ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ୫ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ଶୁକ୍ରବାର ୫ଜଣ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଦୁଇ ଦିନରେ ମୋଟ୍‌ ୬ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିବେ। ବିଜେପିର ମିସନ୍‌ -୨୦୨୪କୁ ସଫଳ କରିବାକୁ ତିନି କେନ୍ଦ୍ର ମନ୍ତ୍ରୀ ତିନିଟି ସଂସଦୀୟ କ୍ଷେତ୍ରରେ ଦଳର ସାଂଗଠନିକ ସମୀକ୍ଷା କରିବାର ଯୋଜନା ଅଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଯାଜପୁର ସଂସଦୀୟ କ୍ଷେତ୍ରର ଦାୟିତ୍ବ ଦିଆଯାଇଥିବାରୁ ସେ ଶୁକ୍ରବାର ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଯାଜପୁର ଯିବେ। ସେଠାରେ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ।

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତାକାଲି ଆସିବାକୁ ଥିବାବେଳେ ସେ କଟକ ସଂସଦୀୟ କ୍ଷେତ୍ରରେ ଦଳୀୟ ସାଙ୍ଗଠନିକ ସମୀକ୍ଷା କରିବେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ସାଙ୍ଗଠନିକ ସମୀକ୍ଷା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। କେନ୍ଦ୍ର ଶ୍ରମ ଏବଂ ନିୟୋଜନ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତ‌ରେ ଆସୁଥିବାବେଳେ ସେ ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶନିବାର ପୁରୀରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ଯୋଗଦେବା ସହ ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଚିଡ଼ିଆଖାନା ନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ‌େଚାବେ ବି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶୁକ୍ରବାର ରାତିରେ ଓଡ଼ିଶା ଗସ୍ତରେ ଆସିବେ।

ସେହିପରି କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିଶିଥ୍‌ ପରମାଣିକ୍ କେନ୍ଦ୍ରାପଡ଼ା ଲୋକସଭା ଦାୟିତ୍ବରେ ଥିବାବେଳେ ସେ ଶନିବାର କେନ୍ଦ୍ରାପଡ଼ା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର