ଗୁଜରାଟରେ ବିଜେପିର ମେଗା କ୍ୟାମ୍ପେନ୍‌ ଆରମ୍ଭ

ଅହମଦାବାଦ: ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ’କୁ ଆଜି ବିଜେପି ଏକ ବଡ଼ ଧରଣର ନିର୍ବାଚନୀ ଅଭିଯାନ ଭାବେ ଗ୍ରହଣ କରିଛି। ଦଳର ତୁଙ୍ଗ ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ‘ମନ୍‌ କୀ ବାତ-ଚାୟ କେ ସାଥ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ରାଜ୍ୟର ୫୦ ହଜାର ପୋଲିଂ ବୁଥରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ବିଜେପିର ସବୁଠାରୁ ବଡ଼ ନିର୍ବାଚନୀ ଜନସଂପର୍କ ଭାବେ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମ ସହିତ ଆଜିଠାରୁ ବିଜେପିର ହାଇଭୋଲ୍‌ଟେଜ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି। ଆଜି ବିଜେପି ନେତା ଓ ମନ୍ତ୍ରୀମାନେ ଲୋକଙ୍କ ସହିତ ଚାହା ପାନ କରି ମନ୍‌ କୀ ବାତ୍‌ ଶୁଣିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଚାହା ବିକାଳି ଦର୍ଶାଇ ଯୁବ କଂଗ୍ରେସ ତାତ୍ସଲ୍ୟ କରିଥିବାରୁ ଏହାର ଜବାବରେ ବିଜେପି ଏହି ବିଶାଳ ଜନ ସଂପର୍କ କାର୍ଯ୍ୟକ୍ରମକୁ ମନ୍‌ କୀ ବାତ୍‌ ସହିତ ଯୋଡ଼ିଥିଲା।

ଅମିତ ଶାହ ଦରିୟାପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସାବରମତୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ରେଳମନ୍ତ୍ରୀ ପୀୟୁଷ ଗୋଏଲ ପୋରବନ୍ଦର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନି ଜୁନାଗଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇଥଲେ। କେନ୍ଦ୍ର ମନ୍ତ୍ରିମଣ୍ଡଳର ୧୨ ଜଣ ମନ୍ତ୍ରୀ, ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌ ଚାୟ କେ ସାଥ୍‌’ରେ ଅଂଶ ଗ୍ରହଣ କରି ଲୋକଙ୍କ ସହିତ ଚାହାପାନ କରିଥିଲେ। ଏହି ମେଗା ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲିଠାରୁ ଯୋଗଦେବେ। ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଅଂଚଳରେ ୨୭ରୁ ୨୯ ନଭେମ୍ବର ମଧ୍ୟରେ ପ୍ରଧାନମନ୍ତ୍ରୀ ୮ଟି ବିଶାଳ ର‍୍ୟାଲିରେ ଉଦ୍‌ବୋଧନ ଦେବେ। ପ୍ରତ୍ୟେକ ସଭାରେ ୫ରୁ ୬ଟି ନିର୍ବାଚନମଣ୍ଡଳୀର ଲୋକେ ଯେଭଳି ସାମିଲ ହେବେ ସେହି ଅନୁସାରେ ବିଜେପି ଯୋଜନା କରିଛି। ବିଜେପିର ଏହି ହାଇଭୋଲଟେଜ ପ୍ରଚାର ଅଭିଯାନରେ ମୋଦି ସରକାରଙ୍କ ତାରକା ପ୍ରଚାରକମାନେ ସାମିଲ ହୋଇଛନ୍ତି ୨୬ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବିଜେପି ଶାସିତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୧୨ ଜଣ ସାଂସଦ ରାଜ୍ୟର ବିଭିନ୍ନ ଅଂଶରେ ପ୍ରଚାର ଅଭିଯାନକୁ ତ୍ୱରାନ୍ଵିତ କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିବା ଓ ଶୁଣିବା ପାଇଁ ପ୍ରବଳ ଭିଡ଼ ଜମୁଛି।

ସମ୍ବନ୍ଧିତ ଖବର