ନିର୍ବାଚନ ଡ୍ୟୁଟି ବାତିଲ କରିବାକୁ ପ୍ରୟାସ କରୁଛନ୍ତି ସରକାରୀ କର୍ମଚାରୀ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସରକାରୀ କର୍ମଚାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ନିର୍ବାଚନ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀମାନେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ ପରିଚାଳନାରେ ନିଜକୁ ଦୂ‌େରଇ ରଖିବାକୁ ପ୍ରୟାସ କରୁଥିବା ଜଣାପଡିଛି। ସରକାରୀ କର୍ମାଚାରୀମାନେ ଅଧିକ ରୁ ଅଧିକ ସ୍ବାସ୍ଥ୍ୟଗତ କାରଣ ଦର୍ଶାଉଥିବା ବେଳେ କିଛି କୌତୁହଳପୂର୍ଣ୍ଣ ବ୍ୟକ୍ତିଗତ କାରଣ ମଧ୍ୟ ଉପସ୍ଥାପନ କରୁଛନ୍ତି। ନିର୍ବାଚନ ଡ୍ୟୁଟି ବାତିଲ କରିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ଦ୍ବାରା ଚାପ ମଧ୍ୟ ପକାଉଥିବା କୁହାଯାଉଛି। ଯଦିଓ ସାରା ଦେଶରେ କେତେ ସଂଖ୍ୟକ କର୍ମଚାରୀ ନର୍ବାଚନ ଡ୍ୟୁଟି ବାତିଲ କରିବା ପାଇଁ ଆବେଦନ କରିଛନ୍ତି ସେ ସମ୍ପର୍କରେ କୌଣସି ପ୍ରକାର ସଠିକ ବିବରଣୀ ହାସଲ ହୋଇନି, କିନ୍ତୁ ବର୍ତ୍ତମାନ ସୁଦ୍ଧା ତିନିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ସରକାରୀ କର୍ମଚାରୀ ବିଭିନ୍ନ କାରଣ ଦର୍ଶାଇ ନିର୍ବାଚନ ଡ୍ୟୁଟି ବାତିଲ କରିଥିବା ସୂତ୍ରରୁ ଜଣା ପଡ଼ିଛି। ରାଜଧାନୀ ଦ୍ଲିଲୀରେ ମେ’ ୧୨ରେ ସମସ୍ତ ଲୋକସଭା ଆସନ ପାଇଁ ନିର୍ବାଚନ ହେବ। ପରିସ୍ଥିତି ଏମିତି ହେଲାଣି ବର୍ତ୍ତମାନଠାରୁ ପାଖାପାଖି ୧ ୫ ଶହ ସରକାରୀ କର୍ମଚାରୀ ନିର୍ବାଚନ ଡ୍ୟୁଟି ବାତିଲ କରିବା ପାଇଁ ଡିଏମ୍, ଏଡିଏମ୍ ଓ ଏସଡିଏମ୍ଙ୍କ ନିକଟରେ ଆବେଦନ କରିଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନିର୍ବାଚନ ଡ୍ୟୁଟି ବାତିଲ କରିବା ପାଇଁ ମହିଳା ମାନେ ବେଶୀ ଆବେଦନ କରୁଛନ୍ତି।

ପ୍ରତ୍ୟେକ ବୁଥ୍‌ରେ ମହିଳା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଡ୍ୟୁଟିର ବ୍ୟବସ୍ଥା ରହିଛି। ଅଧିକାରୀ ମାନେ ନିର୍ବାଚନ ଡ୍ୟୁଟି ବାତିଲ କରିବା ସମ୍ପର୍କିତ ଅବେଦନ ଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ନେଇ ନାହାନ୍ତି। ଅପରପକ୍ଷେ ଯଦି କୌଣସି ସରକାରୀ କର୍ମଚାରୀ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମେଡିକାଲ ସାର୍ଟିଫିକେଟ୍ ଦାଖଲ କରନ୍ତି ତେବେ ସେମାନଙ୍କ ମେଡିକାଲ ସାର୍ଟିଫିକେଟକୁ କ୍ରସ ଚେକ୍ କରାଯିବା ସହ ଡାକ୍ତରଙ୍କୁ ନୋଟିସ୍ ଜାରି ହେବ ବୋଲି ଅଧିକାରୀମାନେ କହିଛନ୍ତି। ବିନା କାରଣରେ ନର୍ବାଚନ ଡ୍ୟୁଟି ବାତିଲ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ମାନଙ୍କ ପକ୍ଷରୁ ଚେତାବନୀ ଦିଅଯାଇଛି। ଉଲ୍ଲେଖଯୋଗ୍ୟ ୨୦୦୪ ଓ ୨୦୦୯ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଦାୟିତ୍ବରେ ନିୟୋଜିତ ଅନେକ ସରକାରୀ କର୍ମଚାରୀମାନେ ଶେଷ ମୁହୂର୍ତ୍ତରେ ଦାୟିତ୍ବରୁ ଓହରି ଯାଇଥିଲେ। ଫଳରେ ନିର୍ବାଚନରେ ବାଧା ସୃଷ୍ଟି ହୋଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ ସରକାରୀ କର୍ମଚାରୀମାନେ ନିର୍ବାଚନ ଡ୍ୟୁଟିରେ ସାମିଲ ହୋଇ ନିର୍ବାଚନ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିଥିଲେ। ହେଲେ ଏଥର ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ନିର୍ବାଚନ ଡ୍ୟୁଟି ବାତିଲ କରିବା ସମସ୍ୟା ରାଜ୍ୟର ନିର୍ବାଚନ ଅଧିକାରୀ ମାନଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର