ଗୁଜରାଟ ନିର୍ବାଚନ: ବିଜେପି ସୋସିଆଲ ମିଡିଆରେ ବଦନାମ କରୁଛି: ରାହୁଲ

ଅହମଦାବାଦ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜରାଟରେ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ନବସର୍ଜନ ଯାତ୍ରାର ଦ୍ୱିତୀୟ ଦିବସରେ ଆଜି ବିଭିନ୍ନ ଜନସଭାରେ ଉଦ୍‌ବୋଧନ ଦେଇଛନ୍ତି। ବିଜେପିର ସୋସିଆଲ ମିଡିଆ ଅଭିଯାନକୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ ବିଜେପି ଅର୍ଥ ଖର୍ଚ୍ଚ କରି ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରୁଛି ଏବଂ ଜନସାଧାରଣ ଏହାର ସତ୍ୟତା ଦିନେ ନା ଦିନେ ଜାଣିପାରିବେ। ନିଜର ଟ୍ଵିଟ୍‌ ସଂପର୍କରେ ରାହୁଲ କହିଥିଲେ ଯେ ତାଙ୍କର ରାଜନୈତିକ ଟ୍ଵିଟ୍‌ଗୁଡ଼ିକର ଲାଇନ୍‌ ସେ ନିଜେ ହିଁ ଦେଇଥାନ୍ତି ଏବଂ ଟିମ୍‌ ଟ୍ଵିଟ୍‌ କରିଥାନ୍ତି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ କଠୋର ସମାଲୋଚନା କରୁଥିଲେ ମଧ୍ୟ କେବେ ଅସମ୍ମାନ କରିନାହାନ୍ତି। ଆଜି ଦ୍ୱିତୀୟ ଦିବସ ପ୍ରଚାରରେ ମଧ୍ୟ ରାହୁଲ ବିମୁଦ୍ରାକରଣ ଓ ଜିଏସ୍‌୍‌ଟି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ବିମୁଦ୍ରାକରଣରେ ଦେଶର ସମସ୍ତ କଳାଧନ ଧଳା ହୋଇଯାଇଛି ଏବଂ ଏଥିରେ ସାଧାରଣ ଲୋକଙ୍କ କିଛି ଲାଭ ହୋଇନାହିଁ ବୋଲି ରାହୁଲ କହିଥିଲେ। ସେହିଭଳି ଜିଏସ୍‌ଟି ଲାଗୁ ପରେ ହୋଇଥିବା ବ୍ୟାପକ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କ ବେପରୁଆ ନୀତି ହିଁ ଦାୟୀ ବୋଲି ସେ କହିଥିଲେ। ଉତ୍ତର ଗୁଜରାଟର ଆସନ୍ତାକାଲି ମଧ୍ୟ ରାହୁଲ ମାରାଥନ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଆଗାମୀ ନିର୍ବାଚନରେ ଗୁଜରାଟ ହିଁ ଦେଶକୁ ରାସ୍ତା ଦେଖାଇବ ଏବଂ ମୋଦି ସରକାରର ପତନ ଘଟାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର