ଭୁବନେଶ୍ବର: ରାଜ୍ୟରେ ସାର ସମସ୍ୟାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ (ବିଜେଡି) ବିଧାନସଭାରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି। ମୌସୁମୀ ଅଧିବେଶନରେ ବିଜେଡି ନାରୀ ନିର୍ଯାତନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇବ ବୋଲି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

Advertisment

ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ରଥଯାତ୍ରାରେ ସରକାରଙ୍କ ବିଫଳତା ନେଇ ପ୍ରଶ୍ନ ଉଠାଇବା ନିଷ୍ପତ୍ତି ନେଇଥିବା କହିଛନ୍ତି। ନବୀନ ନିବାସରୁ ବାହାରିବା ପରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଚଳିତ ବିଧାନସଭାରେ ବିଜେଡ଼ି ଉଠାଇବାକୁ ଥିବା ପ୍ରସଙ୍ଗ ଗୁଡିକ ବାବଦରେ କହିଛନ୍ତି।

ସେ କହିଛନ୍ତି ରାଜ୍ୟରେ ସାର ବଣ୍ଟନରେ ବିଫଳ ହୋଇଛନ୍ତି ସରକାର। ସମବାୟ ସୂତ୍ରରେ ସାର ମିଳୁନାହିଁ। ଚାଷୀମାନେ ଲମ୍ବା ଧାଡ଼ିରେ ରାତିରୁ ଆସି ଠିଆ ହେଉଛନ୍ତି। ଓଡ଼ିଶାର ଜନସାଧାରଣ ଯନ୍ତ୍ରଣାରେ ପେଷି ହେଉଛନ୍ତି। କଲବଜାରୀରେ ତିନି ଗୁଣ ଚାରି ଗୁଣ ଚଢ଼ା ଦରରେ ସାର ମିଳୁଛି। ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଠିକ ଭାବେ ହେଉନାହିଁ। ସରକାର କେବଳ ଘୋଷଣା କରିଛନ୍ତି। ବାସ୍ତବରେ କିଛି କରିନାହାନ୍ତି। ତେଣୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ମହିଳା ହିଂସା ବଢ଼ିବାରେ ଲାଗିଛି। ନାରୀମାନେ ରାସ୍ତାରେ ସୁରକ୍ଷିତ ନାହାନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସରକାର ଆକ୍ରମଣ କରିବା ସହ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଙ୍କୁଚିତ କରିବାରେ ଲାଗିଛନ୍ତି। କ୍ଷମତା ବିକେନ୍ଦ୍ରୀକରଣ ନୀତି ବିରୁଦ୍ଧରେ ସରକାର ଯାହା କରୁଛନ୍ତି ସେହି ପ୍ରସଙ୍ଗ ବିଧାନସଭାରେ ଉଠିବ। ଏମିତିକି ଶ୍ରୀମନ୍ଦିର ପ୍ରସଙ୍ଗ ସମେତ ରଥଯାତ୍ରା ସମୟରେ ସରକାର ବିଫଳ ହେଲେ ଓ ଏହା ଓଡ଼ିଆ ଜାତିର ସ୍ୱାଭିମାନ ପ୍ରତି ଯେଉଁ ଆଘାତ ହୋଇଛି ଏ ସମସ୍ତ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବେ ବୋଲି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ଅନାସ୍ଥା ପ୍ରସଙ୍ଗରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, କୌଣସି ଆଲୋଚନା ହୋଇନି। ଆମେ ଗଣମାଧ୍ୟମରୁ ଜାଣିଲୁ କଂଗ୍ରେସ ଅନାସ୍ଥା ପ୍ରସାବ ଆଣିଛି। ଏହି ପ୍ରସ୍ତାବକୁ ବାଚସ୍ପତି କେବେ ଗ୍ରହଣ କରିବେ ଜଣାନାହିଁ। ତେଣୁ ଆଗୁଆ ନିଷ୍ପତ୍ତି ନେବା ଠିକ ନୁହଁ। ଅନାସ୍ଥା ସମ୍ପର୍କରେ ଦଳ ଠିକ ସମୟରେ ନିଷ୍ପତ୍ତି ନେବ। ପ୍ରଥମେ ବାଚସ୍ପତି ଗ୍ରହଣ କରନ୍ତୁ। ନଈ ନଦେଖୁଣୁ ଲଙ୍ଗଳା ହେବା ଉଚିତ ନୁହଁ। ବିଜୁ ଜନତା ଦଳ ଏକ ବୃହତ୍ତର ବିରୋଧୀ ଦଳ ଓ ସ୍ୱାଧୀନ ଦଳ। ତେଣୁ ଦଳ ନିଜେ ତାର ନିଷ୍ପତ୍ତି ନେବ। 

Prasanna Acharya | BJD