ଗୁଜରାଟ ଲଢ଼େଇ: ଜାତିଗତ ସମୀକରଣ ଅଡ଼ୁଆ ବଢ଼ୁଛି

ଅହମଦାବାଦ: ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢ଼େଇ ଜୋର୍‌ଦାର ହେବାରେ ଲାଗିଛି। ଉଭୟ ଦଳ ନିଜକୁ ଆଗରେ ରଖିବା ପାଇଁ ନୂଆ ନୂଆ ରଣନୀତି ପ୍ରୟୋଗ କରୁଛନ୍ତି। ବିଜେପି ଯେଉଁଠି ନିଜ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ଏବଂ ବିକାଶର ଦାବିକୁ ଅସ୍ତ୍ର କରି ଆଗକୁ ବଢ଼ିବାକୁ ଚାହୁଥିବା ବେଳେ କଂଗ୍ରେସ ଜାତିଗତ ସମୀକରଣ ଆଧାରରେ ବିଜେପିର ଦୁର୍ଗ ପତନ ଘଟାଇବାକୁ ଚାହୁଛି । କଂଗ୍ରେସ ଜାତିଗତ ସମୀକରଣ ଆଧାରରେ ବିଜେପିର ଖେଳ ବିଗାଡ଼ିବା ପାଇଁ ଯୋଜନାକୁ ଏବେ ଚୂଡ଼ାନ୍ତ ରୂପ ଦେଉଛି। ତେବେ ଦଳିତ, ପଟିଦାର ଏବଂ ଓବିସି ନେତାଙ୍କୁ ମନାଇ ଭୋଟ୍‌ ହାସଲ ଲକ୍ଷ୍ୟ ରଖିଥିବା କଂଗ୍ରେସ ଏହି ନେତାମାନଙ୍କୁ ସଂରକ୍ଷଣ ନେଇ କୌଣସି ପ୍ରତିଶ୍ରୁତି ଦେଲେ ହିଁ ଏହାର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କୁହାଯାଉଛି । ବିଜେପି ନେତାମାନେ କହିଛନ୍ତି ଯେ କଂଗ୍ରେସର ଏହି ରଣନୀତି କାମ ଦେନାହିଁ ଏବଂ ଏହା କଂଗ୍ରେସର ଘୋର ବିପର୍ଯ୍ୟୟ ଘଟାଇବ ।

