ଅହମଦାବାଦ୍: ଗୁଜରାଟ ନିର୍ବାଚନର ତାରିଖ ପାଖେଇ ଆସୁଥିବାବେଳେ ପଟିଦାର ଅନମତ ଆନ୍ଦୋଳନ ସମିତି (ପାସ୍) ନେତା ହାର୍ଦ୍ଦିକ୍ ପଟେଲଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ହାର୍ଦ୍ଦିକ ପଟିଦାର ସଂରକ୍ଷଣ ନେଇ କଂଗ୍ରେସର ଫର୍ମୁଲାକୁ ମାନି ନେଇଛନ୍ତି ଏବଂ ଚଳିତ ନିର୍ବାଚନରେ କଂଗ୍ରେସକୁ ପଟିଦାର ସଂପ୍ରଦାୟ ପୂର୍ଣ୍ଣ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି। ହାର୍ଦ୍ଦିକଙ୍କ ସମେତ ଅନ୍ୟ ପାସ୍ ନେତାମାନେ ମଧ୍ୟ କଂଗ୍ରେସ ଫର୍ମୁଲାକୁ ସ୍ୱାଗତ କରିଛନ୍ତି। କଂଗ୍ରେସ ଆସନ୍ତା ନିର୍ବାଚନରେ କ୍ଷମତାକୁ ଆସିଲେ ପଟିଦାର ସମ୍ପ୍ରଦାୟଙ୍କ ସଂରକ୍ଷଣ ଦାବିକୁ ଗ୍ରହଣ କରି କୋଟା ସୁବିଧା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିବା ହାର୍ଦ୍ଦିକ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ କ୍ଷମତାକୁ ଆସିଲେ ମାସକ ମଧ୍ୟରେ ସଂରକ୍ଷଣ ପ୍ରସଙ୍ଗ ନେଇ ବିଲ୍ ଗୃହୀତ କରିବ ଏବଂ ଏହାର ଘୋଷଣା ପତ୍ରରେ ପଟିଦାର ସଂରକ୍ଷଣ ଫର୍ମୁଲା ରଖିବାକୁ ପାସ୍ ପକ୍ଷରୁ ମଧ୍ୟ ଦାବି ହୋଇଛି ବୋଲି ହାର୍ଦ୍ଦିକ ସୂଚନା ଦେଇଛନ୍ତି। କଂଗ୍ରେସର ଫର୍ମୁଲା ଅନୁଯାୟୀ ଏହା ପଟିଦାର ସଂରକ୍ଷଣ କ୍ଷେତ୍ରରେ ଅଣସଂରକ୍ଷିତ ବର୍ଗଙ୍କୁ ଓବିସି ସହ ସମାନ ରଖି ସଂରକ୍ଷଣ ସୁବିଧା ଯୋଗାଇ ଦେବ। କଂଗ୍ରେସର ଏହି ନୂଆ ଫର୍ମୁଲା ଗ୍ରହଣୀୟ ବୋଲି ମଧ୍ୟ ହାର୍ଦ୍ଦିକ ମାନି ନେଇଛନ୍ତି।। ପୂର୍ବରୁ ପଟିଦାରମାନଙ୍କ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ସଂରକ୍ଷଣ ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଥିଲେ ମଧ୍ୟ ଆଜି ହାର୍ଦ୍ଦିକ୍ ନିଜେ ସ୍ୱୀକାର କରିଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦିଆଯାଇ ପାରିବନାହିଁ । ଧାରା ୩୧ ଏବଂ ଧାରା ୪୬ ଅଧୀନରେ କଂଗ୍ରେସ ପଟିଦାର ସଂପ୍ରଦାୟକୁ ସଂରକ୍ଷଣ ଦେବ ବୋଲି କହିଛି ଏବଂ ଏ ସଂକ୍ରାନ୍ତରେ ବିଲ୍ ଗୃହୀତ କରିବ ବୋଲି ଆଶ୍ୱାସନା ଦେଇଛି । ଅନ୍ୟପକ୍ଷରେ ହାର୍ଦ୍ଦିକ ପଟିଦାର ସଂରକ୍ଷଣ ଦାବିକୁ ଆଳ କରି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଲାଗି ଟିକେଟ୍ ହାସଲ ନିମନ୍ତେ କଂଗ୍ରେସକୁ ସମର୍ଥନ ଦେଉଥିବା ସଂପ୍ରଦାୟର ଅନେକ ନେତା କହିଥିବାରୁ ଏହାକୁ ନେଇ ମଧ୍ୟ ବିବାଦ ତୀବ୍ର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାସ୍ ନେତା ହାର୍ଦ୍ଦିକ୍ ପଟେଲ କଂଗ୍ରେସକୁ ସମର୍ଥନ କରିବା ଘୋଷଣା କରିବା ପରେ କଂଗ୍ରେସ ନେତା କପିଲ ଶିବଲ ହାର୍ଦ୍ଦିକଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ବିଜେପିର ପତନ ଲାଗି ରାସ୍ତା ସଫା ହୋଇଗଲା। ଅନ୍ୟପକ୍ଷରେ ପଟିଦାର ସଂରକ୍ଷଣ ବାବଦରେ କଂଗ୍ରେସ ଫର୍ମୁଲାକୁ ମାନି ନେଇଥିବାରୁ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ହାର୍ଦ୍ଦିକଙ୍କ ଉପରେ ଗର୍ଜିଛନ୍ତି। ହାର୍ଦ୍ଦିକ ଦୁନିଆର ସବୁଠୁ ବଡ଼ ବୋକା ଏବଂ ବୋକାଙ୍କ ଫର୍ମୁଲାକୁ ବୋକା ଗ୍ରହଣ କରିନେଇଥିବା ପଟେଲ କହିଛନ୍ତି।