ଅବସରପ୍ରାପ୍ତ ବିଚାରପତି ଉମାଚରଣ ମିଶ୍ର ‘ସମୃଦ୍ଧ ଓଡ଼ିଶା’ର ନୂତନ ସଭାପତି

ଭୁବନେଶ୍ୱର : ସମୃଦ୍ଧ ଓଡିଶା ଦଳର ପ୍ରତିଷ୍ଠାତା ଡ.ଯତୀଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ଦଳ କାର୍ଯ୍ୟକାରିଣୀର ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡ. ମହାନ୍ତି ଦଳର ମୁଖ୍ୟ ଉପଦେଷ୍ଟା ଭାବେ ଏବଂ ଅବସରପ୍ରାପ୍ତ ବିଚାରପତି ଉମାଚରଣ ମିଶ୍ର ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଦଳର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବେଳେ ନୂତନ ସଭାପତିଙ୍କ ଅଧ୍ୟକ୍ଷତାରେ ଦଳର ଆଗାମୀ କାର୍ଯ୍ୟକାରିଣୀ ବୈଠକ ଏହି ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଏହାଛଡ଼ା ଆଗାମୀ ଦିନରେ ଦଳ ଅନୁସୂଚିତ ଜାତି ଜନଜାତି, କୃଷକ ଓ ମହିଳାଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମମାନ ହାତକୁ ନେବ ବୋଲି ନିଷ୍ପତ୍ତି ନିଆଯାଇଥିବାବେଳେ ଗଣ ସଚେତନତା ପ୍ରସ୍ତୁତ କରିବା ନିମନ୍ତେ ଏକ ସୁଦୀର୍ଘ ଖସଡ଼ା ପ୍ରସ୍ତୁତ କରାଯାଇଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଅନୁସୂଚିତ ଜାତିର ପ୍ରାର୍ଥୀ ରହିଥିବା ବିଧାନସଭା ମଣ୍ଡଳୀମାନଙ୍କରେ ବିଶେଷ କାର୍ଯ୍ୟକ୍ରମମାନ ଗ୍ରହଣ କରାଯିବ ବୋଲି ନବ ନିର୍ବାଚିତ ସଭାପତି ଜଷ୍ଟିସ୍‌ ଉମାଚରଣ ମିଶ୍ର ଗୁରୁତ୍ୱ ଆରୋପ କରିଛନ୍ତି। ପରିଶେଷରେ ଉପସଭାପତି ଉଇଙ୍ଗ କମାଣ୍ଡର ଗୋରାଚାନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର