ହିମାଚଳ ନିର୍ବାଚନୀ ପ୍ରଚାରରେ କଂଗ୍ରେସକୁ ମୋଦିଙ୍କ କଟାକ୍ଷ

ରାଜ୍ୟକୁ ଉଇ ପରି ଚରିଯାଇଥିବା ଦଳର ମୂଳୋତ୍ପାଟନ ଜରୁରୀ

ସିମଳା: ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନୀ ପ୍ରଚାରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ପ୍ରତି କଟୁ ଆକ୍ଷେପ କରିଛନ୍ତି। ରାଜ୍ୟକୁ ଚରିଚରି ଖୋଳ କରିଦେଇଥିବା ଉଇରୂପୀ ଦୁର୍ନୀତିଗ୍ରସ୍ତ କଂଗ୍ରେସ ଦଳକୁ ରାଜ୍ୟବାସୀ ମୂଳୋତ୍ପାଟନ କରି ଫିଙ୍ଗିଦେବାକୁ ସେ ଆହ୍ଵାନ କରିଛନ୍ତି।

କାଙ୍ଗ୍ରାଠାରେ ଏକ ବିଶାଳ ସମାବେଶକୁ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ରାଜ୍ୟରେ କଂଗ୍ରେସର ଦୁର୍ନୀତି ଛବି ଏଭଳି ସ୍ଥିତିରେ ପହଞ୍ଚିଛି ଯେ ପ୍ରମୁଖ ନେତାମାନେ ଘଡ଼ିସନ୍ଧି ମୁହୂର୍ତ୍ତରେ ବି ପ୍ରଚାର କରିବାରୁ ଦୂରେଇ ରହୁଛନ୍ତି। ପରାଜୟକୁ ଆଗୁଆ ମାନିନେଇ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଭାଗ୍ୟକୁ ତାଙ୍କ ନିଜ ହାତରେ ଛାଡ଼ିଦେଇଛନ୍ତି। ନିଜ ଦଳର ନେତା ଉପରେ ସେମାନେ ଭରସା ତୁଟାଇ ଅନ୍ୟ ଦଳର ବିଦ୍ରୋହୀଙ୍କ ଉପରେ ଆସ୍ଥା ରଖିବା ଆରମ୍ଭ କରୁଛନ୍ତି। ତେବେ ଏହି ଦୁର୍ନୀତିଖୋର ଉଇର ଚିହ୍ନ ଯେପରି କୌଣସି ଗୋଟିଏ ବୁଥ୍‌ରେ ବି ଦେଖିବାକୁ ମିଳିବନି, ସେଥିପ୍ରତି ସଚେତନ ରାଜ୍ୟବାସୀ ସଜାଗ ରହିବାକୁ ସେ ଆହ୍ଵାନ କରିଛନ୍ତି। ହିମାଚଳପ୍ରଦେଶର ଜନତା ତାଙ୍କ ଦଳ ବିଜେପିକୁ ତିନି ଚତୁର୍ଥାଂଶ ସଂଖ୍ୟାଗରିଷ୍ଠତା ଦେଇ ହିଁ କଂଗ୍ରେସ ଛାଡ଼ିଯାଇଥିବା ଦୁର୍ନୀତିର ଚେର ଓପାଡ଼ିବାରେ ସହଭାଗୀ ହୁଅନ୍ତୁ ବୋଲି ସେ କହିଛନ୍ତି। ଏହାଦ୍ୱାରା କଂଗ୍ରେସ ନିଜର ପାପର ପ୍ରାୟଶ୍ଚିତ କରିବାକୁ ସୁଯୋଗ ପାଇବ ବୋଲି ମୋଦି କଟାକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର