିଲେ ରବର୍ଟ । 
ରବର୍ଟ କହିଥିଲେ ମାମଲାରେ କିଛି ନାହିଁ । ୨୦ ବର୍ଷରେ ମୁଁ ୧୫ ଥର ଇଡିରେ ହାଜର ହୋଇ ସାରିଲିଣି । ଆଉ ସେମାନେ ମତେ ପ୍ରତି ଥର ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରନ୍ତି । ମୁଁ ସବୁ ପ୍ରଶ୍ନର ଉତ୍ତର ଦିଏ ସବୁଥିରେ ସହଯୋଗ କରେ । ଏଜାବତ ୨୩୦୦୦ ଡକ୍ୟୁମେଣ୍ଟ ଇଡିରେ ସେ ଦାଖଲ କରିଥିବା କହିଛନ୍ତି ରବର୍ଟ ଭଦ୍ରା । 

ତେବେ ଅନ୍ୟ ଏକ ସାଙ୍ଘାତିକ ଅଭିଯୋଗ ଆଣି ରବର୍ଟ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଯେବେ ବି ମୁଁ ଲୋକଙ୍କ କଥା କୁହେ କିମ୍ବା ଜନତାଙ୍କ ପକ୍ଷ ନିଏ ଏମାନେ ସେବେ ମୋ ବିରୋଧରେ ଏଜେନ୍ସି ଲଗାଇ ଦିଅନ୍ତି । ମୋ ସ୍ବରକୁ ଚାପିବାକୁ, ପ୍ରକୃତ ଘଟଣାକୁ ଦବାଇ ଦେବାକୁ ଏମାନେ ମୋ ସହ ଜଡିତ ପୁରୁଣା ପ୍ରସଙ୍ଗକୁ ଉଠାନ୍ତି । ସଂସଦରେ ରାହୁଲଙ୍କ ସ୍ବର ଚାପିବାକୁ ଉଦ୍ୟମ ହେଉଛି ଆଉ ଏଠି ମୋର ସ୍ବର ଚାପିବାକୁ ଇଡିର ଅପବ୍ୟବହାର କରାଯାଉଛି । ଲୋକେ ଚାହୁଁଛନ୍ତି ମୁଁ ରାଜନୀତିକୁ ଆସେ, ଯେବେ ବି ମୁଁ ରାଜନୀତିରେ ପାଦ ଦେବାକୁ ଭାବୁଛି ଏମାନେ ମତେ ରାଜନୀତିକୁ ଆସିବାକୁ ଦେଉନାହାନ୍ତି ବୋଲି ସାଙ୍ଘାତିକ ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଥିଲେ ରବର୍ଟ । 

ଖାଲି ସେତିକି ନୁହେଁ କାଲି ହିଁ ନ୍ୟାସନାଲ ହେରାଲ୍ଡ ମାମଲାରେ ଗତକାଲି ଚାର୍ଜସିଟ କରିବା ପରେ ସୋନିଆ ଏବଂ ରାହୁଲଙ୍କ ଅଡୁଆ ବଢିଛି । ମାମଲା ସମ୍ବନ୍ଧିତ ଚାର୍ଜସିଟରେ ସୋନିଆ ଓ ରାହୁଲଙ୍କ ସହ ସାମ ପିଟ୍ରୋଦାଙ୍କ ନାଁ ବି ରହିଛି । ଏନେଇ ରାଉଜ ଏଭିନ୍ୟୁକୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ଏହି ତିନିଜଣ ବରିଷ୍ଠ ନେତାଙ୍କ ସହ ଆଉ କିଛି ଜଣଙ୍କ ନାଁ ରହିଛି । ଏପ୍ରିଲ ୨୫ରେ କୋର୍ଟ ଚାର୍ଜସିଟ ଉପରେ ଶୁଣାଣି କରିବେ । ପ୍ରଥମଥର ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ଏମାନଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି । ନିକଟରେ ଏଜେଲର (ଆସୋସିଏଟେଡ୍ ଜରନାଲସ୍ ଲିମିଟେଡ) ୮ଶହ କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିବା ପରେ ଇଡିର ଏହା ବଡ କାର୍ୟ୍ୟାନୁଷ୍ଠାନ ବୋଲି କୁହାଯାଉଥିବା ବେଳେ କଂଗ୍ରେସ ଏହାକୁ ନିନ୍ଦା କରି ପ୍ରତିକ୍ରିୟା ରଖିଛି । ଚାର୍ଜସିଟ ଦାଖଲକୁ ରାଜନୈତିକ ପ୍ରତିଶୋଧନ ନାଁ ଦେଇଛନ୍ତି ବରିଷ୍ଠ ନେତା ଜୟରାମ ରମେଶ । ତେବେ ଏହାର ଜବାବ ଦିଆଯିବ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଜୟରାମ ।