ବାତ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ: ଗୁଲାମ ନବୀ ଆଜାଦ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ୍‌ ଓଡ଼ିଶାରେ ପ୍ରଳୟଙ୍କାରୀ ବାତ୍ୟା ‘ଫନି’ଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ଶ୍ରୀ ଆଜାଦ ଆଜି ପୁରୀ ଓ କୋଣାର୍କର କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ପରେ ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ,ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ଭିତ୍ତିଭୂମି,ପରିବେଶ ଓ ଜୀବନ ଜୀବିକା ପ୍ରତି ବ୍ୟାପକ କ୍ଷତି ପହଞ୍ଚାଇଛି।’

ବିଜୁଳି ଓ ପାନୀୟ ଜଳ ଯୋଗାଣ ଅନେକ ସ୍ଥାନରେ ହୋଇପାରି ନ ଥିବାରୁ ଲୋକମାନେ ଡ଼ହଳ ବିକଳ ହେଉଛନ୍ତି। ଅନ୍ଧାରରେ ଖାଦ୍ୟ ବିନା ସେମାନେ ଛଟପଟ ହେଉଛନ୍ତି। ଗରିବ ଓ ଖଟିଖିଆମାନେ ଜୀବିକା ଅଭାବରୁ ଭୋକରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏହାଛଡ଼ା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ବୋଲି ସେ କହିଥିଲେ।

ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚାଉଳ,ଆର୍ଥିକ ସହାୟତା ଏବଂ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଶ୍ରୀ ଆଜାଦ ଦାବି କରିଥିଲେ।

ବିଦ୍ୟୁତ୍‌ ଓ ଜଳଯୋଗାଣର ପୁନରୁଦ୍ଧାର ଯୁଦ୍ଧ କାଳୀନ ଭିତ୍ତିରେ କରାଯିବା ଆବଶ୍ୟକ ବୋଲି ଏହି କଂଗ୍ରେସ ନେତା କହିଥିଲେ।

ସମ୍ବନ୍ଧିତ ଖବର