ଚନ୍ଦ୍ରଶେଖର ସାହୁଙ୍କ ଇସ୍ତଫା ପରେ କଂଗ୍ରେସରେ ଝଡ଼ !

ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଏବଂ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିଜ ସମର୍ଥକଙ୍କ ସହ କଂଗ୍ରେସରୁ ଇସ୍ତଫା ଦେବା ପରେ ପୁଣି ତେଜିଛି ଅନ୍ତଃକନ୍ଦଳ ଚର୍ଚ୍ଚା। ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସରେ ରହିଆସିଥିବା ଶ୍ରୀ ସାହୁ ବର୍ଷ ବର୍ଷ ଧରି କଂଗ୍ରେସ ହାଇକମାଣ୍ଡ ଅବହେଳା କରିବାରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି କହୁଛନ୍ତି । ରାଜ୍ୟ କଂଗ୍ରେସକୁ ଜାତୀୟ କଂଗ୍ରେସ ନେତାଙ୍କ ଅବହେଳା, ଦଳୀୟ ବିଶୃଙ୍ଖଳା ଏବଂ କାର୍ଯ୍ୟପନ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚନ୍ଦ୍ରଶେଖର। କଂଗ୍ରେସରେ ଦଳୀୟ କନ୍ଦଳ ଯୋଗୁଁ ବିଜେପୁରରେ ଦଳ ମାଡ଼ ଖାଇଲା। ତେଣୁ ରାଜ୍ୟର ସ୍ଥିତି ଓ ସାଂଗଠନିକ ନିଷ୍କ୍ରିୟତା ଦେଖି ବାଧ୍ୟ ହୋଇ ଇସ୍ତଫା ପ୍ରଦାନ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଚନ୍ଦ୍ରଶେଖରଙ୍କ ସହ ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଏବଂ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ବି ନିଜ ଇସ୍ତଫାପତ୍ର ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଇଦେଇଛନ୍ତି। ଏହି ଘଟଣା ପରେ କଂଗ୍ରେସରେ କନ୍ଦଳ ଆହୁରି ବଢି ଯାଇଛି । ନେତା-ନେତାଙ୍କ ଭିତରେ ପୁଣି ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପର ପର୍ବ। କଂଗ୍ରେସରୁ ଇସ୍ତଫା ଦେବା ପରେ ଚନ୍ଦ୍ରଶେଖର ସାହୁ ଏବେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇପାରେ।

ଗୋଟିଏ ପଟେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଚନ୍ଦ୍ରଶେଖର ସାହୁ ଭଳି ଦଳର ବରିଷ୍ଠ ନେତାମାନେ କଂଗ୍ରେସ ଛାଡୁଥିବାବେଳେ ଆଜି ବଦଳିଛନ୍ତି ରାଜ୍ୟ ପ୍ରଭାରୀ। ଓଡ଼ିଶା ପାଇଁ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ। ୫ ବର୍ଷ ଧରି ଦଳର ପ୍ରଭାରୀ ରହିଥିବା ବି.କେ ହରିପ୍ରସାଦଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ଦାୟିତ୍ୱ ଦେଇଛି ଏଆଇସିସି। ବିଜେପୁର ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା । ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ବି.କେ ହରିପ୍ରସାଦଙ୍କ ବିରୋଧରେ ମଧ୍ୟ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ନିଜ ରାଜ୍ୟ କର୍ଣ୍ଣାଟକରେ ର୍ନିବାଚନ ଥିବାରୁ ପ୍ରଭାରୀ ପଦରୁ ଓହରିଯିବା ନେଇ ବି.କେ ହରିପ୍ରସାଦ ଆଗ୍ରହ ଦେଖାଇଥିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆଜି ବିକେ ହରିପ୍ରସାଦଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର