ରାଜଭବନରେ ପହଞ୍ଚିଲା ଗୁରୁପ୍ରିୟା ପ୍ରସଙ୍ଗ : ସିବିଆଇ ତଦନ୍ତ ଦାବି କଲା ବିଜେପି, ବିଜେଡି କହିଲା ସହିପାରୁନାହାନ୍ତି

ଭୁବନେଶ୍ୱର : ଗୁରୁପ୍ରିୟା ସେତୁ ନିର୍ମାଣରେ ଠିକାଦାରଙ୍କୁ ଅନୁକମ୍ପା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରି ଆଜି ରାଜ୍ୟ ବିଜେପି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି। ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ପିଏଜି (ପ୍ରିନ୍‌ସପାଲ ଆକାଉଣ୍ଟାଣ୍ଟ୍‌ ଜେନେରାଲ)ଙ୍କ ଚିଠା ରିପୋର୍ଟ ସଂପର୍କରେ ଅବଗତ କରାଇଥିଲେ। କେଉଁଭଳି ରାଜ୍ୟ ସରକାର ସଂପୃକ୍ତ ଠିକାଦାରଙ୍କୁ ୭୩.୯୧ କୋଟି ଟଙ୍କାର ଅନୁକମ୍ପା ପ୍ରଦର୍ଶନ କରିଛନ୍ତି, ସେ ସଂକ୍ରାନ୍ତରେ ବୁଝାଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ଏହି ଘଟଣାରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସିବିଆଇ ତଦନ୍ତ ଦାବିକୁ ରୋକ୍‌ଠୋକ୍‌ ପ୍ରତ୍ୟାଖ୍ୟାନ କରିବା ସହିତ ଦଳ ଏହାକୁ ନିନ୍ଦନୀୟ ବୋଲି ବର୍ଣ୍ଣନା କରିଛି। କେବଳ ସେତିକି ନୁହେଁ, ବିଜେପି ଈର୍ଷା କରୁଛି ଓ ଔଷଧ ବିକଳରେ ନେତାମାନେ ତାଟିଆ କାମୁଡୁଛନ୍ତି ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କଟାକ୍ଷ କରିଛନ୍ତି।

ଆଜି ବିଜେପି ନେତାମାନେ ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକ ପତ୍ରରେ ଅଭିଯୋଗ କରିଛନ୍ତି, ରୟାଲ ଇନ୍‌ଫ୍ରାର ଠିକାଦାରଙ୍କୁ ସିଧାସଳଖ ୭୪ କୋଟି ଟଙ୍କାର ମୁନାଫା ଦିଆଯାଇଛି । ଏହି ସେତୁ ନର୍ମାଣ ମାଧ୍ୟମରେ ସରକାର ରାଜ୍ୟବାସୀଙ୍କ ଧନସମ୍ପତ୍ତି ଲୁଟ୍‌ କରିଛନ୍ତି। ଯେହେତୁ କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ସେତୁ ନିର୍ମାଣ ହୋଇଛି ଓ ଅନିୟମିତତା ସାମ୍ନାକୁ ଆସିଲାଣି, ଏଣୁ ଏହାର ସିବିଆଇ ତଦନ୍ତ ନିହାତି ଆବଶ୍ୟକ ପଡୁଛି।

