ଖୁରୁଧା ରଣଭୂଇଁରେ ପୁରୀର ଗଜପତି ! ମହାରାଜା ବୀରକିଶୋର ଦେବ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ

ଭୋଟ ପେଡ଼ିର ପୁରୁଣା କଥା-୨୬ / ସ୍ବରାଜ ମିଶ୍ର

‘‘ଟପ୍‌ ଟପ୍‌ ଘୋଡ଼ା ଚାଲେ, ଭରା ଦି’ପହର ଖରାବେଳେ…
ଅକ୍ଷୟ ମହାନ୍ତିଙ୍କର ‘କାଞ୍ଚି ଅଭିଯାନ’ ଗାଥାସଂଗୀତର ଧୂନ୍‌ ଏବେ ବି ଗୁଞ୍ଜରିଉଠେ କୋଟି ଓଡ଼ିଆଙ୍କ ପ୍ରାଣରେ। ପାଇକ ବୀରମାନଙ୍କୁ ସାଥିରେ ନେଇ ଗଙ୍ଗାରୁ ଗୋଦାବରୀ ଜୟ କରିଥିବା ଗଜପତି ରାଜାଙ୍କ କଥା ମନରେ ଆସେ। ତେବେ ଖୁରୁଧାଗଡ଼ରେ ନିଜେ ଗଜପତି ରାଜା ଯେ ନିର୍ବାଚନ ରଣଭୂଇଁରେ ଅବତୀର୍ଣ୍ଣ ହୋଇଥିଲେ ଏକଥା ହଠାତ୍‌ ବିଶ୍ୱାସ କରିହୁଏ ନାହିଁ। ନିର୍ବାଚନ ଯୁଦ୍ଧରେ ପୁରୀର ଗଜପତି ରାଜା !!

କିନ୍ତୁ କଥାଟି ସତ। ପୁରୀର ଗଜପତି ରାଜା ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀରେ ଅବତୀର୍ଣ୍ଣ ହୋଇଥିଲେ। ସେ ଲଢ଼ୁଥିଲେ ‘ଜନ କଂଗ୍ରେସ’ ଦଳର ଟିକେଟରେ ଏବଂ ତାଙ୍କୁ ସମ୍ମୁଖ ଯୁଦ୍ଧରେ ଟକ୍କର ଦେଉଥିଲେ କଂଗ୍ରେସ ଦଳର ନେତା ଡାକ୍ତର ବେଣୁଧର ବଳୀୟାରସିଂହ ୧୯୬୭ ବିଧାନସଭା ନିର୍ବାଚନରେ।

ବର୍ତ୍ତମାନ ରାଜଗାଦିରେ ଅଭିଷିକ୍ତ ଥିବା ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ (୪ର୍ଥ)ଙ୍କ ବାପା ଗଜପତି ବୀରକିଶୋର ଦେବ(୩ୟ)ଙ୍କର ଅଭିଷେକ ପୂର୍ବର ନାମ ଥିଲା ଜେନାମଣି ନୀଳକଣ୍ଠ ଦେବ। ତାଙ୍କର ଜନ୍ମ ହୋଇଥିଲା ୧୯୨୯ ମସିହା ଜୁଲାଇ ୨ ତାରିଖରେ। ବୀରକିଶୋର ଦେବ ଥିଲେ ଜଣେ ବହୁମୁଖୀ ପ୍ରତିଭା। ସେ ଥିଲେ ଜଣେ ସଫଳ କ୍ରୀଡ଼ାବିତ୍‌। ରାୟପୁର ରାଜକୁମାର କଲେଜ୍‌ରେ ପଢ଼ୁଥିବା ସମୟରେ ସେ ଲଗାତାର ଦୁଇବର୍ଷ ଧରି ୧୯୪୫ ଓ ୧୯୪୬ରେ ଆଥଲେଟିକ୍ସର ଅଲରାଉଣ୍ଡ ଚମ୍ପିଆନ ଥିଲେ। ୧୯୪୭-୪୮ରେ ସେ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ରାଜ୍ୟର ପ୍ରତିନିଧିତ୍ଵ ମଧ୍ୟ କରିଛନ୍ତି। ସେ କଲିକତାର ପ୍ରଖ୍ୟାତ ‘ମହମ୍ମଡାନ ସ୍ପୋର୍ଟିଂ କ୍ଲବ୍‌’ ଦଳରେ ଫୁଟବଲ ଖେଳୁଥିଲେ।

ଶିଶୁପୁତ୍ର ଦିବ୍ୟସିଂହ ଦେବଙ୍କ ସହ ଟେନିସ ଖେଳାଳି ବୀରକିଶୋର ଦେବ ( ଫାଇଲ୍ ଫଟୋ )

