ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବର୍ଷାସୋନୀ ମାମଲାରେ ଦଳରୁ ବତାଡିତ ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ନିଜର ପୁରୁଣା ଘରକୁ ପୁଣି ଥରେ ଫେରିଛନ୍ତି। ସେ ଶୁକ୍ରବାର ବିଜୁ ଜନତା ଦଳର ଉପ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ସହିତ ତାଙ୍କୁ ବିଜେଡି ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି। ଉପ ସଭାପତି ଦାୟିତ୍ୱ ନେବା ପୂର୍ବରୁ ରଘୁନାଥ ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ସୂଚନାଯୋଗ୍ୟ ପୂର୍ବତନ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି ବୋହୁ ବର୍ଷାସୋନୀ ଚୌଧୁରୀଙ୍କୁ ଯୌତୁକ ନିର୍ଯ୍ୟାତନ ଦେବା ଘଟଣାରେ ଛନ୍ଦି ହୋଇ ନିଜର ମନ୍ତ୍ରୀ ପଦ ହରାଇଥିଲେ। ବୋହୁଙ୍କ ଦ୍ୱାରା ଅଭିଯୋଗ ହେବା ପରେ ରଘୁ ମହାନ୍ତି ୨୦୧୩ରେ ପଶ୍ଚିମବଙ୍ଗରୁ ଗିରଫ ହୋଇଥିଲେ। ପରେ ସେ ୨୦୧୩ ମାର୍ଚ୍ଚ ୧୫ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବର୍ଷାସୋନୀ ୨୦୧୩ ମାର୍ଚ୍ଚ ୧୪ରେ ରଘୁନାଥ ମହାନ୍ତି, ତାଙ୍କ ପୁଅ ରାଜଶ୍ରୀ ମହାନ୍ତି, ଝିଅ ରୂପଶ୍ରୀ ଓ ଜ୍ୱାଇ ଶୁଭେନ୍ଦୁ ମଢୁଆଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।