ବିଜେପି କହିଛି, ଇପିସି ଚୁକ୍ତି ଅନୁଯାୟୀ ଏହି ସେତୁ ନିର୍ମାଣ ହୋଇଥିଲେ ହେଁ, ନିୟମ ବାହାରକୁ ଯାଇ ଡଙ୍ଗା, ବୋଟ, ଲଞ୍ଚ ଭଡା ବାବଦକୁ ୨୪ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଅତିରିକ୍ତ ୪କୋଟି ଟଙ୍କା ଠିକାଦାରଙ୍କୁ ପ୍ରଦାନ କରାଯାଇଛି । ସେତୁ ନିର୍ମାଣ ପାଇଁ ପ୍ରଥମେ ୨୦୦୬ ମସିହାରେ ଗ୍ୟାମନ୍‌ ଇଣ୍ଡିଆକୁ ରାଜ୍ୟସରକାର ୪୭ କୋଟି ୪୧ଲକ୍ଷ ୯୫ ହଜାର ଟଙ୍କାର କାର୍ଯ୍ୟାଦେଶ ଦେଇଥିଲେ । କିନ୍ତୁ ଏତିକି ଅର୍ଥରେ କାଯ୍ୟର୍ ହୋଇନପାରିବା କଥା କହି ଗ୍ୟାମନ୍‌ ଇଣ୍ଡିଆ ୯୦.୫୧ କୋଟି ଦାବି କରିଥିଲା । ୨୦୧୦ ମସିହା ଫେବ୍ରୁଆରି ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଗ୍ୟାମନ୍‌ ଇଣ୍ଡିଆକୁ କାର୍ଯ୍ୟରୁ ଅନ୍ତର କରିଥିଲେ।

ବିଜେପି କହିଛି, ଏବେ ସିଏଜି ମାଟି ପରୀକ୍ଷା ପାଇଁ ଗ୍ୟାମନ୍‌ ଇଣ୍ଡିଆକୁ ପ୍ରଦାନ କରାଯାଇଥିବା ୯କୋଟିରୁ ଅଧିକ ଟଙ୍କା ଦିଆଯିବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ଏହି ସେତୁ ନିର୍ମାଣ ପାଇଁ ପ୍ରଥମେ ୯୦.୫୧ କୋଟି ଟଙ୍କାକୁ ବାରଣ କରିଥିବା ରାଜ୍ୟ ସରକାର ପରବର୍ତୀ ସମୟରେ ରୟାଲ ଇନଫ୍ରାକୁ ୧୮୭ କୋଟି ଟଙ୍କା କିଭଳି ଦେଲେ?

ରାଜଭବନରୁ ଫେରି ଶ୍ରୀ ପଣ୍ଡା କହିଥିଲେ, ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ପ୍ରସାଦ ମହାପାତ୍ର ଏବଂ ପୀତାମ୍ବର ଆଚାଯ୍ୟର୍, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ ଦାସ ପ୍ରମୁଖ ସାମିଲ ଥିଲେ।

ଏପଟେ ଏକ ପ୍ରେସ ଇସ୍ତାହାର ଜରିଆରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଡ. ପାତ୍ର କହିଛନ୍ତି, ୬୦ବର୍ଷର ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସ୍ତବ ରୂପ ଦେଇଛନ୍ତି। ଆଜି ଗୁରୁପ୍ରିୟା ସେତୁ ଯୋଗୁ ସେ ଅଞ୍ଚଳ ଆଉ ବିଚ୍ଛିନ୍ନାଞ୍ଚଳ ନହୋଇ ସ୍ୱାଭିମାନ ଅଞ୍ଚଳରେ ପରିଣତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭାରତବର୍ଷର ଜନସାଧାରଣ ପ୍ରଶଂସା କରୁଥିଲା ବେଳେ ବିଜେପି ଏହା ସହିପାରୁନାହିଁ।

ଡ. ପାତ୍ର କହିଛନ୍ତି, ସେତୁ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ ଏବଂ ସବୁ ତଥ୍ୟ ପ୍ରମାଣ ରାଜ୍ୟ ସରକାର ବିଗତ ଦିନରେ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ରାସ୍ତା ଏବଂ ପରିବହନ ମନ୍ତ୍ରାଳୟ ଯେଉଁ ଖର୍ଚ୍ଚର ପରିସୀମା ଧାର୍ଯ୍ୟ କରିଥିଲେ, ସେହି ଅନୁସାରେ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ କରିଛନ୍ତି। ରାଜ୍ୟ ସରକାର ଏଜିଙ୍କ ପାଖରେ ତଥ୍ୟ ରଖିବା ପରେ ବିଜେପିର ରାଜନୈତିକ ଅଭିସନ୍ଧି ପଦାରେ ପଡିଯିବ।

ସମ୍ବନ୍ଧିତ ଖବର