ଗୁଜରାଟ ନିର୍ବାଚନ : ନିର୍ଣ୍ଣାୟକ ଲଢ଼େଇରେ କଂଗ୍ରେସ, ବିଜେପି

୬୪ ଆସନରେ ଲଟକିଛି ଭାଗ୍ୟ

ନୂଆଦିଲ୍ଲୀ: ଚଳିତ ଗୁଜରାଟ ବିଧାନସଭା ନିର୍ବାଚନ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ବିଗତ ୨୦ ବର୍ଷ ମଧ୍ୟରେ ଏଭଳି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିନଥିବା ବେଳେ ଏଥରର ଲଢ଼େଇ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ରାଜନୀତିକୁ ଆସିବା ପରେ ଗୁଜରାଟରେ ବିଜେପିର ବଡ଼ ଧରଣର କ୍ଷତି ପହଞ୍ଚିଥିବା ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ୨୦୧୪ ପରେ ରାଜ୍ୟରେ ଦୁର୍ନୀତି ମାମଲା, ଦୁର୍ବଳ ପ୍ରଶାସନ ଏବଂ ଜାତି ଆଧାରିତ ବିରୋଧ ପ୍ରଦର୍ଶନ ବିଜେପି ପାଇଁ ଘୋର ସଙ୍କଟ ସୃଷ୍ଟି କରିଛି। ଦଳ ରାଜ୍ୟରେ ଏବେ ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି। ଏଭଳି ସ୍ଥିତିରେ କଂଗ୍ରେସ ପାଇଁ କ୍ଷମତାକୁ ଫେରିବା ନିମନ୍ତେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। କଂଗ୍ରେସ ସପକ୍ଷରେ ଏବେ ଯେଉଁ ବାତାବରଣ ସୃଷ୍ଟି ହୋଇଛି ତାହାକୁ ଭୋଟ୍‌ରେ ପରିଣତ କରିବା ପାଇଁ ଦଳ ଜୋର୍‌ଦାର ପ୍ରୟାସ ଚଳାଇଛି। ଜନସାଧାରଣ ଜିଏସ୍‌ଟି, ବିମୁଦ୍ରାକରଣକୁ ବିରୋଧ କରି ମତ ଦେଉଥିବା ବେଳେ ପଟିଦାର, ଓବିସି ଏବଂ ଦଳିତ ଆନ୍ଦୋଳନ ବିଜେପିର ସଙ୍କଟକୁ ବଢ଼ାଇ ଦେଇଛି।

ରାଜ୍ୟରେ ୧୯୯୫ରୁ ୨୦୧୨ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ପରିଣାମରୁ ଜଣାପଡ଼ିଛି ଯେ ବିଜେପି କଂଗ୍ରେସଠାରୁ ୯ରୁ ୧୧ ପ୍ରତିଶତ ଭୋଟ୍‌ ଅଧିକ ପାଇଁ ନିର୍ବାଚିତ ହୋଇଆସୁଛି । ଏଥର ସ୍ଥିତିରେ କଂଗ୍ରେସ ସପକ୍ଷରେ ମାତ୍ର ଅଧିକ ୫ ପ୍ରତିଶତ ଭୋଟ୍‌ ରାଜ୍ୟ ରାଜନୀତିକୁ ବଦଳାଇ ଦେବାକୁ ସକ୍ଷମ ହେବ ଏବଂ ବିଜେପି ଶାସନର ଅନ୍ତ ଘଟାଇବ ବୋଲି ଆକଳନ କରାଯାଇଛି। ବିଜେପି ୧୯୯୫ ପରଠାରୁ ଲଗାତାର ୪୦ରୁ ୪୯ ପ୍ରତିଶତ ଭୋଟ ହାସଲ କରିଆସିଛି। ଅନ୍ୟପକ୍ଷରେ କଂଗ୍ରେସର ଭୋଟ୍‌ ପ୍ରତିଶତ ୨୦୦୨ରେ ସର୍ବାଧିକ ୩୯.୨୮ ପ୍ରତିଶତ ରହିଥିଲା। ୨୦୧୨ରେ କଂଗ୍ରେସର ଭୋଟ୍‌ ପ୍ରତିଶତ ଥିଲା ୩୮.୯୩ ପ୍ରତିଶତ।

ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଗୁଜରାଟର ମୋଟ ୧୮୨ ବିଧାନସଭା ଆସନରୁ ପ୍ରକୃତ ଲଢ଼େଇ ୬୪ ଆସନରେ ସୀମିତ ରହିଛି। ଏହି ଆସନଗୁଡ଼ିକର ଫଳାଫଳ ହିଁ ରାଜ୍ୟରେ ପରବର୍ତ୍ତୀ ସରକାର କିଏ ଗଢ଼ିବ ତାହା ନିର୍ଦ୍ଧାରଣ କରିବ। ୨୦୧୨ରେ ଏହି ୬୪ଟି ଆସନରେ ଅତ୍ୟନ୍ତ କମ୍‌ ଭୋଟ୍‌ ବ୍ୟବଧାନରେ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ଏଥିରୁ ୬୨ ଆସନରେ ବିଜୟ ବ୍ୟବଧାନ ୧୬୨ରୁ ୯୯୨୪ ଭୋଟ୍‌ ମଧ୍ୟରେ ରହିଥିଲା। ଉଭୟ ଦଳ ଏହି ସ୍ଥିତିରେ ୩୧ଟି ଲେଖାଏଁ ଆସନ ଦଖଲ କରିଥିଲେ। ଏହି ଆସନଗୁଡ଼ିକରେ ଏବେ ଶାସକଦଳ ବିରୋଧରେ ଚାଲିଥିବା ଲହରକୁ ନେଇ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ନେଇ ଆଶାବାଦୀ ରହିଛି ଏବଂ ବିଜେପିର ଉଦ୍‌୍‌ବେଗ ବଢ଼ିଯାଇଛି। ଏଭଳି ସ୍ଥିତିରେ ସବୁ ପ୍ରସଙ୍ଗକୁ ଗୌଣ କରି ନିର୍ବାଚନକୁ ରାହୁଲ ବନାମ ମୋଦି କରିବା ପାଇଁ ବିଜେପି ତା’ର ରଣନୀତି କାର୍ଯ୍ୟକାରୀ କରିଛି। ମୋଦିଙ୍କ ଗୁଜରାଟୀ ଭାଷଣ ଏବଂ ହାଇଭୋଲଟେଜ ପ୍ରଚାର ଅଭିଯାନ ହିଁ ଦଳ ପାଇଁ ସାହା ଭରସା ପାଲଟିଛି।

ସମ୍ବନ୍ଧିତ ଖବର