ଗୁଜରାଟ ନିର୍ବାଚନ: ବିଜେପି-କଂଗ୍ରେସର ଫୋକସ୍‌ରେ ଗାଁ

ମୋଦିଙ୍କ ୧୦ଟି ସଭା, ରାହୁଲ ବୁଲିଲେ ୧୪ଟି ଜିଲ୍ଲା

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଗ୍ରହଣ ଆଉ ୨ ଦିନ ପରେ ହେବ। ଏଥି ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ମାରାଥନ ନିର୍ବାଚନ ପ୍ରଚାର ଚାଲିଛି। ଉଭୟ ଦଳର ପ୍ରମୁଖ ନେତାମାନେ ଜାତୀୟ ପ୍ରସଙ୍ଗକୁ ଉଠାଇ ଲୋକଙ୍କର ନିକଟତର ହେବାକୁ ଉଦ୍ୟମ କରିଛନ୍ତି। ଗୁଜରାଟ ବିଧାନସଭାର ୧୮୨ଟି ସିଟ୍‌ରୁ ୧୩୪ଟି ଗ୍ରାମାଞ୍ଚଳ ଲୋକଙ୍କ ମତଦାନ ଉପରେ ନିର୍ଭର କରୁଛି। ସେଥିପାଇଁ ଉଭୟ ଦଳ ଗ୍ରାମାଞ୍ଚଳରେ ଯୋରଦାର ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରାମାଞ୍ଚଳରେ ୧୦ଟି ସଭା କରିଥିବା ବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ୧୪ଟି ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି।

ବିଧାନସଭା ୨୦୧୨ର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୧୬ଟି ସିଟରେ ବିଜୟୀ ହୋଇଥିଲା। ଗ୍ରାମାଞ୍ଚଳରେ ବିଜେପିକୁ ୭୨ଟି ଓ ସହରାଞ୍ଚଳରେ ୪୪ଟି ଆସନରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସକୁ ୬୦ଟି ଆସନରେ ବିଜୟ ମିଳିଥିଲା। ଦଳକୁ ଗ୍ରାମାଞ୍ଚଳରେ ୫୬ଟି ସିଟ ମିଳିଥିବା ବେଳେ ସହରାଞ୍ଚଳରେ ମାତ୍ର ୪ଟି ସିଟରେ ବିଜୟ ମିଳିଥିଲା।

୫୦ଟି ସିଟ ପାଟିଦାର ବହୁଳ ଅଟେ। ୪୩ଟି ଦଲିତ ଓ ୩୦ ସିଟ ଓବିସିର ପ୍ରଭାବ ରହିପାରେ। ପାଟିଦାର ନେତା ହାର୍ଦ୍ଦିକ ପଟେଲ, ଓବିସି ନେତା ଜିଗ୍ନେଶ ମେଓ୍ଵାଣୀ ଓ ଦଳିତ ନେତା ଅଳ୍ପେଶ ଠାକୋର ଏଥର ନିର୍ବାଚନରେ ଟକ୍କର ଦେଉଛନ୍ତି। ଜିଗ୍ନେଶ ଓ ହାର୍ଦ୍ଦିକ କଂଗ୍ରେସକୁ ସମର୍ଥନ କରୁଛନ୍ତି। ସେହିଭଳି ଅଳ୍ପେଶ କଂଗ୍ରେସରେ ଯୋଗ ଦେଇଛନ୍ତି।

କଂଗ୍ରେସକୁ କାଉଣ୍ଟର କରିବାକୁ ଯାଇ ବିଜେପି ଗ୍ରାମାଞ୍ଚଳରେ ଯୋରଦାର ପ୍ରଚାର କରିଛି। ମୋଦି ଗତ ନଭେମ୍ବର ୨୭ରୁ ନିର୍ବାଚନୀ ସଭା ଆରମ୍ଭ କରିଥିଲେ। ସେହି ଅଞ୍ଚଳର ସହରମାନଙ୍କରେ ମୋଦି ଗୋଟିଏ ହେଲେ ସଭାରେ ସାମିଲ ହୋଇ ନାହାଁନ୍ତି। ଥୁଥଙ୍କାରେ ବୁଧବାର ଏକ ସଭାରେ ମୋଦି କହିଛନ୍ତି, ଲୋକଙ୍କ ଋଣ ସରକାର ଦେବେ।

କଂଗ୍ରେସ ଅଭିଯୋଗ ଆଣିଛି ଯେ, ବିଜେପି ସରକାର ଗୁଜରାଟ ଚାଷୀଙ୍କ ପାଇଁ କିଛି କରି ନାହିଁ। କଂଗ୍ରେସ କହିଛି, ଚାଷୀଙ୍କୁ ଆବଶ୍ୟକ ସୁବିଧା ମିଳୁ ନାହିଁ। ୧୬ଘଣ୍ଟା ବିଜୁଳି ମାଗଣା, ମାଗଣାରେ ପାଣି ଯୋଗାଇବା ଓ ବାଦାମ ଚାଷ ପାଇଁ ବୋନସ ଦେବା ଘୋଷଣା ପୂରା କରି ପାରି ନାହିଁ ବିଜେପି।

ରାହୁଲ ଗାନ୍ଧି ସେପ୍ଟେମ୍ବର ୨୫ରୁ ‘ନବସୃଜନ’ ଯାତ୍ରା ଆରମ୍ଭ କରିଛନ୍ତି। ରାହୁଲ ୪ଟି ପର୍ଯ୍ୟାୟରେ ୧୪ଟି ଜିଲ୍ଲାରେ ଜନସଭାରେ ସାମିଲ ହୋଇଥିଲେ। ନିର୍ବାଚନୀ ପ୍ରଚାର ମାଧ୍ୟମରେ ରାହୁଲ ଜାମନଗର, ରାଜକୋଟ, ସୁରେନ୍ଦ୍ରନଗର, ଅହମଦାବାଦ, ସାବରକାଣ୍ଠା, ପଞ୍ଚମହାଲ, ଦାହୋଦ, ମହେସାଣା, ଭଦୋଦରା, ଭରୁଚ, ନଓ୍ଵସାରୀ, ସୁରତ, ଭଲସାଡ଼ ଓ ତାପି ବିଧାନସଭା ନିର୍ବାଚନ ମଣ୍ଡଳିକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର