ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆଜି

ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ୮୯ ଆସନରେ ଭୋଟ୍‌ ଗ୍ରହଣ ହେବ। ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଅଂଚଳରେ ହେବାକୁ ଥିବା ଏହି ନିର୍ବାଚନରେ ମୋଟ ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୧୨ କୋଟି ଭୋଟର୍‌। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ କମିସନ
ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ସରଗରମ ହୋଇଛି । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସ୍ପର୍ଶକାତର ବୁଥ୍‌ଗୁଡ଼ିକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜରାଟରେ ବିଜେପି ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ଥିବା ବେଳେ ସରକାର ବିରୋଧରେ ରହିଥିବା ଅସନ୍ତୋଷରୁ ଫାଇଦା ଉଠାଇ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ପ୍ରବଳ ପ୍ରୟାସ ଚଳାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, କଂଗ୍ରେସ ନେତା ଶକ୍ତିସିଂହ ଗୋହଲି ଏବଂ ପରେଶ ଧନାନି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏହି ନିର୍ବାଚନ ଆଉ ଏକ ଅଗ୍ନି ପରୀକ୍ଷା ଥିବା ବେଳେ ଖୁବଶୀଘ୍ର କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଯାଉଥିବା ରାହୁଲଙ୍କ ଭବିଷ୍ୟତ ପାଇଁ ମଧ୍ୟ ଏହା ନିର୍ଣ୍ଣାୟକ ହେବ। ଗତକାଲି କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୀଚ୍‌ ବୋଲି କହି ସମାଲୋଚନା କରିବା ପରେ ଗୁଜରାଟରେ କଂଗ୍ରେସର ଅଡ଼ୁଆ ବଢ଼ିଛି। ବିଜେପି ଏହାକୁ ଏକ ନିର୍ବାଚନୀ ପ୍ରସଙ୍ଗ କରି କଂଗ୍ରେସ ଉପରେ ଜୋର୍‌ଦାର ହମ୍‌ଲା କରୁଛି। ଦ୍ୱିତୀୟ ପର୍ଯ୍ୟାୟରେ ବଳକା ୯୩ ଆସନ ପାଇଁ ୧୪ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଡିସେମ୍ବର ୧୮ରେ ଫଳାଫଳ ଘୋଷଣା ହେବ।

ସମ୍ବନ୍ଧିତ ଖବର