ମୁଖ୍ୟମନ୍ତ୍ରୀ ହୋଇ ମୁଁ ଖୁସି ନୁହେଁ: ଛଳଛଳ ଆଖିରେ ଦଳର କର୍ମୀମାନଙ୍କୁ କହିଲେ କୁମାରସ୍ୱାମୀ

ନୂଆଦିଲ୍ଲୀ: ଶନିବାର ଦିନ ବେଙ୍ଗାଲୁରୁ ଠାରେ ଜେଡି (ଏସ୍‌) ଆୟୋଜନ କରିଥିବା ଏକ ସମ୍ବର୍ଦ୍ଧନା ସଭାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କାନ୍ଦି ପକାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଦଳୀୟ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସଭା ଆୟୋଜନ କରିଥିଲେ।

ସେ ଦଳୀୟ କର୍ମୀଙ୍କୁ କହିଲେ କି, କର୍ଣ୍ଣାଟକ ଲୋକମାନଙ୍କ ଆଦେଶ ନ ଥିବା ମେଣ୍ଟ ସରକାରର ନେତୃତ୍ୱ ନେଇଥିବାରୁ ସେ ଖୁସି ନୁହନ୍ତି।
ସେ କହିଲେ: ତୁମମାନଙ୍କ ଭାଇ ମୁଖ୍ୟମନ୍ତ୍ରୀ ହୋଇଯାଇଛି ବୋଲି ଭାବି ତୁମେ ଖୁସି ହେଉଛ। କିନ୍ତୁ ମୁଁ ଖୁସି ନୁହେଁ। ମୋର ଅବସ୍ଥା କ’ଣ ତାହା କେବଳ ମୁଁ ହିଁ ବୁଝୁଛି।

କର୍ଣ୍ଣାଟକରେ ଜେଡି (ଏସ୍‌) ଏବଂ କଂଗ୍ରେସ ପାର୍ଟିର ମେଣ୍ଟରେ ଗଠିତ ସରକାର ନେତୃତ୍ୱ ନେଇ ସେ କେଉଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତହା ସେ ବରାବର କହିଆସୁଛନ୍ତି। ସେ କହିଲେ: ମେଣ୍ଟ ସରକାରର କଷ୍ଟ ମୁଁ ଜାଣିଛି। ମୁଁ ବିଷକଣ୍ଠ (ନୀଳକଂଠ ଶିବ) ହୋଇ ଯାଇ ଏ ସରକାରର ବିଷ ପାନ କରୁଛି।

ନିଜର ଅସୁବିଧା କଥା ବଖାଣି ସେ କହିଲେ: କ୍ଷମତା ଉପଭୋଗ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ହେବା ମୋର ଲକ୍ଷ ନ ଥିଲା। ଏ ରାଜ୍ୟର ଲୋକମାନଙ୍କ ସମସ୍ୟାର ସମାଧାନ କରିବା ଥିଲା ମୋର ଉଦ୍ଦେଶ୍ୟ। ମୋ ବାପାଙ୍କର ଅପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ କରିବାକୁ ମୁଁ ଚାହୁଁଥିଲି। ତାହା ଥିଲା ଜାତି ଧର୍ମ ନିର୍ବିଶେଷରେ କୃଷକ, ଦିନ ମଜୁରିଆ ଏବଂ ଗରିବ ଲୋକମାନଙ୍କର ସମସ୍ୟା ସମାଧାନ କରିବା।

ପୂର୍ବରୁ ମଧ୍ୟ କୁମାରସ୍ୱାମୀ ମୁକ୍ତକଣ୍ଠରେ କହିଥିଲେ ଯେ କଂଗ୍ରେସ ପାର୍ଟିର କରୁଣାରୁ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। କର୍ଣ୍ଣାଟକରେ ସରକାର ଗଠନ କରିବାକୁ କଂଗ୍ରେସ ଓ ଜେଡି(ଏସ୍‌) ଦୀର୍ଘ ୧୪ ବର୍ଷ ପରେ ହାତ ମିଳାଇଛନ୍ତି। ୨୨୨ ଆସନରୁ ମାତ୍ର ୩୭ଟି ଆସନରେ ବିଜୟ ଲାଭ କରି ମଧ୍ୟ କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବା ପାଇଁ ସୁଯୋଗ ପାଇଥିଲେ।

ସମ୍ବନ୍ଧିତ ଖବର