ତାଙ୍କ ନେତୃତ୍ଵରେ ପୁରୀରେ ଏକ ଫୁଟବଲ ଟିମ୍‌ ଗଠିତ ହୋଇ ସେତେବେଳେ ବେଶ୍‌ ନାଆଁ କରିଥିଲା। ସେ ଥିଲେ ଅଶ୍ୱଚାଳନାରେ ପାରଦର୍ଶୀ। କଲିକତା ଟର୍ଫ କ୍ଲବ୍‌ରେ ଆୟୋଜିତ ହେଉଥିବା ଅଶ୍ୱଚାଳନା ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରୁଥିଲେ ଏବଂ ଟେନିସ୍‌ ମଧ୍ୟ ଖେଳୁଥିଲେ। ତା ଛଡ଼ା ସେ ଥିଲେ ଜଣେ ଚିତ୍ରଶିଳ୍ପୀ ଓ ସଂଗୀତ ପ୍ରେମୀ। ୧୯୫୭ ମସିହାରେ ତାଙ୍କର ପିତା ଗଜପତି ରାମଚନ୍ଦ୍ର ଦେବ(୪ର୍ଥ)ଙ୍କ ମୃତ୍ୟୁପରେ ୨୮ ବର୍ଷ ବୟସରେ ସେ ପୁରୀର ରାଜଗାଦିରେ ଅଭିଷିକ୍ତ ହୋଇ ଗଜପତି ବୀରକିଶୋର ଦେବ ନାମ ଧାରଣ କରିଥିଲେ।

ତେବେ ରାଜଗାଦିରେ ଅଭିଷିକ୍ତ ହେବାର ମାତ୍ର ଦଶବର୍ଷପରେ ୧୯୬୭ରେ ସେ ନିର୍ବାଚନ ରାଜନୀତିକୁ ଓହ୍ଲାଇଥିଲେ। ସେତେବେଳକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ କଂଗ୍ରେସରୁ ବାହାରି ଆସି ନିଜର ‘ଜନ କଂଗ୍ରେସ’ ଦଳ ଗଢ଼ିଥାନ୍ତି ଓ ସାରା ରାଜ୍ୟରେ ନିଜର ପ୍ରାର୍ଥୀ ଦେଇଥାନ୍ତି। ସେହି ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ ମହାରାଜା ବୀରକିଶୋର ଦେବ। ୧୯୬୧ ନିର୍ବାଚନରେ ତାଙ୍କ ଭାଇ ଥାଟରାଜା ରାଜରାଜ ଦେବ ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ‘ଗଣତନ୍ତ୍ର ପରିଷଦ’ ଟିକେଟରେ ବିଜୟୀ ହୋଇଥିଲେ। ତାଙ୍କ ଭିଣୋଇ କଳାହାଣ୍ଡିର ମହାରାଜା ପ୍ରତାପକେଶରୀ ଦେଓ ମଧ୍ୟ ଦୀର୍ଘଦିନ ଧରି ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟି ତରଫରୁ କଳାହାଣ୍ଡିର ପ୍ରତିନିଧିତ୍ଵ କରିଥିଲେ।
ତେବେ ନିର୍ବାଚନ ଯୁଦ୍ଧ ପ୍ରଥମକରି ଲଢ଼ୁଥିବା ଗଜପତି ବୀରକିଶୋର ଦେବ ଖୋର୍ଦ୍ଧା ଭୂଇଁରେ ବହୁଭୋଟରେ ବିଜୟୀ ହୋଇଥିଲେ। ମୋଟ ୩୨,୯୯୬ଟି ବୈଧ ଭୋଟ ମଧ୍ୟରୁ ବେଣୁଧର ବଳୀୟାରସିଂହ ୮,୯୨୬ ଭୋଟ ପାଇଥିଲାବେଳେ ଗଜପତି ୧୬,୩୦୩ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନରେ ୪୯ଟି ଆସନ ପାଇଥିବା ସ୍ୱତନ୍ତ୍ର ପାର୍ଟି ଓ ୨୬ଟି ଆସନ ପାଇଥିବା ଜନକଂଗ୍ରେସ ଦଳ ମିଶି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ସରକାର ଗଠନ କରିଥିଲେ। ଗଜପତି ମହାରାଜା ବୀରକିଶୋର ଦେବ ଏହି ସରକାରର କାର୍ଯ୍ୟକାଳ ମଧ୍ୟରେ ୧୯୭୦ ମସିହାରେ ମାତ୍ର ୪୧ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ। ରାଜନୀତି କ୍ଷେତ୍ରରେ ବହୁ ଆଗକୁ ଯିବାର ସାମର୍ଥ୍ୟ ରଖିଥିଲେ ମଧ୍ୟ ତାଙ୍କର ସଂକ୍ଷିପ୍ତ ଜୀବନକାଳ ତାଙ୍କୁ ସେଥିପାଇଁ ସୁଯୋଗ ଦେଇନଥିଲା।

ଖୁରୁଧା ନିର୍ବାଚନ ରଣଭୂଇଁରେ ବିଜୟ ବୈଜୟନ୍ତ ଉଡ଼ାଇ ବିଧାନସଭାକୁ ଆସିଥିବା ଠାକୁରରାଜା ମାତ୍ର ତିନିବର୍ଷ ବିଧାନସଭାରେ ସରକାରୀ ପକ୍ଷରେ ବସିବା ପରେ ନିତ୍ୟଧାମକୁ ବାହୁଡ଼ିଯାଇଥିଲେ।

ସମ୍ବନ୍ଧିତ ଖବର