ଭୁବନେଶ୍ବର: ଆସନ୍ତାକାଲି ‘ହାତ’ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ସୂଚନା ରହିଛି।
ଭାରତରେ ଏକତା ବଜାଇ ରଖିବା ଉଦ୍ଦେଶ୍ୟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାର ସଫଳତା ପରେ ଏବେ ‘ହାତ ସେ ହାତ ଯୋଡ଼’ ଯାତ୍ରା ଆରମ୍ଭ ହେଇଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ କାହିଁ କେତେ ଛାମୁଆଁ ନେତା ପ୍ରେରିତ ହେବା ସହିତ କଂଗ୍ରେସ ଆଡ଼କୁ ଢଳୁଛନ୍ତି।
ଏହାରି ଭିତରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ନେତୃତ୍ବରେ କିଛି ଯୁବ ନେତା କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ରହିଛି। ପିସିସି ସଭାପତିଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେବେ।
ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ ୨୦୧୩ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍ ସିଲେକ୍ସନ୍ କମିସନ୍ର ଅଧ୍ୟକ୍ଷ କରାଗଲା। ପରେ ପରେ ତାଙ୍କୁ ମାନବାଧିକାର କମିସନ୍ଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା। ସେ ୨୦୧୫ ଏପ୍ରିଲ୍ରେ ସେଠାରୁ ଇସ୍ତଫା ଦେଇଥିଲେ।
ରାଜନୀତିରେ ଯୋଗ ଦେବେ ବୋଲି ସରକାରୀ ପଦବୀରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ସେ ସମସ୍ତଙ୍କୁ ଚକିତ କରି ବେଦାନ୍ତରେ ଯୋଗ ଦେଇଥିଲେ। ପୁଣି ବେଦାନ୍ତ ବିଶ୍ୱବିଦ୍ୟାଳୟ ପରି ଏକ ବିବାଦୀୟ ପ୍ରକଳ୍ପର ମୁଖ୍ୟ ଭାବେ ଦାୟିତ୍ୱ ବି ନେଲେ। ଏହାପରେ ସେ ୨୦୧୭ରେ ବେଦାନ୍ତ ଛାଡ଼ିଦେଇଥିଲେ। ବର୍ତ୍ତମାନ କଂଗ୍ରେସରେ ଯୋଗଦେବା ନେଇ ସେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/VEDANTA-577x430-1.jpg)
