ବିଜେଡିରେ ଯୋଗ ଦେଲେ ହେମାନନ୍ଦଙ୍କ ଝିଅ ସୁନିତା

ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପ୍ରତିବଦ୍ଧତା ମୋତେ ଆକୃଷ୍ଟ କରିଛି: ସୁନିତା, ମୋ ପାଇଁ ଦୁଃଖଦାୟକ : ହେମାନନ୍ଦ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁନିତା ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ କଳାହାଣ୍ଡିର କଂଗ୍ରେସ ନେତା ଓ ପିସିସି ସାଧାରଣ ସମ୍ପାଦକଙ୍କ ସମେତ ୭ ଜଣ ବରିଷ୍ଠ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ଥିବା ସୁନିତା ଆଜି ନିଜ ସମର୍ଥକମାନଙ୍କ ସହ ନବୀନ ନିବାସ ଆସି ବିଜେଡିରେ ଯୋଗ ଦେଇଥିଲେ। ଏହି ଅବସରରେ ସୁନିତା କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାଶକ୍ତି ଓ ରାଜନୈତକ ପ୍ରତିବଦ୍ଧତା ମୋତେ ବହୁତ ଆକୃଷ୍ଟ କରିଛି। ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ, ମିସନ ଶକ୍ତି କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ‘କାଳିଆ’ ଯୋଜନା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ସୁନ୍ଦରଗଡ଼ବାସୀଙ୍କ ବିକାଶ ପାଇଁ ସେ ବିଜେଡିରେ ଯୋଗ ଦେଇଛନ୍ତି। ଦଳ ସଭାପତି ତାଙ୍କୁ ଯେଉଁ ଦାୟିତ୍ବ ଦେବେ ସେ ଦଳ ପାଇଁ କାମ କରିବେ। କଂଗ୍ରେସ ପରିବାରରୁ ଆସିଥିଲେ ବି ବିଜେଡିରେ ଯୋଗଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଓ ସେ ଏ ନେଇ ତାଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସହ ପରାମର୍ଶ କରି ନାହାନ୍ତି ବୋଲି ସୁନିତା କହିଥିଲେ।

ବିଜେଡିର ଏହି ମିଶ୍ରଣ ପର୍ବରେ କଳାହାଣ୍ଡି କଂଗ୍ରେସ ନେତା ସଚ୍ଚିଦାନନ୍ଦ ମହାକୁଡ଼, ସୁଜିତ କୁମାର ନାୟକ, ରାଜ୍ୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସମ୍ବଲପୁର ନିର୍ବାଚନ ମଣ୍ଡଳୀର ରାଜକିଶୋର ଦାସ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମୋତିଲାଲ ତନ୍ତୀ, ରୀନା ତନ୍ତୀ, କୁଚିଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଜେପି ନେତା କିଶୋର ନାଏକ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନିତାଙ୍କ ସମେତ ବିଜେଡିରେ ଯୋଗ ଦେଇଥିବା କଂଗ୍ରେସ ନେତାଙ୍କୁ ସ୍ବାଗତ କରିବା ସହ କହିଥିଲେ, ଏହି ଯୋଗଦାନ ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲା ସହ ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ନବ ଦାସ, ଓଡ଼ିଶା ଗୃହ ନିର୍ମାଣ ବୋର୍ଡ଼ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ ଅନୁସୂଚିତ ଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷା କୁସୁମ ଟେଟେଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ସୁନିତାଙ୍କ ବିଜେଡିରେ ଯୋଗଦାନ ନେଇ ତାଙ୍କ ବାପା ହେମାନନ୍ଦ ବିଶ୍ବାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ମୋ ଝିଅର ବ୍ୟକ୍ତିଗତ ନିଷ୍ପତ୍ତି। ଏ ସମ୍ପର୍କରେ ସେ ମୋ ସହ ଆଲୋଚନା କରି ନାହିଁ। ଏହା ବ୍ୟକ୍ତିଗତ ଭାବେ ମୋ ପାଇଁ ଦୁଃଖଦାୟକ। ତେବେ ମୁଁ କଂଗ୍ରେସରେ ଅଛି ଓ ରହିବି।

ସମ୍ବନ୍ଧିତ ଖବର