ମୋଦୀ ଭାରତୀୟଙ୍କ ଆସ୍ଥା ହରାଇଛନ୍ତି: ଡି. ରାଜା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଖ୍ୟାର ଖେଳରେ ଲୋକସଭାର ଅନାସ୍ଥା ପ୍ରସ୍ତାବ ଭୋଟ୍‌ରେ ବିଜୟୀ ହୋଇପାରନ୍ତି। ମାତ୍ର ଚାରି ବର୍ଷର କୁଶାସନ ଫଳରେ ତାଙ୍କ ସରକାର ଭାରତୀୟଙ୍କ ଆସ୍ଥା ହରାଇଛନ୍ତି। ସ୍ଥାନୀୟ ଭଗବତୀ ଭବନରେ ସିପିଆଇ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ସିପିଆଇର ଜାତୀୟ ସଂପାଦକ ଡି. ରାଜା ଆଜି ଏପରି କହିଛନ୍ତି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଜା ଆହୁରି କହିଲେ, ମୋଦୀଙ୍କ ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ଫମ୍ପା ଆଓ୍ଵାଜ ଓ ପ୍ରତାରଣାରେ ପରିଣତ ହୋଇଛି। କଳା ଟଙ୍କା ଉଦ୍ଧାର ପରିବର୍ତେ ତାଙ୍କର ନୋଟବନ୍ଦୀ କଳା ଟଙ୍କାକୁ ଧଳା କରିଦେଇଛି। ବର୍ଷକୁ ଦୁଇ କୋଟି ଯୁବକ/ଯୁବତୀ ନିଯୁକ୍ତି ପାଇବା ବଦଳରେ ଜିଏସ୍‌ଟି ଯୋଗୁଁ ଦୁଇ କୋଟି ଶ୍ରମିକ/କର୍ମଚାରୀ ସେମାନଙ୍କ ଜୀବିକା ହରାଇଛନ୍ତି। ଚାଷୀ ଫସଲର ଲାଭଜନକ ଦର ନ ପାଇ ଆତ୍ମହତ୍ୟା କରୁଛି। ଦରଦାମ୍‌ ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଜୀବନକୁ ଦୁର୍ବିସହ କରିଦେଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ମୋଦୀଙ୍କ ଶାସନରେ ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ର ବିପନ୍ନ ହୋଇଛି। ଦଳିତ, ସଂଖ୍ୟାଲଘୁ ଓ ଭିନ୍ନ ମତାବଲମ୍ବୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି। ଏଣୁ ଆଗାମୀ ନିର୍ବାଚନରେ ମୋଦୀ ସରକାରକୁ କ୍ଷମତାରୁ ହଟାଇବା ପାଇଁ ଦେଶର ସମସ୍ତ ଧର୍ମ ନିରପେକ୍ଷ, ଗାଣତାନ୍ତ୍ରିକ ଓ ବାମପନ୍ଥୀ ଶକ୍ତି ଏକାଠି ହେବାକୁ ସେ ଆହ୍ଵାନ ଦେଇଥିଲେ। ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ବିଜେଡି ଭାଗ ନେଇ କେନ୍ଦ୍ରୀୟ ଅବହେଳା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଓ ଓଡ଼ିଶାର ସ୍ୱାର୍ଥକୁ ଉପସ୍ଥାପିତ କରିବା ଉଚିତ ହୋଇଥାନ୍ତା ବୋଲି ଶ୍ରୀ ରାଜା କହିଥିଲେ।

ଏହି ଅବସରରେ ଆଗାମୀ ଅଗଷ୍ଟ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସିପିଆଇ ଦେଶବ୍ୟାପୀ ଅଭିଯାନ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏହି ସମୟ ମଧ୍ୟରେ ସମସ୍ତ ବ୍ଲକ ଓ ତହସିଲ ଅଫିସ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ। ଏହି ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର