ହିନ୍ଦୋଳ ଏନ୍‌ଏସି ନିର୍ବାଚନ: ନିର୍ବାଚନ କମିସନ୍‌ଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ହେଉଥିବା ବିଜ୍ଞାପତି ଅଞ୍ଚଳ ପରିଷଦ(ଏନ୍‌ଏସି) ନିର୍ବାଚନରେ ଶାସକ ବିଜୁ ଜନତା ଦଳ ଗୁଣ୍ଡାରାଜ କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି। ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଭେଟି ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

ବିଜେପି ପକ୍ଷରୁ କୁହାଯାଇଛି, ଗତକାଲି ହିନ୍ଦୋଳରେ ଏକ ନିର୍ବାଚନ ପ୍ରଚାରରେ ଥିବା ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ୨୦ରୁ ଅଧିକ ବିଜେଡି କର୍ମୀ ଓ ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସମସ୍ତ ଅଭିଯୁକ୍ତମାନଙ୍କ ନାମ ଏଫ୍‌ଆଇଆର୍‌ ହୋଇ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ପୁଲିସ୍‌ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ। ବରଂ ସ୍ଥାନୀୟ ପୁଲିସ୍‌ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାରେ ଲାଗିଛି। ଏହି ଅଭିଯୁକ୍ତମାନେ ମହିଳାମାନଙ୍କୁ ମଧ୍ୟ ମାଡ଼ ମାରିବା ସହ ଟଣାଓଟରା କରିଥିଲେ। ନିର୍ବାଚନ ପ୍ରଚାର ଚାଲୁଥିଲେ ମଧ୍ୟ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଅଧିକ ସୁରକ୍ଷା ବଳ ନିୟୋଜନ କରିବା ସହ ପ୍ରଶାସନ ଓ ଆଇନ୍‌ଶୃଙ୍ଖଳା ଅଧିକାରୀଙ୍କୁ ନିରପେକ୍ଷତାର ସହ କାମ କରିବା ପାଇଁ ପଦକ୍ଷେପ ନିଆ ନ ଯିବା ଦୁଃଖର ବିଷୟ। ନିର୍ବାଚନ କମିସନ୍‌ ଏ ଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ପ୍ରତିନିଧି ଦଳରେ ସୁକେଶୀ ଓରାମ, ସଜ୍ଜନ ଶର୍ମା, ଦିଲ୍ଲୀପ ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଶିଶିର ଗମାଙ୍ଗୋ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର