ଭୁବନେଶ୍ୱର : ଆଜି ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼,କନ୍ଧମାଳ,ବଲାଙ୍ଗୀର,ବରଗଡ଼ ଓ ଆସ୍କା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ଶେଷ ହେବା ପରେ ବହୁ ପ୍ରମୁଖ ସାଂସଦ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହୋଇଯାଇଛି। କେବଳ ଆନୁଷ୍ଠାନିକ ଫଳାଫଳ ଘୋଷଣାକୁ ଅପେକ୍ଷା।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍ ତାଙ୍କର ପୁରୁଣା ଲୋକସଭା ନିର୍ବାଚନ ମଣ୍ଡଳୀ ସୁନ୍ଦରଗଡ଼ରେ ଭାଗ୍ୟ ପରୀକ୍ଷା କରିଛନ୍ତି। ତାଙ୍କୁ କଡା ଟକ୍କର ଦେଇଛନ୍ତି ହେମାନନ୍ଦ ବିଶ୍ୱାଳଙ୍କ ଜ୍ୟେଷ୍ଠା କନ୍ୟା ସୁନୀତା ବିଶ୍ୱାଳ ଏବଂ ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀ । ସୁନୀତା ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇ ତା’ର ପ୍ରାର୍ଥୀ ହୋଇଛନ୍ତି। ସେହିପରି ତିର୍କୀ କଂଗ୍ରେସରେ କିଛି ଦିନ ତଳେ ଯୋଗ ଦେଇଥିଲେ ଏବଂ ଲୋକସଭା ପାଇଁ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି।
ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ତାଙ୍କର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ମଧ୍ୟରେ ଜୋର୍ଦାର ଲଢ଼େଇ ହୋଇଯାଇଛି। ଏ ଦୁହେଁ ସଂପର୍କରେ ଦିଅର ଭାଉଜ ହୋଇଥିବାରୁ ଏବଂ ଦୁଇ ଜଣ ଯାକ ବଲାଙ୍ଗିର ରାଜବଂଶର ହୋଇଥିବାରୁ ସେମାନଙ୍କ ମଧ୍ୟରେ କିଏ ଜିତୁଛି ତାହା ଦେଖିବାକୁ ସମସ୍ତେ କୌତୁହଳର ସହିତ ଅପେକ୍ଷା କରି ରହିଛନ୍ତି।
/sambad/media/post_attachments/wp-content/uploads/2019/04/Heavy-Weight-MP-Fight_2.jpg)
କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ଦୁଇଜଣ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ସମାଜସେବୀ ତଥା ରାଜ୍ୟସଭା ସଦସ୍ୟ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ଭାରତୀୟ ଜନତା ପାର୍ଟିର ତଥା ଜଣାଶୁଣା ନେତା ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ଜୋର୍ଦାର ଲଢ଼େଇ କରିଛନ୍ତି। କିନ୍ତୁ ଦୁହେଁ ଏହି ନିର୍ବାଚନ ମଣ୍ଡଳୀରେ ନବାଗତ।
ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏଥର ଖୁବ୍ ଜୋର୍ଦାର ଲଢ଼େଇ ଦେଖିବାକୁ ମିଳିଛି । ଶାସକ ବିଜୁ ଜନତା ଦଳ ପକ୍ଷରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ତାଙ୍କୁ କଡା ଟକ୍କର ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ।
ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ବିଜୁ ଜନତା ଦଳ ପକ୍ଷରୁ ଏକ ନୂଆ ଏକ୍ସପେରିମେଣ୍ଟ୍ କରାଯାଇଛି। ସେଠାରେ ଘରେ ଘରେ ପରିଚିତ ମହିଳା ସ୍ୱୟଂ ଗୋଷ୍ଠୀର ନେତ୍ରୀ ପ୍ରମିଳା ବିଷୋଇଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ପ୍ରମିଳାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ଅନୀତା ଶୁଭଦର୍ଶିନୀ ଏବଂ ସିପିଆଇର ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Heavy-Weight-MP-Fight_Thumbnail.jpg)