ଓବିସି ଏବଂ ପଟିଦାରଙ୍କ ସମର୍ଥନ ହାସଲ କରିବା ପାଇଁ କଂଗ୍ରେସ ଯେଉଁ ଚାଲ ଖେଳୁଛି । ତାହା ମହଙ୍ଗା ପଡ଼ିବ ଏବଂ ଉଭୟ ସଂପ୍ରଦାୟର ଦାବି ପରସ୍ପରରର ବିରୋଧୀ ଥିବାରୁ ଏଥିରେ କଂଗ୍ରେସ ଫସିବ ବୋଲି ବିଜେପି ନେତାମାନେ କହିଛନ୍ତି। ପଟିଦାର ନେତା ହାର୍ଦ୍ଦିକ ପଟେଲ ଗତକାଲି କଂଗ୍ରେସକୁ ପଟିଦାର ସଂପ୍ରଦାୟର ସଂରକ୍ଷଣ ଦାବି ନେଇ ୩ ନଭେମ୍ବର ସୁଦ୍ଧା ନୀତି ସ୍ପଷ୍ଟ କରିବାକୁ କହିଛନ୍ତି, ଅନ୍ୟଥା କଂଗ୍ରେସ ଏହାର ପରିଣତି ଭୋଗିବ ବୋଲି ଚେତାଇ ଦେଇଛନ୍ତି। ସଂରକ୍ଷଣ ନୀତିକୁ ନେଇ ପଟିଦାର ଏବଂ ଓବିସି ସଂପ୍ରଦାୟ ମଧ୍ୟରେ ସନ୍ତୁଳନ ରକ୍ଷା କିଭଳି କରାଯିବ ଓ ସେ ନେଇ କଂଗ୍ରେସ ପାଖରେ କି ଯୋଜନା ରହିଛି ତାହା ସ୍ପଷ୍ଟ ହୋଇନାହିଁ। ସଂରକ୍ଷଣ କୋଟରେ ୫୦ ପ୍ରତିଶତ ସାମ୍ବିଧାନିକ ସୀମା ଯୋଗୁଁ କୌଣସି ଦଳ ନିମନ୍ତେ ଏ ବାବଦରେ ମନଇଛା ପ୍ରତିଶ୍ରୁତି ଦେବା ସମ୍ଭବ ନୁହେଁ। ପଟିଦାରମାନଙ୍କୁ ଅଲଗା ସଂରକ୍ଷଣ ଦେବାପାଇଁ କୌଣସି ଦଳ ଗ୍ୟାରେଣ୍ଟି ଦେଇପାରିବେ ନାହିଁ ବୋଲି କୁହାଯାଉଛି । ଯଦି ଓବିସି କୋଟାରେ ପଟିଦାରଙ୍କୁ ସାମିଲ କରିବାକୁ ପ୍ରତିଶ୍ରୁତି କଂଗ୍ରେସ ଦେବ ତା’ହେଲେ ଅନ୍ୟ ପଛୁଆ ବର୍ଗର ଲୋକେ ଏଥିରେ ଘୋର ଅସନ୍ତୋଷ ଜାହିର କରିବେ। ସେମାନଙ୍କ ସଂଖ୍ୟା ମୋଟ ଭୋଟର୍‌ ସଂଖ୍ୟାର ୪୦ ପ୍ରତିଶତ ହେଉଥିବାରୁ କଂଗ୍ରେସ ହାର୍ଦ୍ଦିକଙ୍କୁ କିଭଳି ସନ୍ତୁଷ୍ଟ କରିବ ସେ ନେଇ ଚିନ୍ତାରେ ପଡ଼ିଛି ।

୧୯୯୫ରୁ ଗୁଜରାଟରେ କ୍ଷମତାରେ ଥିବା ବିଜେପି ପ୍ରତ୍ୟେକ ନିର୍ବାଚନରେ ହିନ୍ଦୁତ୍ୱ ଏବଂ ବିକାଶକୁ ଏଜେଣ୍ଡା କରି ପ୍ରଚାର ଆଗକୁ ବଢ଼ାଇ ଆସିଛି । ପଟିଦାର ସଂପ୍ରଦାୟ ବିଜେପିକୁ ସବୁ ନିର୍ବାଚନରେ ସମର୍ଥନ କରିଆସିଛନ୍ତି। ଏବେ ହାର୍ଦ୍ଦିକ କଂଗ୍ରେସକୁ ସମର୍ଥନ କଲେ ମଧ୍ୟ ଏହି ସଂପ୍ରଦାୟର ଭୋଟ୍‌ରେ ବଡ଼ ଧରଣର ବିଭାଜନ ହେବ ବୋଲି କୁହାଯାଉଛି । ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଲାଗୁ କରିବାକୁ କଂଗ୍ରେସ ଜୋରଦାର ବିରୋଧ କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ଏହାର ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛି । ବିମୁଦ୍ରାକରଣର ବର୍ତ୍ତପୂର୍ତ୍ତି ଅବସରରେ କଂଗ୍ରେସର କଳା ଦିବସ ବିରୋଧରେ ଗୁଜରାଟରେ କଳାଧନ ବିରୋଧୀ ଦିବସ ମନାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ବିମୁଦ୍ରାକରଣକୁ ନେଇ ଉତ୍ସବ ମନାଇବା ବିଜେପି ପାଇଁ କ୍ଷତିକାରଣ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ କହିଛନ୍ତି। ଏହା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଅପମାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର