ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୧୮ ତାରିଖରେ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ କମିସନର ଅଚଲ କୁମାର ଜ୍ୟୋତି ଆଜି ଏହା ଘୋଷଣା କରିଛନ୍ତି। ସେହିପରି ଡିସେମ୍ବର ୧୮ ପୂର୍ବରୁ ଗୁଜରାଟ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ସରିବ। ଏହାଦ୍ୱାରା ଉଭୟ ରାଜ୍ୟର ଭୋଟଗଣତି ଏକକାଳୀନ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜାନୁଆରି ୭ ତାରିଖରେ ସରୁଥିବା ବେଳେ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା କାର୍ଯ୍ୟକାଳ ଜାନୁଆରି ୨୨ ତାରିଖରେ ସରୁଛି। ତେବେ ଲୋକସଭା ପାଇଁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ଏହି ଦୁଇ ରାଜ୍ୟର ନିର୍ବାଚନ ଅନେକ ଗୁରୁତ୍ୱ ବହନ କରୁଛି। ୨୦୧୯ ଲୋକସଭା ନିର୍ବାଚନରେ ଏହି ଦୁଇ ରାଜ୍ୟର ଫଳାଫଳ କେବଳ ସଂପୃକ୍ତ ରାଜ୍ୟ ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ପ୍ରଭାବ ପକାଇବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି।
ହିମାଚଳପ୍ରଦେଶ ବିଧାନସଭାରେ ୬୮ ଆସନ ଥିବା ବେଳେ ଶାସକ କଂଗ୍ରେସର ୩୬ ବିଧାୟକ ଅଛନ୍ତି। ବିଜେପିର ୨୬ ବିଧାୟକ ଅଛନ୍ତି। କଂଗ୍ରେସ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ak-joti.jpg)