ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରି ‘ବହୁଜନ ସମାଜ ପାର୍ଟି’ର ସୁପ୍ରିମୋ ମାୟାବତୀ କହିଛନ୍ତି ଯେ, ତାଙ୍କ ଗୋରଖପୁର ମଠ ବଡ଼ ବଙ୍ଗଳା ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ସେ ରାଜ୍ୟବାସୀଙ୍କୁ କହିବା ଉଚିତ।
ରବିବାର ଦିନ କେତେଗୁଡ଼ିଏ ହିନ୍ଦୀ ଟୁଇଟ୍ରେ ମାୟାବତୀ କହିଛନ୍ତି, ସମ୍ଭବତଃ ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶ ଜନସାଧାରଣଙ୍କୁ ଜଣା ନାହିଁ ଯେ, ଗୋରଖପୁରରେ ଯୋଗୀଜୀ ନିର୍ମାଣ କରିଥିବା ମଠ, ଯେଉଁଠି ସେ ଅଧିକାଂଶ ସମୟ ରହନ୍ତି, ତାହା ବଡ଼ ବଙ୍ଗଳା ଠାରୁ କୌଣସି ଗୁଣରେ କମ୍ ନୁହେଁ। ଯଦି ଏ ବିଷୟରେ ସେ କହି ଦିଅନ୍ତି ଅତ୍ୟନ୍ତ ଭଲ ହୁଅନ୍ତା।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ କହିଥିଲେ ଯେ, କ୍ଷମତାକୁ ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ପ୍ରଥମେ ନିଜ ପାଇଁ ବଙ୍ଗଳା ନିର୍ମାଣ କରୁଥିଲେ।
/sambad/media/post_attachments/wp-content/uploads/2022/01/Yogi-2-1024x576.jpg)
ଗାଜିଆବାଦରେ ପ୍ରଚାର ଅଭିଯାନ ସମୟରେ ଭୋଟରମାନଙ୍କ ସହ କଥାବାର୍ତ୍ତା ବେଳେ ସମାଜବାଦୀ ପାର୍ଟି ଏବଂ ଅଖିଳେଶ ଯାଦବଙ୍କୁ ଆକ୍ଷେପ କରି କହିଲେ, ସମାଜବାଦୀ ପାର୍ଟି ସରକାର ଗଠନ ହେବା ବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ପ୍ରଥମେ ନିଜ ବଙ୍ଗଳା ନିର୍ମାଣ କଲେ। କିନ୍ତୁ, ‘ବିଜେପି’ ସରକାରରେ ମନ୍ତ୍ରୀମାନେ ଆପଣା ବାସଭବନ ନିର୍ମାଣ ନ କରି ରାଜ୍ୟର ୪୩ ଲକ୍ଷ ଗରିବ ଜନତାଙ୍କୁ ଘର ଯୋଗାଇ ଦେଲେ।
ମାୟାବତୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ (ମାୟାବତୀ) କ୍ଷମତାରେ ଥିବା ବେଳେ କରିଥିବା କାର୍ଯ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବା ଉଚିତ ଥିଲା। ଟୁଇଟ୍ କରି ସେ ଲେଖିଛନ୍ତି, ନିଜ ସରକାରର ଗୁଣଗାନ ସହ ‘ବିଏସ୍ପି’ ସରକାରଙ୍କ ଜନହିତକର କାର୍ଯ୍ୟ ସବୁ ଉଲ୍ଲେଖ କରିଥିଲେ ଭଲ ହୋଇ ଥାଆନ୍ତା ଗରିବମାନଙ୍କୁ ଘର ଓ ଜମିହୀନମାନଙ୍କୁ ଜମି ପ୍ରଦାନ କରିବାରେ ‘ବିଏସ୍ପି’ ସରକାରଙ୍କର ଚମତ୍କାର ରେକର୍ଡ ଥିଲା ବୋଲି ଲୋକେ ଜାଣିବା ଉଚିତ।
ମାନ୍ୟବର ‘ଶ୍ରୀ କାନ୍ଶିରାମଜୀ ସହରୀ ଗରିବ ଆବାସ ଯୋଜନା’ରେ ‘ବିଏସ୍ପି’ ସରକାର ଦୁଇଟି ପର୍ଯ୍ୟାୟରେ ଦେଢ଼ ଲକ୍ଷରୁ ଅଧିକ ପକ୍କାଘର ଯୋଗାଇ ଦେଇଥିଲେ। ‘ସର୍ବଜନ ହିତାୟ ଗରିବ ହାଉସିଙ୍ଗ୍ ଓନର୍ସିପ୍ ଯୋଜନା’ରେ ମଧ୍ୟ ଅନେକ ପରିବାର ଉପକୃତ ହୋଇଛନ୍ତି। ଲକ୍ଷ ଲକ୍ଷ ଭୂମିହୀନ ପରିବାରକୁ ଜମି ମଧ୍ୟ ଯୋଗାଇ ଦିଆଯାଇଛି।