ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ତୃଣମୂଳ ପ୍ରାର୍ଥୀଙ୍କୁ ସମର୍ଥନ କରିବ କଂଗ୍ରେସ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଶେଖର ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରେ ଆରମ୍ଭ ହେଉଛି। ଏହି ଅଧିବେଶନ କାଳରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ।

ମିଳିଥିବା ସୂଚନା ମୁତାବକ, କଂଗ୍ରେସ ମମତା ବାନାର୍ଜୀଙ୍କ ଦ୍ୱାରା ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରି ସାରିଛି। ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏପରି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ରାଜ୍ୟସଭାର ବିରୋଧୀ ପକ୍ଷରେ ୧୧୭ ସାଂସଦଙ୍କ ସମର୍ଥନ ଥିବା ବେଳେ ନିର୍ବାଚନ ଜିଣିବା ଲାଗି ୧୨୨ଟି ଭୋଟ ଆବଶ୍ୟକ। ଅନ୍ୟପକ୍ଷରେ ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଶାସକ ବିଜେପି ନେତୃତ୍ୱାଧୀନ ମେଣ୍ଟ ପାଖରେ ରହିଛି ୧୦୬ ସଦସ୍ୟଙ୍କ ସମର୍ଥନ । ଏଥିରେ ଏଆଇଡିଏମକେର ୧୪ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର ବିଜୁ ଜନତା ଦଳ ଏବଂ ତେଲେଙ୍ଗାନାର ଟିଆଇଏସ୍‌ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସୂଚନା ରହିଛି। ତେବେ ଆନ୍ଧ୍ରପ୍ରଦେଶର ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାଖରେ ୨ଜଣ ରାଜ୍ୟସଭା ସାଂସଦ ଥିବାବେଳେ ଦଳ କାହାକୁ ସମର୍ଥନ ଦେବ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନା ମୁତାବକ, ଦୀର୍ଘ ୨୬ ବର୍ଷ ପରେ ଦେଶରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି। ଶେଷଥର ଲାଗି ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ନଜମା ହେପାତୁଲ୍ଲା ଓ ବିରୋଧୀ ଦଳ ପ୍ରାର୍ଥୀ ରେଣୁକା ଚୌଧୁରୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର