ହିମାଚଳ ନିର୍ବାଚନ ଆଜି

୬୮ ଆସନରେ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ। ସୁରୁଖୁରୁରେ ମତଦାନ ସଂପୂର୍ଣ୍ଣ କରାଇବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସମସ୍ତ ୬୮ ବିଧାନସଭା ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ନିର୍ବାଚନରେ ମୋଟ ୬୨ ଜଣ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୩୩୭। କଂଗ୍ରେସ ଏବଂ ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସିପିଏମ୍‌ ୧୪ଟି ଆସନରେ ପ୍ରାର୍ଥୀ ଦେଇଛି।

ରାଜ୍ୟରେ ୫୦,୨୫,୯୪୧ ଭୋଟର୍‌ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ୭୫୨୧ଟି ଭୋଟ୍‌ ଗ୍ରହଣ କେନ୍ଦ୍ର ରହିଥିବା ବେଳେ ସେଥିରୁ ୯୮୩ଟି ବୁଥ୍‌ ସ୍ପର୍ଶକାତର ଘୋଷଣା କରାଯାଇଛି। ଏହି ନିର୍ବାଚନ ପାଇଁ ଚାଲିଥବା ମାରାଥନ ପ୍ରଚାରରେ ଗତକାଲି ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ବିଗତ ୧୨ ଦିନର ପ୍ରଚାର ଅଭିଯାନ ମଧ୍ୟରେ ଏଠାରେ ୪୫୦ ର‍୍ୟାଲି ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ ଶାହ ୧୩ଟି ର‍୍ୟାଲିରେ ଉଦ୍‌ବୋଧନ ଦେଇଥିଲେ।

ଏହି ନିର୍ବାଚନରେ ବିଜେପି ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଏଠାରେ ଜିଏସ୍‌ଟି ଏବଂ ବିମୁଦ୍ରାକରଣକୁ ମୁଖ୍ୟ ପ୍ରସଙ୍ଗ କରିଥିଲା। ରାଜ୍ୟର ସବୁ ଆସନରେ ସିଧାସଳଖ ଲଢ଼େଇ ହେଉଥିବାରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଭୟ ଦଳ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ହିମାଚଳରେ କଂଗ୍ରେସକୁ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ରାହୁଲ ଗାନ୍ଧୀ ସବୁ ଶକ୍ତି ଖଟାଇଥିବା ବେଳେ ଏଠାରେ ବିଜେପି କ୍ଷମତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରିଛି।

ସମ୍ବନ୍ଧିତ ଖବର