ଭୁବନେଶ୍ୱର : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିଜେଡିରେ ଚାଲିଥିବା ଡ୍ରାମା ଧୀରେ ଧୀରେ ରୋଚକ ମୋଡ଼ ନେବାରେ ଲାଗିଛି। ପ୍ରଥମେ ନିଶ୍ଚିନ୍ତକୋଇଲି, ଗତକାଲି ମହାକାଳପଡ଼ା ପରେ ଆଜି ସାଲେପୁର ବିଜେଡି କର୍ମକର୍ତା ସାଂସଦ ଶ୍ରୀ ପଣ୍ଡାଙ୍କୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି, କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡି ନେତ୍ରୀ ଉଷା ଦେବୀ ଏହାର ତଦନ୍ତ କରିବେ।
ଅନ୍ୟପକ୍ଷରେ ଆଜି ଦୁଇ ପର୍ଯ୍ୟବେକ୍ଷକ ଉଷା ଦେବୀ ଓ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ଉଭୟ ପକ୍ଷକୁ ଶୁଣି ସେମାନେ ତାଙ୍କର ରିପୋର୍ଟ ହାଇକମାଣ୍ଡଙ୍କୁ ପ୍ରଦାନ କରିବେ।
ଆଜି ସାଲେପୁର ନେତାମାନେ ନବୀନ ନିବାସ ଯାଇ ଅଭିଯୋଗ କରିଥିଲେ ଯେ ସାଂସଦ ଶ୍ରୀ ପଣ୍ଡା ବିଜେଡି କର୍ମୀଙ୍କୁ ଚିହ୍ନନ୍ତି ନାହିଁ କି ଗତ ୯ବର୍ଷ ଧରି ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉନାହାନ୍ତି। ପାଣ୍ଠି ଆବଣ୍ଟନ ହେଉ କି ଦଳୀୟ କ୍ଷେତ୍ରରେ ନିଷ୍ପତ୍ତି ନେବା ବେଳେ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ସେ କୌଣସି ସଂପର୍କ ରଖନ୍ତି ନାହିଁ। ଏମିତିକି ସାଂସଦ ପାଣ୍ଠି ସଂପର୍କରେ ଦଳୀୟ ନେତା କିଛି ଜାଣିପାରନ୍ତି ନାହିଁ। ନିଜର ଦରମାଦିଆ କର୍ମଚାରୀ ଓ ବିରୋଧୀ ଗୋଷ୍ଠୀକୁ ଧରି ସେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ଉଭୟ ସାଂସଦ ଓ ତାଙ୍କ ସଚିବ ବିଜେଡି ବିରୋଧରେ ଗଣମାଧ୍ୟମରେ ମନ୍ତବ୍ୟ ଦେଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ସେପଟେ ଆଜି ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ରାଜନୈତିକ ସଚିବ ଜ୍ୟୋତିପ୍ରକାଶ ଘୋଷ ଏକ ପ୍ରେସ ବିଜ୍ଞପ୍ତିରେ ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି ବର୍ଣ୍ଣନା କରିଛନ୍ତି। ଏଥିରେ ଦାବି କରାଯାଇଛି, ଶ୍ରୀ ପଣ୍ଡା ଏକମାତ୍ର ସାଂସଦ ଯିଏ ନିଜ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତ ଗସ୍ତ କରି ସାରିଛନ୍ତି। ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ବିତାଇଥାନ୍ତି ଓ ଲୋକଙ୍କ ସହ ମିଶି ତାଙ୍କର ସବୁ ସୁବିଧା ଅସୁବିଧାକୁ ଗୁରୁତ୍ୱ ଦେଇଥାନ୍ତି। ନିଶ୍ଚିନ୍ତକୋଇଲି ବ୍ଲକରେ ୧୯ଟି ପ୍ରକଳ୍ପ ପାଇଁ ୧ କୋଟି ୭୮ ଲକ୍ଷ ୯୩ ହଜାର ଟଙ୍କା ସଂସଦୀୟ ପାଣ୍ଠିରୁ ଦିଆଯାଇଛି। ମହାକାଳପଡ଼ାରେ ୨୩ଟି ପ୍ରକଳ୍ପ ପାଇଁ ୧ କୋଟି ୪୭ ଲକ୍ଷ ୧୫ ହଜାର ଓ ସାଲେପୁର ବ୍ଲକରେ ୨୯ଟି ପ୍ରକଳ୍ପ ପାଇଁ ୧ କୋଟି ୯୨ଲକ୍ଷ ୨୩ ହଜାର ଟଙ୍କା ଅନୁଦାନ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/baijanty-1.jpg)