କୋରାପୁଟ: ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ। ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ବି ବିଜେପି ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଉଭୟ ବାପପୁଅ ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ସେମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ।

Advertisment

publive-image

ବାପପୁଅ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗଦେବାକୁ ଯାଉଛନ୍ତି ବୋଲି ସୂଚନ‌ା ରହିଛି। ଆସନ୍ତା ୨୭ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍‌ଏସ୍‌ରେ ଆନୁଷ୍ଠାନିକ ଭାବେ ସାମିଲ ହେବେ। ସେହିପରି ୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ସେହିଦିନ ବିଆର୍‌ଏସ୍‌ରେ ଯୋଗଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

publive-image

ବିଆରଏସ୍‌ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପରେ ନୂଆ ରାଜନୈତିକ ସମୀକରଣର ଇସାରା ଦେଇଥିଲେ ଗିରିଧର, ଜୟରାମ ଏବଂ ଶିଶିର। ବିଜେପିରେ କୋଣଠେସା ହେବାପରେ ନୂଆ ରାଜନୈତିକ ସାଥୀ ସନ୍ଧାନରେ ରହିଥିଲେ। ୧୦ଦିନ ତଳେ ବିଆର୍‌ଏସ୍‌ ମୁଖ୍ୟଙ୍କୁ ଭେଟିବା ପରେ ରାଜନୈତିକ ଆକଳନ ଆରମ୍ଭ ହୋଇଥିଲା। କିନ୍ତୁ, ବିଆର୍‌ଏସ୍‌ରେ ସାମିଲ ହେବା ସଂପର୍କରେ ଦୁଇ ବରିଷ୍ଠ ନେତା ଜୟରାମ ଏବଂ ଗିରିଧର ମାପିଚୁପି ପ୍ରତିକ୍ରିୟା ଦେଇଥିଲେ। ଶେଷରେ ଆଜି ଜୟରାମ ପାଙ୍ଗି ଚର୍ଚ୍ଚାରେ ବିରାମ ଲଗାଇ ଗୋଟିଏ ଭିଡିଓ ଜାରି କରିଥିଲେ। ସେଥିରେ ସେ ଆସନ୍ତା ୨୭ତାରିଖରେ ବିଆର୍‌ଏସ୍‌ରେ ଯୋଗ ଦେଉଥିବା ପ୍ରକାଶ କରିଛନ୍ତି।